ଇଂଲଣ୍ଡରେ ପାଠପଢା,ଗାନ୍ଧି ପରିବାରର ଖୁବ୍ ଘନିଷ୍ଠ : ଜାଣନ୍ତୁ ଗେହଲଟ୍ ସରକାରଙ୍କୁ ଚେତାବନୀ ଦେଇଥିବା ଦିବ୍ୟା ମଦରେଣା କିଏ ?

ଜୟପୁର,୧୬।୩: ରାଜସ୍ଥାନର ଓସିଆରୁ କଂଗ୍ରେସ ବିଧାୟକ ଥିବା ଦିବ୍ୟା ମଦରେଣା ବୁଧବାର ବିଧାନସଭାରେ ଗେହଲଟ୍ ସରକାରଙ୍କୁ ଜୋରଦାର ଟାର୍ଗେଟ କରି ଏବେ ଚର୍ଚ୍ଚାରେ ଅଛନ୍ତି। ସେ କହିଥିଲେ, ସରକାର ପ୍ରତିଶୋଧର ରାଜନୀତି କରୁଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିଶୋଧ ନେବାର ମନୋବୃତ୍ତିକୁ ବନ୍ଦ କରିବା ଦରକାର। ମୁଁ ଦ୍ରୌପଦୀ ନୁହେଁ… ମୋତେ ନିଜର ରକ୍ଷା ପାଇଁ ବାହାରୁ ଶ୍ରୀକୃଷ୍ଣଙ୍କ ଆବଶ୍ୟକତା ରହିଛି। ମୁଁ ଯଦି ଧାରଣରେ ବସେ ତେବେ ହାତ ଧରି ମଧ୍ୟ ଉଠାଇ ପାରିବନି। ଆପଣ ମିଣା ସମାଜର ନେତାଙ୍କୁ ଆତଙ୍କବାଦୀ କହିଲେ, ଜାଟ ସମାଜର ଝିଅଙ୍କ ଚରିତ୍ରକୁ ଆକ୍ଷେପ କଲେ। ମୁଁ ଯେତେବେଳେ ଆତଙ୍କୀ କହିବାକୁ ବିରୋଧ କଲି ମୋ ଅଞ୍ଚଳର ୪୪ଟି ସଡକର ପ୍ରୋଜେକ୍ଟକୁ ରଦ୍ଦ କରିଦେଲେ। ଏହାପରେ ସେ ପ୍ରିୟଙ୍କା ଗାନ୍ଧିଙ୍କ ସ୍ଲୋଗାନକୁ ଦୋହରାଇ କହିଥିଲେ, ମୁଁ ଝିଅ, ଲଢିପାରିବି।’ ଉଲ୍ଲେଖନୀୟ ଯେ, ଦିବ୍ୟାଙ୍କର ଗାନ୍ଧି ପରିବାର ସହିତ ଖୁବ୍ ଘନିଷ୍ଠ ସମ୍ପର୍କ ରହିଛି।

ଦିବ୍ୟା ମଦରେଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ। ଦିବ୍ୟାଙ୍କୁ ବହୁବାର ରାହୁଲଙ୍କ ସହିତ ଚାଲୁଥିବାର ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଦିବ୍ୟା ମଧ୍ୟ ସୋନିଆ ଗାନ୍ଧିଙ୍କର ମଧ୍ୟ ଖୁବ୍ ନିକଟତର। ଦିଲ୍ଲୀରେ ସୋନିଆଙ୍କ ସହିତ ତାଙ୍କ ସାକ୍ଷାତ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଦିବ୍ୟା ରାଜସ୍ଥାନର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ବାପା ହେଉଛନ୍ତି କଂଗ୍ରେସ ନେତା ମହିପାଲ ମଦରେଣା ଓ ମା’ ହେଉଛନ୍ତି ଲୀଲା ମଦରେଣା। ମହିପାଲ ବହୁ ଚର୍ଚ୍ଚିତ ଭଂବରୀ ଦେବୀ ହତ୍ୟାକାଣ୍ଡ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ । ରାଜସ୍ଥାନର ଜଳ ସଂସାଧନ ମନ୍ତ୍ରୀ ଥିବା ବେଳେ ଏଏନ୍ଏମ୍ ଭଂବରୀ ଦେବୀଙ୍କ ଅପହରଣ କରାଯାଇ ହତ୍ୟା କରାଯାଇଥିଲା । ଏହି ମାମଲାରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏହି ମାମଲାରେ ସେ ୧୦ ବର୍ଷ ଜେଲରେ ରହିବା ସହ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘୋର ବିରୋଧୀ। ଦିବ୍ୟାଙ୍କ ଜେଜେବାପା ହେଉଛନ୍ତି ପରସରାମ ମଦରେଣା, ଯିଏକି ଜଣେ ଜାଟ୍ ନେତା ଓ ମନ୍ତ୍ରୀ ଥିଲେ। ଦିବ୍ୟା ଲଣ୍ଡନ ୟୁନିଭର୍ସିଟି ଅଫ୍ ନଟିଂହାମରୁ ଇକୋନୋମିକ୍ସରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ କରିଛନ୍ତି।ମାତ୍ର ୨୬ ବର୍ଷରେ ସେ ଓସିଆରେ ପରିଷଦ ନିର୍ବାଚନକୁ ସଫଳତାର ସହ ଲଢିଥିଲେ। ସେଭଳି ୨୦୧୮ ରେ ସେ ଓସିଆ ସିଟ୍ରୁ ପ୍ରଥମ ଥର ବିଧାୟକ ହୋଇଥିଲେ।