ନୂଆଦିଲ୍ଲୀ, ୭।୧: ଆମେରିକାର ବଡ଼ ପ୍ଲାନ୍ । ଗ୍ରୀନଲ୍ୟାଣ୍ଡରେ ବିଶାଳ ସାମରିକ ବେସ୍ ଗଢ଼ିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ । ଗ୍ରୀନଲ୍ୟାଣ୍ଡକୁ ଅଧିଗ୍ରହଣ କରିବା ପାଇଁ ବିଭିନ୍ନ ବିକଳ୍ପ ଖୋଜୁଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ କିଣିବା ପ୍ରସ୍ତାବ କେବଳ ଏକ ବ୍ୟାପାରିକ ଚୁକ୍ତି ନୁହେଁ ବରଂ, ଏହା ପଛରେ ରହିଛି ଏକ ବଡ଼ ସାମରିକ ଅଭିଯାନ । ଯାହାକୁ ବିରୋଧ କରୁଛନ୍ତି ୟୁରୋପୀୟ ଦେଶସ । ଟ୍ରମ୍ପ ପ୍ରଶାସନ ଏହି ଦ୍ୱୀପକୁ ଆମେରିକାର ପ୍ରତିରକ୍ଷା କବଚ ଭାବେ ଗଢ଼ିବାକୁ ଯୋଜନା କରୁଛି । ଟ୍ରମ୍ପ ଗ୍ରୀନଲ୍ୟାଣ୍ଡରେ ଆମେରିକାର ସାମରିକ ଉପସ୍ଥିତିକୁ ବହୁଗୁଣିତ କରିବାକୁ ଚାହୁଁଛନ୍ତି । ଏଠାରେ ନୂତନ ଏୟାରବେସ୍ ଏବଂ ନୌସେନା ବନ୍ଦର ନିର୍ମାଣ କରି ଆର୍କଟିକ୍ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବା ଟ୍ରମ୍ପଙ୍କ ମୁଖ୍ୟ ଲକ୍ଷ୍ୟ । ଆର୍କଟିକ ଅଞ୍ଚଳରେ ରୁଷର ବଢ଼ୁଥିବା ସାମରିକ ଶକ୍ତି ଏବଂ ଚୀନ୍ ର “ପୋଲାର ସିଲ୍କ ରୋଡ୍” ଯୋଜନାକୁ ବାଧା ଦେବା ପାଇଁ ଗ୍ରୀନଲ୍ୟାଣ୍ଡକୁ ଏକ ‘ଷ୍ଟ୍ରାଟେଜିକ୍ ଗେଟୱେ’ ଭାବେ ବ୍ୟବହାର କରିବାକୁ ଆମେରିକା ଯୋଜନା କରିଛି । ଗ୍ରୀନଲ୍ୟାଣ୍ଡ ହାସଲ କରିବା ଆମେରିକାର ଏକ ଜାତୀୟ ସୁରକ୍ଷା ପ୍ରାଥମିକତା ଏବଂ ଆର୍କଟିକ ଅଞ୍ଚଳରେ ଆମର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ନିବୃତ୍ତ କରିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଟ୍ରମ୍ପ ।

ଗ୍ରୀନଲ୍ୟାଣ୍ଡରେ ଥିବା ଆମେରିକାର ‘ଥୁଲେ ଏୟାର ବେସ୍’ର ଆଧୁନିକୀକରଣ କରିବା ସହ ସେଠାରେ ଶକ୍ତିଶାଳୀ ରାଡାର ଏବଂ ମିସାଇଲ୍ ଇଣ୍ଟରସେପ୍ଟର ଲଗାଇବାକୁ ଟ୍ରମ୍ପ ଯୋଜନା କରୁଛନ୍ତି । ଯାହା ଦ୍ୱାରା ଉତ୍ତର ଗୋଲାର୍ଦ୍ଧରୁ ଆସୁଥିବା ଯେକୌଣସି ଆକ୍ରମଣକୁ ରୋକାଯାଇପାରିବ । ବରଫ ତରଳିବା ଯୋଗୁଁ ଆର୍କଟିକରେ ସୃଷ୍ଟି ହେଉଥିବା ନୂଆ ବାଣିଜ୍ୟିକ ଜଳପଥ ଉପରେ ସାମରିକ ନିୟନ୍ତ୍ରଣ ରଖିବାକୁ ଗ୍ରୀନଲ୍ୟାଣ୍ଡକୁ ନିଜ ଅଧୀନକୁ ଆଣିବାକୁ ଟ୍ରମ୍ପ ଜିଦ୍ ଧରିଛନ୍ତି ।

ଅନ୍ୟପଟେ ୟୁରୋପୀୟ ସଂଘ ଏକ ମିଳିତ ବିବୃତିରେ କହିଛି ଯେ, ଟ୍ରମ୍ପଙ୍କ ଏହି ସାମରିକ ଯୋଜନା ବିଶ୍ୱ ଶାନ୍ତି ପାଇଁ ବିପଦ । ଗ୍ରୀନଲ୍ୟାଣ୍ଡକୁ ସାମରିକ ଆଡ୍ଡାରେ ପରିଣତ କଲେ ଏହା ରୁଷ ଓ ଆମେରିକା ମଧ୍ୟରେ ଏକ ନୂଆ ‘ଶୀତଳ ଯୁଦ୍ଧ’ ଆରମ୍ଭ କରିବ । ଡେନମାର୍କ ସ୍ପଷ୍ଟ କହିଛି, ସାମରିକ ସ୍ୱାର୍ଥ ପାଇଁ ଜଣେ ବନ୍ଧୁ ରାଷ୍ଟ୍ରର ଅଞ୍ଚଳକୁ ଜବରଦସ୍ତି କିଣିବା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ । ଗ୍ରୀନଲ୍ୟାଣ୍ଡ ସରକାର କହିଛି ଯେ "ଆମ ଦେଶ ବିଷୟରେ ଆମେରିକାର ଦାବି" ଉପରେ ଆଲୋଚନା କରିବା ପାଇଁ ସେ ଆମେରିକାର ବୈଦେଶିକ ବିଭାଗକୁ ବୈଦେଶିକ ସଚିବ ମାର୍କୋ ରୁବିଓ, ଗ୍ରୀନଲ୍ୟାଣ୍ଡର ବୈଦେଶିକ ବ୍ୟାପାର ଏବଂ ଗବେଷଣା ମନ୍ତ୍ରୀ ଭିଭିଆନ ମୋଟଜଫେଲ୍ଡ ଏବଂ ଡେନମାର୍କ ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ୍କେ ରାସମୁସେନଙ୍କ ସହିତ ଏକ "ଜରୁରୀ" ବୈଠକ ପାଇଁ ଅନୁରୋଧ କରିଛନ୍ତି ।