ନୂଆଦିଲ୍ଲୀ, ୩୦।୫: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ବା ‘ହିଟ୍‌ୱେଭ୍’କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନର ଗରମ ଆଉ ପୂର୍ବ ଭଳି ନାହିଁ; ପ୍ରଖର ସୂର୍ଯ୍ୟକିରଣ ଏବଂ ଗରମ ପବନ ଯୋଗୁଁ ଲୋକେ ଖୁବ୍ ଶୀଘ୍ର କ୍ଲାନ୍ତ ହୋଇପଡୁଛନ୍ତି । ଘରୁ ବାହାରକୁ ଗୋଡ଼ କାଢ଼ିବା ମାତ୍ରେ ଶରୀର ଅବଶ ଲାଗିବା, ମୁଣ୍ଡ ବିନ୍ଧା ହେବା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଉଛି । ଏଭଳି ସ୍ଥିତିରେ ଯଦି ଆମର ଖାଦ୍ୟପେୟ ଠିକ୍ ନରହେ, ତେବେ ଅଂଶୁଘାତ ଏବଂ ଶରୀରରେ ଜଳୀୟ ଅଂଶ କମିଯିବା ଭଳି ମାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇପାରେ । ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଆମର ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଚଞ୍ଚଳ ଶର୍ମାଙ୍କ କହିବା ଅନୁସାରେ— “ଏହି ମୌସୁମୀରେ ହାଲୁକା, ଶରୀରକୁ ଥଣ୍ଡା ରଖୁଥିବା ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ହିଁ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।“ ଆୟୁର୍ବେଦରେ ଏହାକୁ ‘ଋତୁ ଅନୁସାରେ ଆହାର’ ବୋଲି କୁହାଯାଏ । ସଠିକ୍ ଖାଦ୍ୟ ଗ୍ରହଣ କଲେ ଶରୀର ଭିତରୁ ସତେଜ ରହେ ଏବଂ ଦିନସାରା ଦୁର୍ବଳତା ଅନୁଭବ ହୁଏନାହିଁ ।

ଟିକିଏ ଖରାରେ ଶରୀର କାହିଁକି ଶୀଘ୍ର କ୍ଲାନ୍ତ ହୋଇପଡ଼େ ?

ଗ୍ରୀଷ୍ମ ଦିନେ ପ୍ରବଳ ଖରା ଏବଂ ଝାଳ ବାହାରିବା ଯୋଗୁଁ ଶରୀରରୁ ଜଳୀୟ ଅଂଶ ଏବଂ ଜରୁରୀ ମିନେରାଲ୍ସ କମିଯାଏ । ଏହି କାରଣରୁ ଲୋକମାନେ ଖୁବ୍ ଶୀଘ୍ର ଥକି ଯାଆନ୍ତି ଏବଂ ଶରୀରରେ ସୁସ୍ତି ଦେଖାଦିଏ । ଡାକ୍ତର ଶର୍ମା ଚେତାବନୀ ଦେଇ କହିଛନ୍ତି ଯେ, ଏହି ସମୟରେ ଆମର ପାଚନ ଶକ୍ତି ସାମାନ୍ୟ ଦୁର୍ବଳ ହୋଇଯାଇଥାଏ । ତେଣୁ ଯଦି ଆମେ ଅଧିକ ତେଲ-ମସଲା ଯୁକ୍ତ କିମ୍ବା ଛଣାଛଣି ଖାଦ୍ୟ ଖାଇବା, ତେବେ ଶରୀରର ତାପମାତ୍ରା ଆହୁରି ବଢ଼ିଯିବ ଏବଂ ପେଟ ରୋଗ ଦେଖାଦେବ ।

ଏହିସବୁ ଫଳ ଶରୀରକୁ ରଖିବ ଏସି ଭଳି ଥଣ୍ଡା:

ଗ୍ରୀଷ୍ମ ଋତୁରେ ପ୍ରକୃତି ଆମକୁ ଏମିତି ଅନେକ ଫଳ ଦେଇଛି ଯେଉଁଥିରେ ପ୍ରଚୁର ପରିମାଣରେ ପାଣି ଥାଏ । ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ନିମ୍ନଲିଖିତ ଫଳଗୁଡ଼ିକୁ ସାମିଲ କରନ୍ତୁ:

