ଡ୍ରାମା ଦେଖିବାକୁ ଯାଇଥିବା ବେଳେ ଘରୁ ସୁନା ଅଳଙ୍କାର ସହ କୁକୁଡ଼ା ଚୋରି କରିନେଲେ ଚୋର

ଜଗତସିଂହପୁର,୭/୦୩: ଗଣ୍ଡକିପୁର (କାବଲପୁର )ରୁ ୫ ଟି କୁକୁଡ଼ା ସହ ସୁନା ଗହଣା ଚୋରି ଅଭିଯୋଗ ସାମ୍ନାକୁ ଆସିଛି। ନିକଟରେ ଗ୍ରାମରେ ଡ୍ରାମା ପ୍ରତିଯୋଗିତା ଦେଖିବାକୁ ପରିବାର ସହ ଯାଇଥିଲେ ବିକାଶ ସ୍ୱାଇଁ। ରାତି ୩ଟାରେ ଫେରିବା ପରେ ଘରର ଏକ ପାଞ୍ଚ ଇଞ୍ଚିଆ କାନ୍ଥ ତଡା ହୋଇଥିବା ଦେଖିଥିଲେ। ବିକାଶଙ୍କ ପତ୍ନୀଙ୍କ ସୁନା କାନଫୁଲ, ମଙ୍ଗଳସୂତ୍ର, ପାଉଁଜି ଓ ନଗଦ ୧୨ହଜାର ଟଙ୍କା ଗାଏବ ହୋଇଯାଇଥିଲା l ଘରୁ ୫ ଟି କୁକୁଡ଼ା ବି ନଥିଲା। ଏମିତିକି ଘରେ ରକ୍ତ ଛିଟା ସହ କୁକୁଡ଼ା ଲମ ମିଳିଥିଲା।
ରକ୍ତର ଛିଟା ସେଇ ଗାଁର ନିର୍ଦ୍ଧିଷ୍ଟ ଜଣେ ଲୋକର ଘର ପର୍ଯ୍ୟନ୍ତ ପଡିଥିବାରୁ ଗାଁ ଲୋକଙ୍କୁ ଡାକି ଦେଖାଇଥିଲେ ବିକାଶ l ଏହି ବ୍ୟକ୍ତିଙ୍କ ନାମରେ ଆଗରୁ କୋଇଲା ଚୋରିର ମାମଲା ଅଛି l ତେଣୁ କୁକୁଡ଼ା ସହ ଗହଣା ଚୋରି ପଛରେ ସମ୍ପୃକ୍ତ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରି କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ବିକାଶl