ନୂଆଦିଲ୍ଲୀ ୦୫/୦୨: ହ୍ୱାଟ୍ସଆପର ଲକ୍ ଚାଟ୍ସ ଫିଚର୍, ଯାହା ମେସେଜ୍‌କୁ ବ୍ୟକ୍ତିଗତ ରଖିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା । ଏବେ ସେହି ଫିଚର୍ ସମ୍ପର୍କରେ ଅବିଶ୍ୱାସ ଓ ଚିନ୍ତା ସୃଷ୍ଟି କରିବାରେ ଲାଗିଛି । ଡିଜିଟାଲ୍ ଯୁଗରେ ଟେକ୍ନୋଲୋଜି ସମ୍ପର୍କକୁ କ୍ରମଶଃ ନିକଟତ୍ତର କରୁଥିବା ବେଳେ କିଛି ଫିଚର୍ସ ଏମିତି ରହିଛି, ଯାହା ଅଜଣତାରେ ମଧ୍ୟ ସମ୍ପର୍କରେ ଫାଟ ସୃଷ୍ଟି କରୁଛି । ପ୍ରାଇଭେସି ରକ୍ଷା କରିବା ଉଦ୍ଦେଶ୍ୟରେ ହ୍ୱାଟ୍ସଆପ୍ ୨୦୨୩ରେ ଲକ୍ ଚାଟ୍ସ ଫିଚର୍ ଆଣିଥିଲା । କିନ୍ତୁ ଏହି ଟୁଲ୍ ଆଜି ଅନେକ ସମ୍ପର୍କରେ ଫାଟ ହେବାର କାରଣ ସାଜିଛି ।

ଏହି ଟୁଲ୍ ସେମାନଙ୍କ ପାଇଁ ଲଞ୍ଚ କରାଯାଇଥିଲା । ଯେଉଁମାନେ ନିଜ ଫୋନ୍‌କୁ ଅନ୍ୟ ସହ ସେୟାର କରିଥାନ୍ତି । ନିଜ କଥାବାର୍ତ୍ତାକୁ ବ୍ୟକ୍ତିଗତ ରଖିବା ପାଇଁ ଏହାର ଉପଯୋଗ କରାଯାଇଥାଏ । ଏହି ଫିଚର୍ରେ ଚାଟ୍ସକୁ ଲକ୍ କରିବାର ସୁବିଧା ରହିଥାଏ, ଯାହାକୁ କେବଳ ପାସ୍‌ୱାର୍ଡ କିମ୍ବା ଫିଙ୍ଗର୍ ପ୍ରିଣ୍ଟରେ ଖୋଲାଯାଇପାରିବ । ଆଜିକାଲି ଫୋନ୍ ପିଲା, ପରିବାର ଅନ୍ୟ ସଦସ୍ୟ ଓ ଅଫିସ୍ ଲୋକଙ୍କ ହାତରେ ପଡିଯାଉଛି । ତେଣୁ ବ୍ୟକ୍ତିଗତ କଥାବାର୍ତ୍ତାକୁ ଦୁନିଆଠାରୁ ଦୂରେଇ ରଖିବା ଜରୁରି ହୋଇପଡିଛି । ଏସବୁ କାରଣ ପାଇଁ ଏହି ଫିଚର୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ସ୍ୱାମୀସ୍ତ୍ରୀ ସମ୍ପର୍କରେ ଏହା ସନ୍ଦେହର ଆଧାର ସାଜୁଛି :

