ବାଲିଗୁଡ଼ା, ୨୨/୦୭ (ଅସିତ ବେହେରା) : ଘେରି ରହିଛି ଘଞ୍ଚ ଜଙ୍ଗଲ । ପାହାଡ଼ିଆ ରାସ୍ତା । ଖାଲଖମା ମାଳମାଳ । ଭଲ ପାଦଚଲା ରାସ୍ତାଟିଏ ନାହିଁ । ଝାଟିମାଟିର କୁଡ଼ିଆ ଘରେ ଜୀବନ ବିତୁଛି । ଡିବିରି, ମହମବତିରେ ରାତିରେ ଆଲୁଅ ଟିକେ ମିଳେ । ନହେଲେ ଜହ୍ନମାମୁଁ ଭରସା । ଖାଲି ସେତିକି ନୁହେଁ, ପ୍ରାକ୍ ଶିକ୍ଷା, ଆବାସ, ପିଇବା ପାଣି ଭଳି ମୌଳିକ ସୁବିଧା ଟିକିଏ ଏମାନଙ୍କ ସ୍ୱପ୍ନ ପାଲଟିଛି । ଏମିତି ନାହିଁ ନାହିଁର ଗାଁଟିଏ ଦାରିଙ୍ଗବାଡ଼ି ବ୍ଲକ୍ ପର୍ତ୍ତମାହା ପଞ୍ଚାୟତ ସିଦୁପଦର ୱାର୍ଡ ଅନ୍ତର୍ଗତ କାନ୍ଦାରୀ । ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ବଣପାହାଡ଼ ଘେରାରୁ ମୁକୁଳିପାରିନି କାନ୍ଦାରୀ । ପାହାଡ଼ ଉପରେ ଥିବା ଏହି ଗାଁକୁ ବିକାଶ ଆଜି ଯାଏଁ ଛୁଇଁପାରିନି!
କନ୍ଧମାଳ ଜିଲ୍ଲାର କାନ୍ଦାରୀ ପରି ଅନେକ ଗାଁ ଦୁର୍ଗମ ଅଞ୍ଚଳରେ ଥିବାରୁ ବିକାଶ ଅପହଞ୍ଚି ହୋଇ ରହିଛି । ପଞ୍ଚାୟତ ସଦର ମହକୁମାରୁ ପ୍ରାୟ ୨୨ କିମି ଦୂରରେ ପଡ଼େ ଏହି ଗାଁ । ଏଠାକୁ ଯିବାକୁ ହେଲେ ସିନ୍ଦୁପଦରଠାରୁ ପ୍ରାୟ ୫ କିମି ଘଞ୍ଚ ଜଙ୍ଗଲ ଓ ପାହାଡ଼ ଭିତରେ ଚାଲିଚାଲି ଯିବାକୁ ହୁଏ । ବର୍ଷା ହେଲେ ଏହି ଖାଲଢିପ ଭରା ପାଦଚଲା ରାସ୍ତାରେ ଯାଆସ କରିବା ବିପଦସଙ୍କୁଳ ହୋଇପଡ଼େ । ରାସ୍ତା ନ ଥିବାରୁ ଗାଁକୁ ବିକାଶ ଅପହଞ୍ଚ ହୋଇ ରହିଛି । ଏହି ଦୁର୍ଗମ ଗାଁରେ ରହୁଛନ୍ତି ୧୨ଟି ଆଦିବାସୀ ପରିବାର । କୋଟଗଡ଼ ବନାଞ୍ଚଳ ଶ୍ରୀରାମପୁର ରେଞ୍ଜ୍ ଜରିଆରେ ଜଙ୍ଗଲ ଜମି ସିରନାମା ମିଳିଛି । ଅଥଚ ରାସ୍ତା ଅଭାବର ପ୍ରଭାବ ଗାଁର ପ୍ରତ୍ୟେକ କ୍ଷେତ୍ରରେ ପଡ଼ିଛି । ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ରାସନ୍ ଓ ସାମଗ୍ରୀ କିଣିବାକୁ ହେଲେ ଗ୍ରାମବାସୀଙ୍କୁ ଜଙ୍ଗଲ ଓ ପାହାଡ଼ିଆ ରାସ୍ତାରେ ଚାଲି ଦୁରିକୁପୁଡ଼ା ଯିବାକୁ ହୁଏ । ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ପାହାଡ଼ିଆ ଜମିରେ ଚାଷବାସ କରନ୍ତି । ଗାଁରେ ଉତ୍ପାଦିତ ହଳଦୀ, କାନ୍ଦୁଲ, ବିରି, ଧାନ, ମାଣ୍ଡିଆ, ମକା, ଝୁଡ଼ଙ୍ଗ ଆଦି କୃଷିଜାତ ସାମଗ୍ରୀ ବଜାରକୁ ନେଇ ବିକ୍ରି କରିବା ମଧ୍ୟ ସେମାନଙ୍କ ପାଇଁ କାଠିକର । ଫଳରେ ଚାଷ କରି ଅମଳ କରୁଥିଲେ ମଧ୍ୟ ଉପଯୁକ୍ତ ବଜାର ଅଭାବରୁ ଗାଁ ଲୋକେ ଏହାର ଆର୍ଥିକ ଲାଭ ପାଇପାରୁ ନାହାନ୍ତି ।
କାନ୍ଦାରୀ ଗାଁର ପିଲାମାନଙ୍କ ଭବିଷ୍ୟତ ମଧ୍ୟ ରାସ୍ତା ଅଭାବ ଯୋଗୁଁ ପ୍ରଭାବିତ ହେଉଛି । ଗାଁରେ ବିଦ୍ୟାଳୟ ନାହିଁ କି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ନାହିଁ । ଛୋଟ ହୁଅନ୍ତୁ କି ବଡ଼, ପିଲା ପଢ଼ିବା ପାଇଁ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ପ୍ରାୟ ୫ କିଲୋମିଟର ଦୂର ଯିବାକୁ ପଡ଼େ । ବର୍ଷା ଓ ଶୀତ ଦିନରେ ଏହି ସମସ୍ୟା ଆହୁରି ବୃଦ୍ଧି ପାଏ । ଏଭଳି ସ୍ଥିତି ଲାଗି ଅନେକ ପିଲା ନିୟମିତ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସ୍ୱାସ୍ଥ୍ୟସେବା କଥା ମଧ୍ୟ କହିଲେ ନ ସରେ । ଗାଁରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ କିମ୍ବା ଗର୍ଭବତୀଙ୍କୁ ଡାକ୍ତରଖାନା ନେବାର ଆବଶ୍ୟକତା ପଡ଼ିଲେ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ଆସିବା କେବେ ବି ସମ୍ଭବ ହୁଏନି । ରୋଗୀଙ୍କୁ ଭାର ସାହାଯ୍ୟରେ ପାହାଡ଼ିଆ ରାସ୍ତାରେ ଓହ୍ଲାଇ ୫ କିମି ଦୂର ସିନ୍ଦୁପଦର ପର୍ଯ୍ୟନ୍ତ ଆଣିବାକୁ ପଡ଼େ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡ଼ି ଯାଇଥାନ୍ତି ରୋଗୀ, ଗର୍ଭବତୀ । ଜରୁରି ସମୟରେ ଏହି ଯାତାୟାତ ସମସ୍ୟା ରୋଗୀଙ୍କ ପାଇଁ ଜୀବନ ବିପଦର କାରଣ ହୋଇପାରେ ବୋଲି ଗ୍ରାମବାସୀ ଚିନ୍ତା ପ୍ରକଟ କରି ଆସୁଛନ୍ତି । ଆମ୍ବୁଲାନ୍ସ ଭଳି ସରକାରୀ ଆବାସ, ବିଜୁଳି ଆଲୁଅ ଗାଁ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଏହି ଯୋଜନାରୁ ଗ୍ରାମବାସୀ ବଞ୍ଚିତ ରହି ଆସିଛନ୍ତି ।
ଟାଇଲ୍, ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜିବା ସହ ସନ୍ଧ୍ୟାରୁ ସକାଳ ଜହ୍ନ ଆଲୁଅ କିମ୍ବା ମହମବତି, କିରାସିନି ବତୀ ଆଲୁଅରେ ଜୀବନ ବିତାନ୍ତି ଗାଁ ଲୋକ । ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଗାଁକୁ କେବେ ମିଳିବ ତାହା କେହି କହିପାରୁ ନାହାନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅନ୍ତତଃ ଗାଁକୁ ଚଳାଚଳ ଉପଯୋଗୀ ରାସ୍ତାଟିଏ ନିର୍ମାଣ କରାଯାଉ । ରାସ୍ତା ହୋଇଗଲେ ଗାଁ ଲୋକଙ୍କ ଜୀବନଯାପନରେ ବଡ଼ ପରିବର୍ତ୍ତନ ଆସିପାରିବ । ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ମଧ୍ୟ ସୁବିଧା ମିଳିପାରିବ । କାନ୍ଦାରୀର ଏଭଳି ଦୁଃସ୍ଥିତି ସମ୍ପର୍କରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଆମ ପ୍ରତିନିଧି ପଚାରିବାରେ କହିଛନ୍ତି, ଆବାସ ଗୃହ ପାଇଁ ସର୍ଭେରେ ସମସ୍ତଙ୍କ ନାମ ସାମିଲ କରାଯାଇଛି । ଯାଞ୍ଚ୍ ପ୍ରକ୍ରିୟା ଶେଷ ହେବା ପରେ ଯେଉଁ ହିତାଧିକାରୀମାନେ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ନିୟମ ଅନୁଯାୟୀ ଆବାସ ଯୋଗାଇ ଦିଆଯିବ । ଅଞ୍ଚଳବାସୀଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।
ଆହୁରି ପଢନ୍ତୁ- ମୁହଁ ମାଡ଼ି ପଡ଼ିଛି ଏକାମ୍ର ପ୍ରକଳ୍ପ, ୯ଟିରୁ ବନ୍ଦ କରିଦେଲେ ୫ଟି ପ୍ରକଳ୍ପ, ବିନ୍ଦୁସାଗର ପରିକ୍ରମା ଓ ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ହେବନି
ନୟାଗଡ଼ ଜିଲ୍ଲା ବେଲଦ୍ବାର ଗାଁ, ଗେଣ୍ଡାଳିଆଙ୍କ କୁଣିଆ ଘର