ନୂଆଦିଲ୍ଲୀ,୦୪/୦୬; ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦି କିଛି ପୁରୁଣା କାହାଣୀ କୁହନ୍ତି ଯାହାକୁ କେହି କେବେ ଶୁଣି ନଥିଲେ । ସେ ଏବେ ଏକ ନୂଆ ଖୁଲାସା କରିଛନ୍ତି । ସଦ୍ୟତମ କାହାଣୀଟି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲିଙ୍କ ସହ ଜଡିତ । ସେ କହିଛନ୍ତି, ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ଆରମ୍ଭ ପୂର୍ବରୁ ସେ ନିଜେ ଭାରତୀୟ ଡ୍ରେସିଂ ରୁମକୁ ଯାଇ ବରିଷ୍ଠ ଖେଳାଳିମାନଙ୍କୁ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ଅନୁରୋଧ କରିଥିଲେ । ସମସ୍ତେ ଖେଳାଳି ଏହାକୁ ଏକ ମୂର୍ଖତାପୂର୍ଣ୍ଣ ଖେଳ ବୋଲି କହି ଖେଳିବାକୁ ମନା କରି ଦେଇଥିଲେ । ଆଜି ଟି-ଟ୍ୱେଣ୍ଟି କ୍ରିକେଟ ଏତେ ବଡ଼ ଗେମ୍ ପାଲଟିଛି । ଏହା ଆଗରେ ଟେଷ୍ଟ ଏବଂ ଦିନିକିଆ ଚମକ ଫିକା ପଡିଛି ।
୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ, ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିଲା । ଯେଉଁଠାରେ ସେମାନଙ୍କୁ ୩ଟି ଟେଷ୍ଟ ଏବଂ ୭ଟି ଦିନିକିଆ ମ୍ୟାଚ୍ ଖେଳିବାର ଥିଲା । ଜୁଲାଇ ୧୯ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିଥିବା ଏହି ଗସ୍ତ ସେପ୍ଟେମ୍ବର ୧୧ରୁ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ଆରମ୍ଭ ହେବାର ଥିଲା । ଇଂଲଣ୍ଡ ଗସ୍ତ ପାଇଁ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ବରିଷ୍ଠ ତାରକା ଦଳରେ ଥିଲେ, କିନ୍ତୁ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଚୟନ ହୋଇଥିବା ଦଳରେ ଅନେକ ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତିରେ ଯୁବ ଖେଳାଳି ଥିଲେ । ଏମଏସ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳରେ ବୀରେନ୍ଦ୍ର ସେହୱାଗ, ଯୁବରାଜ ସିଂହ, ଗୌତମ ଗମ୍ଭୀର, ଦିନେଶ କାର୍ତ୍ତିକ, ଆରପି ସିଂହ, ଇରଫାନ ପଠାନ ଏବଂ ଅନ୍ୟାନ ଖେଳାଳି ସାମିଲ ଥିଲେ ।
ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷତାକାର ଦେଇ ଲଳିତ ମୋଦି କହିଛନ୍ତି, ୨୦୦୭ରେ ଯେବେ ଭାରତ ଇଂଲଣ୍ଡ ଗସ୍ତରେ ଥିଲେ ମୁଁ ଡ୍ରେସିଂ ରୁମକୁ ଯାଇ ପ୍ରତ୍ୟେକ ଖେଳାଳିଙ୍କୁ କହିଥିଲି, ଦୟାକରି ତୁମେ ଟି-ଟ୍ୱେଣ୍ଟି ଖେଳି । ସେମାନେ କହିଥିଲେ ଲଳିତ ତୁମେ କଣ ମଜା କରୁଛ କି ? ଏହା କେଉଁ ମୂର୍ଖ ଖେଳ । ଆମେ ଏହାକୁ ଖେଳିବାକୁ ଚାହୁଁନାହୁଁ । ଡ୍ରେସିଂ ରୁମରେ ସମସ୍ତେ ସମାନ କଥା କହିଥିଲେ ।
ଏହା ବି ପଢନ୍ତୁ....ଶଶି ଥରୁର ଓ ସୋନିଆ ଗାନ୍ଧୀଙ୍କୁ ନେଇ ଲଳିତ ମୋଦିଙ୍କ ସଙ୍ଗୀନ ଅଭିଯୋଗ, ଖୋଲିଲେ ୧୬ ବର୍ଷ ପୁରୁଣା ସିକ୍ରେଟ୍
ସେ ଆହୁରି କହିଛନ୍ତି, ବିସିସିଆଇ ମୁଖ୍ୟ ଦଳ, ଭାରତୀୟ ଦଳକୁ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ବିଶ୍ୱକପ ଟି-ଟ୍ୱେଣ୍ଟି ଖେଳିବା ପାଇଁ ପଠାଇ ନଥିଲେ । ସେମାନେ ଏକ ଭିନ୍ନ ଟିମ୍ ପଠାଇଥିଲେ । ଆମେ ଭାରତୀୟ ଦଳକୁ ନ ପଠାଇବା, ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଏକ ନୂଆ ଟିମ୍ ଗଠନ କରିବା । ସମ୍ପୂର୍ଣ୍ଣ ନୂଆ । ତେନ୍ଦୁଲକର, ଦ୍ରାବିଡ, ସୌରଭ ଗାଙ୍ଗୁଲି ସେମାନଙ୍କ ମଧ୍ୟରୁ କେହି ବି ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିନାହାନ୍ତି । ଆପଣ ଏହା ଆଜି ବିଶ୍ୱାସ କରିବେ ନାହିଁ । ଯଦି ଭାରତୀୟ ଦଳକୁ ବିଶ୍ୱକପ କିମ୍ବା କୌଣସି ବିଶ୍ୱକପରେ ଯିବାକୁ ଅଛି, ତେବେ କଣ ତୁମେ ଟିମ୍ ବି ଭାବିବେ ? କଣ ପବ୍ଲିକ୍ ବି ଟିମ୍ ମାନିବେ । କଣ ବୋର୍ଡ ବି ଟିମ୍ ମାନିବେ ?