ସୁରକ୍ଷାକୁ ଦୃଷ୍ଟିରେ ରଖି ତିଆରି ହୋଇଥିବା ଏହି ଫିଚର୍ ଏବେ ସମ୍ପର୍କରେ ସନ୍ଦେହକୁ ଜନ୍ମ ଦେବାରେ ଲାଗିଛି । ଏହା ପଛରେ ମନସ୍ତାତ୍ୱିକ କାରଣ ରହିଛି । ଚାଟ୍‌କୁ ଲକ୍ କରିବା ଦ୍ୱାରା ଲୋକଙ୍କୁ ନିଜର ସୀମା ସ୍ଥିର କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଜୀବନସାଥୀଙ୍କୁ ଚାଟ୍ ଲକ୍ କରିବା କଥା ଜଣାପଡିବା ପରେ ତାଙ୍କ ମନରେ ଅସୁରକ୍ଷିତ ଭାବନା ଜାତ ହେବାରେ ଲାଗୁଛି । ସ୍ୱାମୀସ୍ତ୍ରୀଙ୍କ ଭିତରେ ଥିବା ସ୍ୱଚ୍ଛତାଭାବ ନଷ୍ଟ ହେବା ସହ ମନରେ ଅସୁରକ୍ଷା ଭାବ ଜାତ ହେବାରେ ଲାଗିଛି । ଅନେକଙ୍କ କ୍ଷେତ୍ରରେ ସୁରକ୍ଷା ପାଇଁ ଥିବା ଫିଚର୍‌ର ଭୁଲ୍ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । କେହି କେହି ଏହି ଫିଚର୍‌କୁ ମଧ୍ୟ ଧୋକା, ସ୍ୱାର୍ଥପରତା ପାଇଁ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ତେଣୁ ଅବିଶ୍ୱାସ ବଢିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ...ଆପଣ ବି ପ୍ରତିଦିନ ଖଜୁରୀ ଖାଉଛନ୍ତି କି? ମିଳିବ ଏହି ଫାଇଦା...

ଅବିଶ୍ୱାସ ଓ ବଢୁଛି ଦୂରତା :

ସମ୍ପର୍କରେ କଥାବାର୍ତ୍ତା ଓ ସଚ୍ଚୋଟପଣିଆ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ । ଯେତେବେଳେ କୌଣସି ସମ୍ପର୍କରେ ସାଥୀ ନିଜର କଥାବାର୍ତ୍ତାକୁ ପାସ୍‌ୱାର୍ଡ ପଛରେ ଲୁଚାଇବାରେ ଲାଗେ, ତେବେ ସାମ୍ନା ପାର୍ଟନର୍‌କୁ କିଛି ଭୁଲ୍ ଲୁଚାଉଥିବା ପରି ଅନୁଭବ ହୋଇଥାଏ । ଏହି ଅବିଶ୍ୱାସ ଧୀରେ ଧୀରେ ମାନିସକ ଷ୍ଟ୍ରେସ୍ ଓ କଥାବାର୍ତ୍ତା କମ୍ ହେବାର କାରଣ ସାଜିଥାଏ । କିଛି ଲୋକଙ୍କୁ ଏହା ଡିଜିଟାଲ୍ ପ୍ରାଇଭେସି ଲାଗୁଥିବା ବେଳେ ଆଉ କିଛିଙ୍କୁ ଏହା ଧୋକାର ବାଟ ଅନୁଭବ ହୋଇଥାଏ । ସେହିପରି କିଛି ଲୋକଙ୍କୁ ଏହା ସାଧାରଣ ଟୁଲ୍ ଲାଗୁଥିବା ବେଳେ ଆଉ କିଛିଙ୍କୁ ସମ୍ପର୍କରେ ସ୍ୱଚ୍ଛତା ଦୂରାଉଥିବା ରାସ୍ତା ପରି ଅନୁଭବ ହୋଇଥାଏ ।

ସନ୍ତୁଳନ ଜରୁରି :

ଆଜିକାଲି ପ୍ରାୟ ଲୋକଙ୍କ ଜୀବନର ଅଭିନ୍ନ ଅଙ୍ଗ ହୋଇପଡିଛି ସୋସିଆଲ୍ ମିଡିଆ । ଟେକ୍ନୋଲୋଜି କେବଳ ଏକ ମାଧ୍ୟମ, ତେଣୁ ଏହାର ବ୍ୟବହାର କେମିତି କରିବା ଉଚିତ୍, ତାହା ୟୁଜର୍ସଙ୍କୁ ବେଶ୍ ଭଲ ଭାବେ ଜଣାଥିବା ଆବଶ୍ୟକ । ଲକ୍ ଚାଟ୍ସ ଫିଚର୍ ବ୍ୟବହାର ବିଶ୍ୱାସକୁ ବଜାୟ ରଖିବା ସହ କରିବା ଏକ ବରଦାନ । କିନ୍ତୁ ଭୁଲ୍ ବାଟ ଆପଣାଇବା ଦ୍ୱାରା ମଜଭୁତ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇପାରେ ।