ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକଙ୍କୁ ଅନ୍ୟମାନଙ୍କ ସହ କଥାବାର୍ତ୍ତା ପାଇଁ ମଧ୍ୟ ସମୟ ମିଳୁନାହିଁ । ଲୋକମାନେ ପ୍ରାୟତଃ ନିଜ କାମରେ କିମ୍ବା ଡିଜିଟାଲ୍‌ ମିଡିଆରେ ବ୍ୟସ୍ତ ରହିବାକୁ ପସନ୍ଦ କରୁଛନ୍ତି । ଏବେ ଫୋନ୍‌ ତ ଲୋକମାନଙ୍କ ଜୀବନ ହୋଇପଡିଛି । ପିଲା ହୁଅନ୍ତୁ ଅବା ବୁଢା ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍‌ । ଫୋନ୍‌ ବିନା ସତେ ଯେମିତି ଜୀବନଟା ନିସ୍ତେଜ ହୋଇପଡୁଛି । କିନ୍ତୁ ଲଗାତାର ଫୋନ୍‌ର ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ଚିନ୍ତାଗ୍ରସ୍ତ ହୋଇପଡେ । ଏହାକୁ ଦୂର କରିବା ପାଇଁ ନୂଆ କୌଶଳ ହେଉଛି ଡିଜିଟାଲ୍‌ ଫାଷ୍ଟିଂ । ଏହା ଏମିତି ଏକ କୌଶଳ, ଯେତେବେଳେ ବ୍ୟକ୍ତି ଫୋନ୍‌, ଲାପଟପ୍‌ ଓ ଟିଭିଠାରୁ ଦୂରତା ବଜାୟ ରଖିଥାଏ । ଏହାକୁ ଡିଜିଟାଲ୍‌ ଡିଟକ୍ସ କୁହାଯାଏ ।

 ଡିଜିଟାଲ୍‌ ଫାଷ୍ଟିଂର ଫାଇଦା

ଲଗାତାର ଫୋନ୍‌ରେ ବ୍ୟସ୍ତ ରହିବା ଦ୍ୱାରା ସମ୍ପର୍କରେ ଦୂରତା ବଢିବା ସହ ଆନ୍ତରିକତା ମଧ୍ୟ କମିଥାଏ । ତେଣୁ ଡିଜିଟାଲ୍‌ ଫାଷ୍ଟିଂ ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ । ସେହିପରି କର୍ମ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ମଧ୍ୟ ବଢିଥାଏ । ମସ୍ତିଷ୍କ ଶାନ୍ତ ରହିବା ଦ୍ୱାରା ଚିନ୍ତା କମ୍‌ ରୁହେ । ଫଳରେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଡିଜିଟାଲ୍‌ ଫାଷ୍ଟିଂ କରିବା ଦ୍ୱାରା ଜୀବନଶୈଳୀରେ ବହୁ ପରିବର୍ତ୍ତନ ଆସିଥାଏ । 

କାହିଁକି ଜରୁରି?

ଆଜିକାଲି ପ୍ରାୟ ଯୁବପିଢିଙ୍କ ସମୟ ଡିଜିଟାଲ୍‌ ମିଡିଆ ପ୍ଲାଟଫର୍ମରେ ହିଁ କଟୁଛି । ଫଳରେ ସେମାନଙ୍କ ସ୍ୱଭାବ ଚିଡ୍‌ଚିଡା ହେବାରେ ଲାଗିଛି । ଦିନସାରା ସେମାନେ ଫୋନ୍‌ରେ ଲାଗି ରହିବା ଦ୍ୱାରା ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଫଳରେ ମାନସିକ ସ୍ଥିତାବସ୍ଥା ବିଗିଡି ଯାଉଛି । ତେଣୁ ଡିଜିଟାଲ୍‌ ଫାଷ୍ଟିଂ କୌଶଳକୁ ଆପଣାଇବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ । ବାସ୍ତବରେ ଦେଖିବାକୁ ଗଲେ ସାମଗ୍ରିକ ଭାବେ ଶରୀରକୁ ସୁସ୍ଥ ରଖିଥାଏ ଡିଜିଟାଲ୍‌ ଫାଷ୍ଟିଂ । 

କେମିତି କରିବେ? 

ପ୍ରଥମେ ଦିନରେ ୨/୩ ଘଣ୍ଟା ସ୍କ୍ରିନ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ । ପରେ ସପ୍ତାହକୁ ଗୋଟିଏ ଦିନ ‘ନୋ ଫୋନ୍‌ ଡେ’ ପାଳନ କରିପାରିବେ । ଧୀରେ ଧୀରେ ଅଭ୍ୟାସରେ ପଡିଯିବେ, କେବଳ ଆବଶ୍ୟକ ହେଲେ ଫୋନ୍‌ ବ୍ୟବହାର କରିବାକୁ ଇଛା ହେବ ।