ଭୁବନେଶ୍ଵର : ପ୍ରାୟ ସମସ୍ତଙ୍କର ଧାରଣା ଯେ ସ୍ପୋର୍ଟସ୍‌ ଇନ୍‌ଜୁରି ବା କ୍ରୀଡ଼ା ଆଘାତ କେବଳ ଖେଳାଳିମାନଙ୍କର ହୋଇଥାଏ । ମାତ୍ର ଏହି ସମସ୍ୟା ସାଧାରଣ ଲୋକଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ଏଥିପ୍ରତି ଉଭୟ ଖେଳାଳି ଓ ସାଧାରଣ ଜନତା ସଚେତନ ରହିବା ଆବଶ୍ୟକ।

କ୍ରୀଡ଼ା ଆଘାତ କ’ଣ? 

ଯେଉଁ ଲୋକମାନେ ଶାରୀରିକ ଭାବେ ଅଧିକ ସକ୍ରିୟ ରହିଥାନ୍ତି, ଯେପରିକି ଜିମ୍‌ ଯାଆନ୍ତି ଓ ଅଧିକ ଦୌଡ଼ାଦୌଡ଼ି କରନ୍ତି, ସେମାନେ ଏଭଳି ଆଘାତର ଶିକାର ହୋଇଥାନ୍ତି । ତାଛଡ଼ା ଫୁଟବଲ, କବାଡ଼ି, ବ୍ୟାଡ୍‌ମିଣ୍ଟନ ଆଦିରେ ବେଶି ଆଘାତପ୍ରାପ୍ତ ହେବାର ସମ୍ଭାବନା ଥାଏ । ଏସବୁ ଖେଳରେ ମାଂସପେଶୀ ଓ ଲିଗାମେଣ୍ଟ୍‌ ଆଘାତ ହୋଇଥାଏ । ଏହାକୁ ‘ସ୍ପୋର୍ଟସ୍‌ ଇନଜୁରି’ କୁହାଯାଏ । ଲିଗାମେଣ୍ଟ ଆଘାତ ମୁଖ୍ୟତଃ ଆଣ୍ଠୁ ସନ୍ଧିରେ ଅଧିକ ହୋଇଥାଏ । ଫୁଟ୍‌ବଲ, ବାସ୍କେଟବଲ୍‌ ପରି ହଠାତ୍‌ ମୋଡ଼ ବଦଳାଉଥିବା କ୍ରୀଡ଼ାରେ ଆଣ୍ଠୁ ଜଏଣ୍ଟ (ସନ୍ଧି) ଉପରେ ଅଧିକ ଚାପ ପଡ଼େ । ସେହିପରି କାନ୍ଧରେ ମଧ୍ୟ ଲିଗାମେଣ୍ଟ ଆଘାତ ଦେଖିବାକୁ ମିଳେ । ଏହି ସମସ୍ୟା ମୁଖ୍ୟତଃ ଟେନିସ୍‌, ବ୍ୟାଡମିଣ୍ଟନ୍‌ ଓ ବୋଲିଂ କରୁଥିବା ଖେଳାଳିଙ୍କଠାରେ ଦେଖାଯାଏ । ଏହି ଲିଗାମେଣ୍ଟ ସମସ୍ୟା ଏବେ କେବଳ ଖେଳାଳିଙ୍କ ଭିତରେ ସୀମିତ ହୋଇ ରହିନାହିଁ । କାରଣ ଜିମ୍‌ ଯାଉଥବା ବ୍ୟକ୍ତି ହୁଅନ୍ତୁ ଅଥବା କୌଣସି ଦୁର୍ଘଟଣା ଯୋଗୁଁ ମଧ୍ୟ ଲିଗାମେଣ୍ଟ ସମସ୍ୟା ଦେଖା ଦେଉଛି । 

ଲକ୍ଷଣ 

ସାଧାରଣତଃ ସ୍ପୋର୍ଟସ୍‌ ଇନ୍‌ଜୁରି ଆଣ୍ଠୁ ଓ କାନ୍ଧ ଜଏଣ୍ଟକୁ ପ୍ରଭାବିତ କରେ । ଆଣ୍ଠୁରେ ଏସିଏଲ୍‌ ଓ ପିସିଏଲ୍‌ ଲିଗାମେଣ୍ଟ ରହିଥାଏ । ଆଣ୍ଠୁରେ ସମସ୍ୟା ହେଲେ ଚାଲିବା ସମୟରେ ପଡ଼ିଯିବା ପରି ଲାଗେ । ପାହାଚରେ ଓହ୍ଲାଇବା ସମୟରେ ଆଣ୍ଠୁ ଖସିଯିବା ପରି ଅନୁଭବ ହୁଏ । ବସିବାରୁ ହଠାତ୍‌ ଉଠିପଡ଼ିଲେ ମେନିସ୍କସ୍‌ ଇନଜୁରି ହୁଏ । ଫଳରେ ଆଣ୍ଠୁରେ ସବୁବେଳେ ଯନ୍ତ୍ରଣା ରହିଥାଏ । ସେହିପରି କିଛି ଲୋକଙ୍କଠାର କାନ୍ଧ ଜଏଣ୍ଟ ଖସିଯିବା ପରି ସମସ୍ୟା ଦେଖାଦିଏ । ଏପରିକି ଏହା ବାରମ୍ବାର ହୋଇଥାଏ । ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ରୋଟେଟର୍‌ କଫ୍‌ ଟିଅର୍‌ ସମସ୍ୟା ମଧ୍ୟ ଦେଖାଦେଇଥାଏ । 

