ଚାଲିଛି ଗରମ ଋତୁ । ଏହି ଋତୁରେ ପ୍ରାୟ ଲୋକ ଘରେ, ଦୋକାନ ଓ ଅଫିସରେ ଏସି ବ୍ୟବହାର କରିଥାନ୍ତି । ଭୀଷଣ ଗରମରୁ ମୁକ୍ତି ପାଇବା ଆଶାରେ ଲୋକମାନେ ଘଣ୍ଟା ଘଣ୍ଟା ଏସିରେ ବସିବା ପରେ ହଠାତ୍‌ ଗରମ ବାତାବରଣକୁ ଆସିଥାନ୍ତି । କିଛି ଲୋକ ହଠାତ୍‌ ଏସିରୁ ବାହାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି, ପ୍ରଶ୍ୱାସନିଶ୍ୱାସ ନେବାରେ ସମସ୍ୟା ହେବା ସହ ହୃଦ୍‌ସ୍ପନ୍ଦନ ବଢ଼ିଯାଇଥାଏ । ଏଠି ପ୍ରଶ୍ନ ଉଠୁଛି ଯେ ଏସିରୁ ହଠାତ୍‌ ଗରମକୁ ଯିବା ଦ୍ୱାରା ଛାତି ଉପରେ ଚାପ ପଡୁଛି କି? 

ଥଣ୍ଡାରୁ ହଠାତ୍‌ ଗରମକୁ ଯିବା ଛାତିରେ ଚାପ ପକାଏ କି?

 ଡାକ୍ତର ବିନୟ କୁମାର ବହଲଙ୍କ ଅନୁସାରେ ହୃଦ୍‌ ସମ୍ବନ୍ଧୀୟ ସମସ୍ୟା କେବଳ ଏସିରୁ ଗରମକୁ ଗଲେ ହୋଇ ନଥାଏ, ବରଂ ଅଚାନକ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହୃଦୟ ଓ ଶରୀର ଉପରେ ଚାପ ପକାଇଥାଏ । 

 ଅଚାନକ୍‌ ରକ୍ତଚାପରେ ପରିବର୍ତ୍ତନ: ଏସିରୁ ବାହାରି ତୁରନ୍ତ ଖୁବ୍‌ ଗରମକୁ ଯିବା ଦ୍ୱାରା ଶରୀରର ସ୍ନାୟୁଗୁଡିକ ତୀବ୍ର ବେଗରେ ସଂପ୍ରସାରିତ ହୋଇଥାଏ । ଫଳରେ କିଛି ଲୋକଙ୍କଠାରେ ରକ୍ତଚାପ ବଢିପାରେ କିମ୍ବା କମିପାରେ । ଉଚ୍ଚ ରକ୍ତଚାପ, ହୃଦ୍‌ ରୋଗ କିମ୍ବା ବୟସ୍କଙ୍କଠାରେ ଏହି ପରିବର୍ତ୍ତନ ମୁଣ୍ଡ ବୁଲାଇବା ଓ ଛାତି ଭାରି ଲାଗିବାର କାରଣ ସାଜିଥାଏ ।

 ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡେ: ଗରମରେ ଶରୀରକୁ ଥଣ୍ଡା ରଖିବା ପାଇଁ ହୃଦ୍‌କୁ ତୀବ୍ର ବେଗରେ ପମ୍ପିଂ କରିବାକୁ ପଡିଥାଏ । ଯଦି ବ୍ୟକ୍ତି ପୂର୍ବରୁ ହୃଦ୍‌ଘାତରେ ପୀଡିତ, ତେବେ ଅଚାନକ୍‌ ଗରମ ବାତାବରଣକୁ ଆସିବା ଦ୍ୱାରା ହୃଦୟ ଉପରେ ଅଧିକ ଚାପ ପଡିଥାଏ । 

