ସାଇକେଲ ଆମ ପରିବେଶ ଓ ଜୀବନ ହସ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବାୟୁକୁ ସ୍ୱଚ୍ଛ ରଖିବା ସହ ଜଳବାୟୁ ପରିବର୍ତ୍ତନକୁ ଧୀମା କରିବାର ସବୁଠୁ ଶସ୍ତା କିନ୍ତୁ ଶକ୍ତିଶାଳୀ ସାଧନ । ଏହା ଉର୍ଜ୍ଜା ସଞ୍ଚୟ କରେ । ପ୍ରାକୃତିକ ସାଧନର ସଂରକ୍ଷଣ କରେ । ସୁସ୍ଥ ଜୀବନଶୈଳୀକୁ ମାର୍ଗ ଦେଖାଏ । ମୋଟାମୋଟି କହିଲେ, ବର୍ତ୍ତମାନ ବିଶ୍ୱ ଚରମ ଜଳବାୟୁ ପରିବର୍ତ୍ତନ ଘଟଣାର ସମ୍ମୁଖୀନ ହେଉଥିବା ବେଳେ ଏହାର ମୁକାବିଲା ନିମନ୍ତେ ସାଇକେଲ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ । 

ସାଇକେଲର ଯେଉଁ ସ୍ୱରୂପ ଆଜି ଅଛି, ତାହା ଆରମ୍ଭରୁ ନ ଥିଲା । ସମୟ ସହିତ ଏହା ବଦଳିଛି । ସାଇକେଲ ସୃଷ୍ଟିର ଶ୍ରେୟ ଯାଏ ସ୍କଟ୍‌ଲାଣ୍ଡ ବାସିନ୍ଦା ମ୍ୟାକ୍‌ମିଲନଙ୍କୁ । ବିଶ୍ୱ ସାଇକେଲ ଦିବସ ଅବସରରେ ସାଇକେଲ ପ୍ରେମୀଙ୍କ ଦେଶ କିଏ ଏବଂ କେଉଁ ଦେଶ ସର୍ବାଧିକ ସାଇକେଲ ନିର୍ମାଣ କରେ, ଜାଣିବା ।

ନେଦରଲାଣ୍ଡ

ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠି ସାଇକେଲ ଲୋକଙ୍କ ଜୀବନଶୈଳୀର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ତନ୍ମଧ୍ୟରେ ଶୀର୍ଷରେ ଅଛି ନେଦରଲାଣ୍ଡ । ସୁଦୃଢ଼ ସାଇକେଲ ଚାଳନା ସଂସ୍କୃତି ଓ ଉତ୍ତମ ମୌଳିକ ଭିତ୍ତିଭୂମି ପାଇଁ ଏହା ପରିଚିତ । ଯାତାୟାତର ପ୍ରମୁଖ ସାଧନ ରୂପେ ଏଠାରେ ସାଇକେଲ ସର୍ବାଧିକ ଉପଯୋଗ ହୁଏ । ବିଶ୍ୱର ସବୁଠୁ ପ୍ରସିଦ୍ଧ ସାଇକେଲ-ଅନୁକୂଳ ଦେଶ ଭାବେ ଏହା ପରିଚିତ । ଏଠାରେ ସାଇକେଲ ସଂଖ୍ୟା ଲୋକସଂଖ୍ୟାଠୁ ଅଧିକ । ଏଠାରେ ସାଇକେଲ ଏତେ ଲୋକପ୍ରିୟ ଯେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରାୟତଃ ସାଇକେଲରେ କାର୍ଯ୍ୟାଳୟକୁ ଆସନ୍ତି । ନେଦରଲାଣ୍ଡର ଆମ୍‌ଷ୍ଟର୍ଡମ୍‌ରେ ସାଇକେଲ ଆରୋହୀ ରାଜ୍‌ କରନ୍ତି । ଡଚ୍‌ବାସୀ ସାଇକେଲ ଚଳାନାକୁ ନିଜର ଜନ୍ମସିଦ୍ଧ ଅଧିକାର ମାନନ୍ତି । ସାଇକେଲକୁ ନେଇ ଏମାନେ ନିରନ୍ତର ସାମାଜିକ ଓ ନ୍ୟାୟିକ ସକ୍ରିୟତା ପ୍ରଦର୍ଶନ କରିଛନ୍ତି । ସାଇକେଲ ଚାଳନା ପାଇଁ ଦେଶରେ ସ୍ୱତନ୍ତ୍ର ମାର୍ଗ ରହିଛି । ଏକ ଆକଳନ ଅନୁସାରେ, ନେଦରଲାଣ୍ଡର ଜନସଂଖ୍ୟା ୧.୭ କୋଟି । କିନ୍ତୁ ସାଇକେଲ ସଂଖ୍ୟା ୨ କୋଟିରୁ ଅଧିକ ।

ଡେନ୍‌ମାର୍କ

ଡେନ୍‌ମାର୍କର ରାଜଧାନୀ କୋପେନହେଗନକୁ ବିଶ୍ୱର ସାଇକେଲ ରାଜଧାନୀ କୁହାଯାଏ । ଏଠାରେ ହାରାହାରି ୫୨% ଲୋକ ନିୟମିତ ସାଇକେଲ ଚଳାନ୍ତି । ଡେନ୍‌ମାର୍କବାସୀଙ୍କ ପାଇଁ ସାଇକେଲ କେବଳ ଏକ କ୍ରୀଡ଼ା ନୁହେଁ, ବରଂ ଜୀବନର ଏଭଳି ଅଭିନ୍ନ ଅଙ୍ଗ ଯାହା ମୌଳିକ ଭିତ୍ତିଭୂମି, ବ୍ୟବହାରିକତା ଓ ନିରନ୍ତରତାକୁ ପ୍ରେରିତ କରେ । କୋପେନହେଗନରେ ୪୦୦ କିମିରୁ ଅଧିକ ସାଇକେଲ ଟ୍ରାକ୍‌ ରହିଛି । ଖାସ୍‌ ସାଇକେଲ ଆରୋହୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା ରହିଛି ।

ଚୀନ୍‌

ଚୀନ୍‌ ପାଇଁ ସାଇକେଲର ମହତ୍ୱ ଐତିହାସିକ, ଆର୍ଥିକ ଓ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ଗଭୀର । ଦିନେ ସାଇକେଲର ସାମ୍ରାଜ୍ୟ ରୂପେ ପରିଚିତ ଚୀନ୍‌ରେ ପରିବହନର ମୁଖ୍ୟ ସାଧନ ଥିଲା ସାଇକେଲ । ଆଜି ଏହା ଦେଶର ଅଙ୍ଗାରକ-ମୁକ୍ତ ଲକ୍ଷ୍ୟ, ବିନିର୍ମାଣ ଉଦ୍ୟୋଗ ଓ ସହରୀ ଯାତାୟାତ ସୁଧାରର ଫୋକସ୍‌ରେ ରହିଛି । ଚୀନ୍‌ ବିଶ୍ୱର ସର୍ବବୃହତ ସାଇକେଲ ଉତ୍ପାଦନ ଓ ରପ୍ତାନି କରୁଥିବା ଦେଶ । ଦେଶର ଅର୍ଥବ୍ୟବସ୍ଥାରେ ଏହି ଉଦ୍ୟୋଗର ବଡ଼ ଯୋଗଦାନ ରହିଛି । ବର୍ଷକୁ ଏହା ୧୦ କୋଟିରୁ ଅଧିକ ସାଇକେଲ ଉତ୍ପାଦନ କରେ । ୨୦୨୫ରେ ଏହା ପ୍ରାୟ ୪.୯ କୋଟି ସାଇକେଲ ରପ୍ତାନି କରିଛି ।

ବେଲଜିୟମ୍‌

ବେଲଜିୟମ୍‌ ପାଇଁ ସାଇକେଲ ଚାଳନା କେବଳ ଏକ ସଉକ ନୁହେଁ, ବରଂ ସଂସ୍କୃତି ଓ ଜୀବନଶୈଳୀର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ପରିବେଶ ସଂରକ୍ଷଣ, ସ୍ୱାସ୍ଥ୍ୟ ଓ ଉତ୍ତମ ଯାତାୟାତର ପ୍ରମୁଖ ସାଧନ । ଏଠାରେ ଲକ୍ଷ ଲକ୍ଷ ଲୋକ ଦୈନନ୍ଦିନ ଯାତ୍ରା ପାଇଁ ସାଇକେଲ ବ୍ୟବହାର କରନ୍ତି । ଭିଡ଼ପୂର୍ଣ୍ଣ ସହରରେ ସମୟ ବଞ୍ଚାଇବା ଓ ଟ୍ରାଫିକ୍‌ରୁ ରକ୍ଷା ପାଇବାର ଏହା ସର୍ବୋତ୍କୃଷ୍ଟ ବିକଳ୍ପ । ଏଠାରେ ସାଇକେଲ ଆରୋହୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମର୍ପିତ ସାଇକେଲ ଟ୍ରାକ୍‌, ସୁରକ୍ଷିତ ଲେନ୍‌ ଓ ଅଲଗା ସିଗ୍‌ନାଲ ବ୍ୟବସ୍ଥା ରହିଛି । ପର୍ଯ୍ୟଟକ ଦେଶର ସୁନ୍ଦର ଗ୍ରାମାଞ୍ଚଳ ଓ ଐତିହାସିକ ସହର ଦେଖିବା ପାଇଁ ସାଇକେଲର ସାହାରା ନିଅନ୍ତି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଏହା ସବୁଠୁ ଲୋକପ୍ରିୟ ଉପାୟ । ବେଲଜିୟମ୍‌ ସରକାର ମଧ୍ୟ ସବୁଜ ଶକ୍ତି ଓ ପରିବେଶ-ଅନୁକୂଳ ସାଧନର ପ୍ରୋତ୍ସାହନ ନିମନ୍ତେ ସାଇକେଲ ଚାଳନାକୁ ଗୁରୁତ୍ୱ ଦେଉଛନ୍ତି ।