ତରଭୁଜ ଓ ଖରଭୁଜ: ଏଥିରେ ପ୍ରଚୁର ପାଣି ଥାଏ ଯାହା ଶରୀରକୁ ତତ୍କାଳ ଶକ୍ତି ଦିଏ ।

କାକୁଡ଼ି: ଶରୀରକୁ ହାଇଡ୍ରେଟ୍ ରଖିବାରେ ଏହା ସବୁଠାରୁ ଉତ୍ତମ ।

ପଇଡ଼ ପାଣି: ଏହା ଏକ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍, ଯାହା ଦୁର୍ବଳତା ଦୂର କରେ ।

ଡାଳିମ୍ବ ଏବଂ ପାଚିଲା ଆମ୍ବ: ଏଗୁଡ଼ିକ ଶରୀରକୁ ପୋଷଣ ଯୋଗାଇବା ସହ ଥଣ୍ଡା ରଖନ୍ତି ।

ବିଶେଷ କରି ମଧ୍ୟାହ୍ନ ସମୟରେ ଏହି ଫଳଗୁଡ଼ିକର ସେବନ ଶରୀରକୁ ଅଂଶୁଘାତରୁ ରକ୍ଷା କରିଥାଏ ।

କୋଲ୍ଡ ଡ୍ରିଙ୍କ୍ସକୁ ‘ନା’ କୁହନ୍ତୁ, ଆପଣାନ୍ତୁ ଏହି ଦେଶୀ ପାନୀୟ:

ଆଜିକାଲି ଗରମରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ବଜାରରେ ମିଳୁଥିବା କୋଲ୍ଡ ଡ୍ରିଙ୍କ୍ସ କିମ୍ବା ପ୍ୟାକେଟ୍ ଜୁସ୍ ପିଇଥାନ୍ତି । କିନ୍ତୁ ଆୟୁର୍ବେଦ ଏହାକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହେ । ଏଥିରେ ଥିବା କେମିକାଲ ଓ ଅତ୍ୟଧିକ ଚିନି ଶରୀରର କ୍ଷତି କରିଥାଏ । ଏହାର ବଦଳରେ ଘରେ ପ୍ରସ୍ତୁତ ଦେଶୀ ପାନୀୟ ପିଅନ୍ତୁ:

ଦହି ଲସି ଓ ଘୋଳଦହି: ପୁଦିନା ଏବଂ ଭଜା ଜିରା ଗୁଣ୍ଡ ମିଶାଇ ଛାଚ୍ ପିଇବା ଦ୍ୱାରା ପେଟ ସଫା ରହେ ଓ ଗ୍ୟାସ୍ ସମସ୍ୟା ହୁଏନାହିଁ ।

ବେଲ ସରବତ: ଏହା ପେଟ ପାଇଁ ଅମୃତ ସଦୃଶ ।

ଲେମ୍ବୁ ପାଣି ଓ ଆମ୍ବ ପଣା: ଏହା ଶରୀରକୁ ଲୁ’ ରୁ ରକ୍ଷା କରିବାରେ ସବୁଠାରୁ ଲାଭଦାୟକ ।

ପେଟକୁ ଦେବ ଆରାମ ହାଲୁକା ଖାଦ୍ୟ:

ଗରମ ଦିନେ ଗରିଷ୍ଠ ବା ଭାରି ଖାଦ୍ୟ ଖାଇଲେ ପେଟରେ ଜଳାପୋଡ଼ା, ଏସିଡିଟି ଏବଂ ଆଳସ୍ୟ ଦେଖାଯାଏ । ତେଣୁ ଏହି ସମୟରେ ଖେଚୁଡ଼ି, ମୁଗ ଡାଲି, ଭାତ ଏବଂ ସହଜରେ ହଜମ ହେଉଥିବା ପନିପରିବା ସୁପ୍ ଖାଆନ୍ତୁ । ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ପୁଦିନା, ଧନିଆ ପତ୍ର ଏବଂ ପାନ ମଧୁରୀ ଆଦି ବ୍ୟବହାର କରନ୍ତୁ।  ଏଗୁଡ଼ିକର ପ୍ରକୃତି ଶୀତଳ ହୋଇଥିବାରୁ ଏହା ଶରୀରକୁ ଭିତରୁ ଥଣ୍ଡା ରଖେ ।

