ଭୁବନେଶ୍ବର ; ୨୧/୧ : ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନବୀନ । ସେ କହିଛନ୍ତି କି, ମୁଁ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ୍ ଦେଇଥିଲି। ମୁଁ ଅରବିନ୍ଦଙ୍କୁ ବିଶ୍ଵାସ କରି ସୁଯୋଗ ଦେଇଥିଲି କିଛି କାମ କରିବାକୁ। ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି। କିନ୍ତୁ ଜାଣିଲି ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି। ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରେ ମୁଁ ତାକୁ ଦଳରୁ କାଢିଦିଏ। ଆପଣ ମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ।
ସେପ ନବୀନ ନିବାସରେ ପାଟକୁରା ବିଜେଡିର ନେତା ଓ କର୍ମୀ। ବହୁ ସଂଖ୍ୟାରେ ଦଳୀୟ କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧି ଆଜି ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି। ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ସସପେଣ୍ଡ କରିଥିଲେ ନବୀନ। ଏହି ନିଷ୍ପତ୍ତି ଯଥାର୍ଥ ଥିଲା। ନବୀନଙ୍କ ସହ ଆମେ ଥିଲୁ , ଅଛୁ ଓ ରହିବୁ ବୋଲି ପାଟକୁରା ଦଳୀୟ ନେତା ଓ କର୍ମୀ କହିଛନ୍ତି। ଦୁର୍ନୀତି ଓ ବିଶ୍ୱାସଘାତକ ଅଭିଯୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳୀୟ ଗୁଇନ୍ଦା ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପୂର୍ବରୁ ସଭାପତିଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦଳର ବରିଷ୍ଠ ନେତା କହିଥିଲେ। ଆଜି ନବୀନଙ୍କୁ ପାଟକୁରା ବିଜେଡିର ନିର୍ବାଚିତ ପ୍ରତିନିଧି, ନେତା ଓ କର୍ମୀ ଭେଟି ଧନ୍ୟବାଦ ଦେଇଛନ୍ତି।