ଜାପାନ

ଜାପାନରେ ସାଇକେଲ ଯାତାୟାତ ଓ ଦୈନନ୍ଦିନ ଜୀବନର ଅଭିନ୍ନ ଅଂଶ । ସମୟ ବଞ୍ଚାଇବା ଓ ପରିବେଶକୁ ସ୍ୱଚ୍ଛ ରଖିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏଠାରେ ଲୋକେ କର୍ମସ୍ଥଳୀ, ପିଲାଙ୍କୁ ସ୍କୁଲ ଛାଡ଼ିବା କିମ୍ବା ସପିଂ ପାଇଁ ବ୍ୟାପକ ସାଇକେଲ ବ୍ୟବହାର କରନ୍ତି । ଏଠାରେ ‘ମାମାଚାରୀ’ ନାମକ ସାଇକେଲ ଖୁବ୍‌ ଲୋକପ୍ରିୟ, ଯାହାର ଅର୍ଥ ମା’ର ସାଇକେଲ । ଦେଶର ଅଧିକ ଜନବହୁଳ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟାରୁ ରକ୍ଷା ପାଇବାର ସାଇକେଲ ସବୁଠୁ ଭଲ ବିକଳ୍ପ । ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ପରିବେଶକୁ ସବୁଜ ରଖିବା ପାଇଁ ସାଇକେଲ ଏଠାରେ ମୁଖ୍ୟ ଭୂମିକା ନିର୍ବାହ କରୁଛି । ଦେଶର ଦର୍ଶନୀୟ ସ୍ଥଳୀ ଓ ପ୍ରାକୃତିକ ଦୃଶ୍ୟର ଆନନ୍ଦ ନେବା ପାଇଁ ସାଇକେଲ ଭଲ ସାଧନ । ଏଠାରେ ପ୍ରତ୍ୟେକ ନୂଆ ସାଇକେଲର ଥାନାରେ ପଞ୍ଜିକରଣ ଅନିବାର୍ଯ୍ୟ । ଅନେକ ସ୍ଥାନରେ ସାଇକେଲ ଚାଳକଙ୍କ ପାଇଁ ବୀମା କରିବା ବି ଅନିବାର୍ଯ୍ୟ ।

ଜର୍ମାନୀ

ଜର୍ମାନୀରେ ପରିବହନ, ପରିବେଶ ସଂରକ୍ଷଣ ଓ ସ୍ୱାସ୍ଥ୍ୟର ପ୍ରମୁଖ ସାଧନ ସାଇକେଲ । ଦେଶର ମୋଟ୍‌ ଜନସଂଖ୍ୟା (୮ କୋଟିରୁ ଅଧିକ) ପାଖରେ ହାରାହାରି ୭.୨ କୋଟି ସାଇକେଲ ରହିଛି । ଅଙ୍ଗାରକ ନିର୍ଗମନ ହ୍ରାସ ଲାଗି ଜର୍ମାନୀ ‘କ୍ଲାଇମେଟ୍‌ ଆକ୍ସନ୍‌ ପ୍ଲାନ୍‌’ ଉପରେ କଡ଼ାକଡ଼ି କାମ କରୁଛି । ସାଇକେଲ ଏଥିପାଇଁ ସର୍ବୋତ୍କୃଷ୍ଟ ଓ ଶୂନ୍ୟ-ନିର୍ମଗନ ବିକଳ୍ପ । ଦେଶରେ ବିଶ୍ୱର ସବୁଠୁ ଜଟିଳ ଓ ବିସ୍ତୃତ ସାଇକେଲ ଟ୍ରାକ୍‌ ନେଟ୍‌ୱର୍କ ରହିଛି । ସହରରେ ସାଇକେଲ ଚାଳକଙ୍କ ପାଇଁ ଅଲଗା ଲେନ୍‌ ଓ ଟ୍ରାଫିକ୍‌ ସଗ୍‌ନାଲ ରହିଛି । ଦେଶବାସୀ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ସଚେତନ । ସେଥିପାଇଁ ସେମାନେ ସାଇକେଲକୁ ପ୍ରାଧାନ୍ୟ ଦିଅନ୍ତି । ସୁରକ୍ଷିତ ସାଇକେଲ ଚାଳନା ପାଇଁ ଦେଶର ସରକାର କଠୋର ନିୟମ ଲାଗୁ କରିଛନ୍ତି । ସାଇକେଲ ଚାଳନା ବେଳେ ହେଲମେଟ୍‌ ପିନ୍ଧିବା ଆଇନଗତ ଭାବେ ଅନିବାର୍ଯ୍ୟ ।