 ଜଳଶୁଷ୍କତା ହୋଇପାରେ: ଏସିରେ ଦୀର୍ଘ ସମୟ ରହିବା ଦ୍ୱାରା ଶରୀରରେ ଜଳ ଶୁଷ୍କତା ବଢିଚାଲେ । କାରଣ ଥଣ୍ଡା ବାତାବରଣରେ ଶୋଷ କମ ଲାଗିଥାଏ । ଏପରି ସ୍ଥିତିରେ ଯଦି ବ୍ୟକ୍ତି ଥଣ୍ଡା ବାତାବରଣରୁ ଅଚାନକ୍‌ ଖରାକୁ ଆସୁଥାନ୍ତି, ତେବେ ଶରୀରରୁ ପ୍ରବଳ ଝାଳ ବାହାରିଥାଏ । ଫଳରେ ଶରୀରରେ ଜଳଶୁଷ୍କତା ସମସ୍ୟା ବଢିଚାଲେ, ଯାହା ହୃଦୟ ସମସ୍ୟା ଓ ରକ୍ତ ସଞ୍ଚାଳନ ଉଭୟକୁ ପ୍ରଭାବିତ କରିଥାଏ । 

 ନିଶ୍ୱାସ ନେବାରେ ସମସ୍ୟା: ବହୁତ ଥଣ୍ଡାରୁ ହଠାତ୍‌ ଗରମକୁ ଆସିବା ଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ । ଆସ୍ଥମା, ସିଓପିଡି ବା ଆଲର୍ଜି ରୋଗୀଙ୍କୁ ଏହି ସମସ୍ୟା ବେଶୀ ଦେଖା ଦେଇଥାଏ । 

କାହା ପାଇଁ କ୍ଷତିକାରକ? 

ଡାକ୍ତର ବିନୟଙ୍କ ଅନୁସାରେ ଏସିରୁ ଅଚାନକ୍‌ ପ୍ରବଳ ଗରମକୁ ଆସିବା ଦ୍ୱାରା କେବଳ ହୃଦୟ ଉପରେ ପଡୁଥିବା ପ୍ରଭାବ ସମସ୍ତଙ୍କଠାରେ ଏକପ୍ରକାରର ଦେଖା ଦେଇ ନଥାଏ । କିଛି ଲୋକ ଅଚାନକ୍‌ ବଢୁଥିବା ତାପମାତ୍ରା ଦ୍ୱାରା ଖୁବ୍‌ ପ୍ରଭାବିତ ହୋଇଥାନ୍ତି । ଯେପରିକି ହୃଦ୍‌ରୋଗୀ, ରକ୍ତଚାପ ଥିବା ବ୍ୟକ୍ତି, ବୟସ୍କ ଲୋକ, ମଧୁମେହ ରୋଗୀ, ମୋଟାପଣ ଥିବା ବ୍ୟକ୍ତି, ଖୁବ୍‌ ଗରମରେ କାମ କରୁଥିବା ଲୋକ ଆଦି ଖୁବ୍‌ ପ୍ରଭାବିତ ହୋଇଥାନ୍ତି ।  

ଆହୁରି ପଢନ୍ତୁ-ଅଫିସ୍‌ ଚାପରୁ ମୁକ୍ତ କରିବ ଷ୍ଟ୍ରେଚିଂ, ଜାଣନ୍ତୁ କିପରି...

ଲକ୍ଷଣକୁ କରନ୍ତୁନି ଅଣଦେଖା

 ଡାକ୍ତରଙ୍କ ଅନୁସାରେ ଏସିରୁ ବାହାରିବା ପରେ ଯଦି ନିମ୍ନ ଲକ୍ଷଣ ଦେଖା ଦେଉଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଯେପରିକି ଛାତିରେ ଯନ୍ତ୍ରଣା ବା ଚାପ, ଅଧିକ ଝାଳ ବାହାରିବା, ନିଶ୍ୱାସ ନେବାରେ ସମସ୍ୟା, ମୁଣ୍ଡ ବୁଲାଇବା, ହାତ ଓ ପିଠିରେ ଯନ୍ତ୍ରଣା ଓ ଦୁର୍ବଳ ଲାଗି ବେହୋସ ହେବା ଆଦି ।