ଆଘାତକୁ ଅଣଦେଖା କରନ୍ତୁ ନାହିଁ 

ଯଦି କେହି ବ୍ୟକ୍ତି ଏହି ସମସ୍ୟାକୁ ଅଣଦେଖା କରନ୍ତି, ଭବିଷ୍ୟତରେ ଆଣ୍ଠୁ ଲିଗାମେଣ୍ଟ ପାଖରେ ଥିବା ହାଡ଼ ନଷ୍ଟ ହୋଇଚାଲେ । ସେହିପରି ଯଦି ଗୋଟିଏ ଲିଗାମେଣ୍ଟ ଆଘାତ ହୋଇଥାଏ, ତାହା କ୍ରମଶଃ ଅନ୍ୟଆଡ଼କୁ ମାଡ଼ିଚାଲେ । କୌଣସି ଖେଳାଳି ଲିଗାମେଣ୍ଟ ସମସ୍ୟାକୁ ଅଣଦେଖା କଲେ ଏହା ତାଙ୍କ କ୍ୟାରିଅରକୁ ଶେଷ କରି ଦେଇପାରେ । ଲିଗାମେଣ୍ଟ ଆଘାତରେ ହାତ ଉପରକୁ ଉଠାଇବା ଓ ମୁଣ୍ଡ କୁଣ୍ଡାଇବା ମଧ୍ୟ କଷ୍ଟ ହୋଇଥାଏ । ଚଳପ୍ରଚଳ କରିବାରେ ବି କଷ୍ଟ ହୁଏ । 

ଚିକିତ୍ସା 

ପ୍ରତ୍ୟେକ ଲିଗାମେଣ୍ଟ ଆଘାତରେ ପ୍ରଥମେ ବିଶେଷଜ୍ଞଙ୍କ ଦ୍ୱାରା ସ୍ଥିତି ପରଖିବା ଜରୁରି । ପ୍ରାୟତଃ ୯୦ ପ୍ରତିଶତ ଆଘାତ ପାଇଁ ସର୍ଜରୀ ଆବଶ୍ୟକ ହୋଇ ନଥାଏ । ବହୁ ସମୟ ଯାଏ ଆରାମ କରିବା ସହ ଔଷଧ, ଫିଜିଓଥେରାପି ଓ ଇଞ୍ଜେକସନ୍‌ ଥେରାପି ମଧ୍ୟ ଦିଆଯାଇଥାଏ । ଯଦି ଆଘାତ ମାତ୍ରାଧିକ ହୁଏ, ୧୦ ପ୍ରତିଶତଙ୍କ କ୍ଷେତ୍ରରେ ସର୍ଜରୀ ଆବଶ୍ୟକ ପଡ଼େ । ଖେଳାଳିମାନେ ଖେଳ ଆରମ୍ଭ ପୂର୍ବରୁ ଶରୀରକୁ ୱାର୍ମଅପ୍‌ ଓ ଷ୍ଟ୍ରେଚିଂ କରିବା ଜରୁରି । ଆଣ୍ଠୁ କ୍ୟାପ୍‌, କାନ୍ଧ କ୍ୟାପ୍‌ ଆଦି ପିନ୍ଧିବା ସହ କୋଚ୍‌ଙ୍କଠାରୁ ପ୍ରଶିକ୍ଷଣ ନେବାକୁ ଭୁଲନ୍ତୁ ନାହିଁ । ଆଣ୍ଠୁ ଗଣ୍ଠି ଅଧିକ ଆଘାତପ୍ରାପ୍ତ ହେଲେ କେବେ କେବେ ଆର୍ଥ୍ରୋସ୍ପୋପି ସର୍ଜରୀ ଦରକାର ହୋଇଥାଏ । ଏହାକୁ ‘କୀ ହୋଲ୍‌’ ସର୍ଜରୀ କୁହାଯାଏ । ଜଏଣ୍ଟରେ ଛୋଟ ଛୋଟ ରନ୍ଧ୍ର କରି ହାଇଡେଫିନେସନ୍‌ କ୍ୟାମେରା ଲଗାଇ ସର୍ଜରୀ କରାଯାଇଥାଏ । କ୍ୟାମେରା ଜରିଆରେ ଜଏଣ୍ଟ ଭିତରକୁ ଭଲ ଭାବେ ଦେଖିବା ସହ ଶରୀରର ଟିସୁମାନଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ଅସ୍ତ୍ରୋପଚାର କରାଯାଇଥାଏ । ଫଳରେ ସର୍ଜରୀ ପରେ ଯନ୍ତ୍ରଣା କମ୍‌ ହେବା ସହ ଶୀଘ୍ର ଉପଶମ ମିଳିଥାଏ । 

ଡାକ୍ତର ଜିତେନ୍ଦ୍ର ମିଶ୍ର 

ଆର୍ଥ୍ରୋସ୍କୋପି ଆଣ୍ଡ୍‌ ସ୍ପୋର୍ଟସ୍‌ ଇନ୍‌ଜୁରି ସର୍ଜନ୍‌ ଆସୋସିଏଟ୍‌ ପ୍ରଫେସର, ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ୍‌