ଏହି ସବୁ ଜିନିଷଠାରୁ ଦୂରେଇ ରୁହନ୍ତୁ:

ଯଦି ଆପଣ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ଚା’ କିମ୍ବା କଫି ସେବନ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏହା ଦ୍ୱାରା ଶରୀରରେ ‘ପିତ୍ତ ଦୋଷ’ ବୃଦ୍ଧି ପାଏ, ଯାହା ଫଳରେ ପେଟ ଖରାପ ହେବା, ଚର୍ମରେ କାଛୁକୁଣ୍ଡି ହେବା ଏବଂ ଡିହାଇଡ୍ରେସନ ଭଳି ସମସ୍ୟା ଉପୁଜିଥାଏ ।

କେବଳ ଖାଦ୍ୟ ନୁହେଁ, ବଦଳାନ୍ତୁ ଏହି ସବୁ ଅଭ୍ୟାସ:

ଡାକ୍ତର ଚଞ୍ଚଳ ଶର୍ମାଙ୍କ ଅନୁସାରେ, ଗରମରୁ ବଞ୍ଚିବା ପାଇଁ କେବଳ ଭଲ ଖାଦ୍ୟ ଯଥେଷ୍ଟ ନୁହେଁ, ବରଂ କିଛି ସୂକ୍ଷ୍ମ ନିୟମ ମଧ୍ୟ ମାନିବାକୁ ପଡ଼ିବ:

ନିୟମିତ ବ୍ୟବଧାନରେ ପାଣି ପିଅନ୍ତୁ: ଶୋଷ ନଲାଗିଲେ ମଧ୍ୟ ଟିକେ ଟିକେ ପାଣି ପିଉଥାନ୍ତୁ ।

ସୂତା ବସ୍ତ୍ର ପିନ୍ଧନ୍ତୁ: ବାହାରକୁ ଗଲାବେଳେ ହାଲୁକା ରଙ୍ଗର ସୂତୀ କପଡ଼ା ପିନ୍ଧନ୍ତୁ ଏବଂ ମୁଣ୍ଡକୁ ସ୍ଲିଭ୍ କିମ୍ବା କପଡ଼ାରେ ଘୋଡ଼ାଇ ରଖନ୍ତୁ ।

ପର୍ଯ୍ୟାପ୍ତ ଶୋଇବା ଜରୁରୀ: ଶରୀରକୁ ସତେଜ ରଖିବା ପାଇଁ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ।

ଯୋଗ ଓ ଧ୍ୟାନ: ସକାଳ ସମୟରେ ହାଲୁକା ପ୍ରାଣାୟାମ କିମ୍ବା ଯୋଗ କଲେ ମନ ଏବଂ ଶରୀର ଉଭୟ ଶାନ୍ତ ରହେ ।

ଗ୍ରୀଷ୍ମ ଋତୁରେ ନିଜକୁ ସୁସ୍ଥ ରଖିବାର ସବୁଠାରୁ ସହଜ ଉପାୟ ହେଉଛି ପ୍ରକୃତି ଏବଂ ମୌସୁମୀ ଅନୁସାରେ ନିଜକୁ ଖାପଖୁଆଇ ଚଳିବା । ଆୟୁର୍ବେଦର ଏହି ସହଜ ନିୟମକୁ ଆପଣାଇ ଆପଣ ଅଂଶୁଘାତ, ଦୁର୍ବଳତା ଏବଂ ଗ୍ୟାସ୍ ଭଳି ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ । ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ !

ଆହୁରି ପଢ଼ନ୍ତୁ... କ'ଣ ଆପଣ ବି ହଠାତ୍‌ ଏସିରୁ ବାହାରକୁ ଯାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ...