ଭୁବନେଶ୍ଵର : ଚୁମ୍ବନ... ପ୍ରେମ ଆଦାନ ପ୍ରଦାନର ଏକ ତରିକା, ଭାବନାର ଅଭିବ୍ୟକ୍ତି, ଏକ ସ୍ୱାଭାବିକ ପ୍ରକ୍ରିୟା। ଚୁମ୍ବନ ଜରିଆରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ପ୍ରତି ନିଜ ଭାବନାକୁ ବ୍ୟକ୍ତ କରିଥାଏ । ଲୋକେ ସାଧାରଣତଃ ଖୁସି ଓ ଭଲପାଇବା ପ୍ରଦର୍ଶନର କରିବାକୁ ଚୁମ୍ବନ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ? କେବେଠୁ ଚୁମ୍ଵନ କରିବା ଶିଖିଲା ମଣିଷ ? ବୈଜ୍ଞାନିକମାନେ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜି ପାଇଛନ୍ତି। ଏହାର ସର୍ବପ୍ରାଚୀନ ପ୍ରମାଣ ମିଳିଛି। 

ଆଜିକୁ ୫୦ ହଜାର ବର୍ଷ ପୂର୍ବେ ମନୁଷ୍ୟ ଚୁମ୍ବନ ବିଷୟରେ ଜାଣିନଥିଲା। ଭଲପାଇବା ଓ ସ୍ନେହକୁ ପରିପ୍ରକାଶ କରିବା ପାଇଁ ଏଭଳି ଏକ ତରିକା ବିଷୟରେ ତା’ର ଜ୍ଞାନ ନ ଥିଲା । ଡେଲି ମେଲ୍‌ର ଏକ ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ୫୦ ହଜାର ବର୍ଷ ପୂର୍ବେ ପ୍ରାଚୀନ ମଣିଷ ନିଜର ନିକଟ ସମ୍ପର୍କୀୟ ନିଅଣ୍ଡରଥାଲ ମାନବଠୁ ଚୁମ୍ବନ ଶିଖିଥିଲା । ନିଅଣ୍ଡରଥାଲ ମାନବ ଯେତେବେଳେ ଅନ୍ୟକୁ ଚୁମ୍ବନ ଦେଲେ, ମଣିଷ ଏହାକୁ ନକଲ କଲା ଏବଂ ଚୁମ୍ବନର ଅଭ୍ୟାସ ମନୁଷ୍ୟଠାରେ ବିକଶିତ ହେଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଫ୍ଲୋରିଡା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଗବେଷକମାନେ କହିଛନ୍ତି, ପ୍ରାଚୀନ ମାନବ ହାରାହାରି ୫୦ ହଜାର ବର୍ଷ ପୂର୍ବେ ପ୍ରଥମେ ଚୁମ୍ବନ ଦେବା ଶିଖିଥିଲେ । ନିଅଣ୍ଡରଥାଲ ମାନବ ମଣିଷର ନିକଟତମ ପୂର୍ବପୁରୁଷ, ଯେଉଁମାନେ ହାରାହାରି ୪ ଲକ୍ଷରୁ ୪୦ ହଜାର ବର୍ଷ ପୂର୍ବେ ୟରୋପ ଓ ପଶ୍ଚିମ ଏସିଆରେ ରହୁଥିଲେ । ପୂର୍ବ ଅଧ୍ୟୟନରୁ ଜଣାପଡ଼େ, ଆମ ପ୍ରଜାତି ହୋମୋ ସାପେନ୍‌ ନିଅଣ୍ଡରଥାଲ ମାନବଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । କାରଣ ଆଜି ବି ଲୋକଙ୍କ ମଧ୍ୟରେ ନିଅଣ୍ଡରଥାଲ ଡିଏନ୍‌ଏ ଜୀବିତ ଅଛି । ତେବେ ଚୁମ୍ବନ ସେମାନଙ୍କ ଶାରୀରିକ ସମ୍ପର୍କର ଅଂଶ ଥିଲା କି ନାହିଁ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।

