ଭୁବନେଶ୍ଵର : ହସ୍ପିଟାଲରେ ଆଇସିୟୁର ନୀରବତା... ମେସିନ ଗୁଡ଼ିକର ବିପ୍ ଶବ୍ଦ, ଧିମା ଲାଇଟ୍ ଏବଂ ଏକ ଅଦୃଶ୍ୟ ଶୂନ୍ୟତା। ବାହାର ଲୋକଙ୍କ ପାଇଁ ଏହା କେବଳ ଗୋଟିଏ ରୁମ୍ ହୋଇପାରେ, ହେଲେ ଭିତରେ ପ୍ରତିଟି ନିଃଶ୍ଵାସ ଖୁବ୍ ଦାମୀ। ଏଠି ଶୂନ୍ୟତା ଭିତରେ ବେଳେ ବେଳେ ଏମିତି କିଛି ଶବ୍ଦ ଶୁଣିବାକୁ ମିଳେ ଯାହା ଶୁଣିବା ପରେ ପ୍ରତି ନର୍ସ ଦୁଃଖ କରନ୍ତି। ଆଉ ଜାଣି ପାରନ୍ତି ବୋଧହୁଏ ଶେଷ ସମୟ ଆସିଗଲା। ତେବେ ଆପଣ ଜାଣିଛନ୍ତି କି ? ଏହି ଶେଷ ଶବ୍ଦ କ'ଣ ? କ'ଣ ମଲାବେଳେ ସମସ୍ତେ ସମାନ କଥା କୁହନ୍ତି ? ଯଦି ଏହା ସତ ତାହେଲେ କ’ଣ ଏହା କେବଳ ଏକ ସଂଯୋଗ ? ନା ସତରେ ମୃତ୍ୟୁ ପୂର୍ବରୁ ମଣିଷକୁ ମିଳିଯାଏ ପୂର୍ବାଭାଷ ? 

ମୃତ୍ୟୁ... ଚିରନ୍ତନ ସତ୍ୟ। ଏହି ସତକୁ ମାନିବାକୁ ସମସ୍ତେ ଡରନ୍ତି। ହେଲେ ହସ୍ପିଟାଲର ଆଇସିୟୁରେ କାମ କରୁଥିବା ନର୍ସଙ୍କ ପାଇଁ ଏହା ସାମାନ୍ୟ। ଫ୍ଲୋରିଡାର ଜଣେ ୨୯ ବର୍ଷୀୟା ନର୍ସ କର୍ଷ୍ଟି ରବର୍ଟସ୍ ମୃତ୍ୟୁକୁ ନେଇ ଏମିତି ଏକ ଖୁଲାସା କରିଛନ୍ତି। ତାଙ୍କର ଅନୁଭୂତି ବାଣ୍ଟିଛନ୍ତି। କର୍ଷ୍ଟି ଦୀର୍ଘ ୪ ବର୍ଷ ହେଲା ଆଇସିୟୁରେ କାମ କରୁଛନ୍ତି। ଆଖି ଆଗରେ ବହୁ ରୋଗୀଙ୍କୁ ଆଖି ବୁଜିବା ଦେଖିଛନ୍ତି। ତେବେ ଶେଷ ସମୟରେ ପ୍ରାୟ ସମସ୍ତେ ଏକାଭଳି କଥା କୁହନ୍ତି। ଯେମିତି କି ଏହା ଶେଷ ଶବ୍ଦ ନୁହେଁ ତ, ଏହା ଡେଥ୍ କିୱାର୍ଡ। ମରିବାର ଠିକ୍ ପୂର୍ବରୁ କିଛି ଲୋକ କୁହନ୍ତି କି ମୋତେ ଆଉ କିଛି ଭଲ ଲାଗୁନି। ମୁଁ ଜାଣିଛି ମୁଁ ଆଉ ବଞ୍ଚିବିନି। ସେହିପରି ଆଉ କିଛି ଲୋକ କୁହନ୍ତି ମୋତେ ସେ ଡାକୁଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ କିଛି ଲୋକ ଠିକ୍ ଥାନ୍ତି। ତାଙ୍କୁ ଦେଖିଲେ ତାଙ୍କର ମୃତ୍ୟୁ ହେବ ବୋଲି କେହି ଭାବି ପାରନ୍ତିନି। ମେସିନ ବି ତାଙ୍କୁ ନେଇ ମିଛ ଦେଖାଏ। ହେଲେ ହଠାତ୍ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଯାଏ। ଯେମିତିକି ଏହା ଏକ ଟ୍ରାଞ୍ଜିସନ୍ ପିରିୟଡ୍। ଆଉ ଧୀରେ ଧୀରେ ଆତ୍ମା ଶରୀର ଛାଡ଼ିବାକୁ ପ୍ରସ୍ତୁତ ହୁଏ। ତେବେ ଏହା କେବଳ ଆଧ୍ୟାତ୍ମିକ କଥା ନା ବିଜ୍ଞାନ ସମ୍ମତ ? 

ଡାକ୍ତରମାନେ କୁହନ୍ତି, ମୃତ୍ୟୁ ପୂର୍ବରୁ ମସ୍ତିଷ୍କ ଶରୀରକୁ ସଙ୍କେତ ଦିଏ। ହେଲେ ବହୁ ନର୍ସ କୁହନ୍ତି ଏହା ଏକ ଅଧ୍ୟାତ୍ମିକ ଯାତ୍ରା। ଆଇସିୟୁର ଶାନ୍ତ ପରିବେଶ ଭିତରେ ଶୁଣାଯାଉଥିବା ଏହି ଶବ୍ଦଗୁଡ଼ିକ କେବଳ କାହାଣୀ ନୁହେଁ... ଏହା କହୁଛି ଯେ, ଜୀବନ କ୍ଷଣସ୍ଥାୟୀ। ମୃତ୍ୟୁ କେବଳ ଏକ ଶାରୀରିକ ଘଟଣା ନୁହେଁ, ହୁଏତ ଏହା ଆତ୍ମାର ଏକ ଆଧ୍ୟାତ୍ମିକ ଯାତ୍ରା। ସେଥିପାଇଁ ତ କୁହନ୍ତି ଜୀବନରେ କିଛି ବି ସ୍ଥାୟୀ ନୁହେଁ। ସବୁକିଛି ଏଇଠି ଛାଡ଼ିଯିବାକୁ ହୁଏ। ସେଥିପାଇଁ ଈଶ୍ଵରଙ୍କୁ ପ୍ରେମ କର, ଅନ୍ୟକୁ ସାହାଯ୍ୟ କର। 

ଏହି ଖବରଟିକୁ ପଢନ୍ତୁ- ସୁନାରେ ଲଦି ହୋଇଛି କଙ୍କାଳ ! ପାନାମାରୁ ମିଳିଲା ହଜାରେ ବର୍ଷ ତଳର ରହସ୍ୟମୟ କବର