ଫ୍ଲୋରିଡା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ପ୍ରଫେସର ଓ ଅଧ୍ୟୟନର ଲେଖିକା କ୍ୟାଥରିନ ଟାଲବୋଟ୍‌ କହିଛନ୍ତି, ଚୁମ୍ବନ ଏକ ସାଧାରଣ ଓ ସାର୍ବଭୌମିକ ବ୍ୟବହାର ମନେ ହେଉଥାଇପାରେ । କିନ୍ତୁ ଏହା କେବଳ ୪୬ ପ୍ରତିଶତ ମାନବ ସଂସ୍କୃତିରେ ଦେଖିବାକୁ ମିଳେ । ସାମାଜିକ ମାନଦଣ୍ଡ ମାମଲାରେ ବିଭିନ୍ନ ସମାଜରେ ବ୍ୟାପକ ରୂପେ ଚୁମ୍ବନର ପ୍ରକାର ଭିନ୍ନ ହୋଇଥାଏ । ଏଥିରୁ ପ୍ରଶ୍ନ ଉଠେ ଯେ ଚୁମ୍ବନ କ’ଣ ଏକ ବିକଶିତ ବ୍ୟବହାର ଅଥବା ସାଂସ୍କୃତିକ ଆବିଷ୍କାର? ଆଧୁନିକ ମଣିଷ ପାଇଁ ଚୁମ୍ବନକୁ ସାଧାରଣତଃ ଜଣଙ୍କ ସହ ରୋମାଣ୍ଟିକ୍‌ ସମ୍ପର୍କ ସ୍ଥାପନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମନେକରାଯାଏ । କିନ୍ତୁ ଗବେଷକମାନେ ଚୁମ୍ବନକୁ ‘ଏକ ବିକାଶବାଦୀ ରହସ୍ୟ’ କହନ୍ତି । କାରଣ ଏଥିରେ ରୋଗ ସଂକ୍ରମଣର ବଡ଼ ଆଶଙ୍କା ଥାଏ । ଅନ୍ୟପକ୍ଷେ, ଏହା ଦ୍ୱାରା ପ୍ରଜନନ ପ୍ରକ୍ରିୟାରେ କୌଣସି ସ୍ପଷ୍ଟ ଲାଭ ମିଳେ ନାହିଁ । ଚୁମ୍ବନର ବିକାଶବାଦୀ ଇତିହାସକୁ ଦେଖିବା ମଧ୍ୟ ମୁସ୍କିଲ, କାରଣ ଏହା ସ୍ପଷ୍ଟ ରୂପେ ସେଭଳି ବ୍ୟବହାର ନୁହେଁ ଯାହାକୁ ପ୍ରତ୍ନତାତ୍ତ୍ୱିକ ଅବଶେଷରୁ ନିର୍ଦ୍ଧାରିତ କରାଯାଇ ପାରିବ । ଅଧ୍ୟୟନ ନିମନ୍ତେ ଗବେଷକମାନେ ଆଧୁନିକ ପ୍ରାଇମେଟ୍‌ ପ୍ରଜାତିଙ୍କ ଉପରେ ତଥ୍ୟ ଏକତ୍ର କଲେ । ତନ୍ମଧ୍ୟରୁ ସିମ୍ପାଜି, ବୋନୋବୋସ୍‌ ଓ ଓରାଂଗୁଟାନ ଆଦି ଜୀବଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଅଧ୍ୟୟନର ମଡେଲରୁ ଜଣାପଡ଼ିଲା, ଚୁମ୍ବନର କଳା ମହାନ ବାନରଙ୍କ ପୂର୍ବଜଙ୍କ ମଧ୍ୟରେ ୨.୧୨ କୋଟିରୁ ୧.୬୯ କୋଟି ବର୍ଷ ପୂର୍ବ ମଧ୍ୟରେ ବିକଶିତ ହୋଇଥିଲା । ମହାନ ବାନର ବା ହୋମିନିଡେର ୪ ଜୀବିତ ବର୍ଗ ହେଉଛି ଓରାଂଗୁଟାନ, ଗରିଲା, ପାନ୍‌ (ସିମ୍ପାଜି ଓ ବୋନୋବୋ) ଓ ହୋମୋ (କେବଳ ଆଧୁନିକ ମାନବ) । ଫଳାଫଳରୁ ଆହୁରି ଜଣାପଡ଼ିଲା, ନିଅଣ୍ଡରଥାଲ ମାନବ ନିଜ ସମୟରେ ଚୁମ୍ବନ ସହ ପରିଚିତ ଥିଲା । ଅର୍ଥାତ୍‌ ଏହି ପ୍ରଜାତି ଅନେକ ଲକ୍ଷ ବର୍ଷ ପୂର୍ବରୁ ଚୁମ୍ବନ ଦେବା ଜାଣିଥିଲେ ।