ଜେଫ୍ରି ହିଣ୍ଟନଙ୍କୁ ୨୦୨୪ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଡ଼ମ୍ବନାର ବିଷୟ ହେଉଛି, କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ‘ଗଡ୍ଫାଦର’ ତାଙ୍କ ନିଜ ସୃଷ୍ଟି ବିରୁଦ୍ଧରେ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଥିଲେ । ଷ୍ଟକହୋମରେ ନୋବେଲ ପୁରସ୍କାର ଭାଷଣ (୧୦ ଡିସେମ୍ବର ୨୦୨୪)ରେ ହିଣ୍ଟନ କହିଥିଲେ "ଦୁର୍ଭାଗ୍ୟବଶତଃ, ଏଆଇ’ରେ ଦ୍ରୁତ ପ୍ରଗତି ଅନେକ କ୍ଷଣସ୍ଥାୟୀ ବିପଦ ସହିତ ଆସିଥାଏ । ଏହାକୁ ପୂର୍ବରୁ କ୍ଷମତାଧାରୀ ସରକାରମାନେ ବ୍ୟାପକ ନଜର ରଖିବା ପାଇଁ ଏବଂ ସାଇବର ଅପରାଧୀମାନେ ଫିସିଂ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ।
ଖୁବ୍ଶୀଘ୍ର ଏଆଇ’କୁ ଭୟଙ୍କର ନୂତନ ଭାଇରସ ଏବଂ ଭୟଙ୍କର ଘାତକ ଅସ୍ତ୍ରଶସ୍ତ୍ର ସୃଷ୍ଟି କରିବାକୁ ବ୍ୟବହାର କରାଯାଇପାରେ । କାହାକୁ ମାରିବେ କିମ୍ବା ପଙ୍ଗୁ କରିବେ ସେ ସମ୍ପର୍କରେ ନିଜେ ନିଷ୍ପତ୍ତି ନିଅନ୍ତି । ଆମ ପାଖରେ ବର୍ତ୍ତମାନ ପ୍ରମାଣ ଅଛି ଯେ, ସ୍ୱାର୍ଥପର କମ୍ପାନୀ ଯଦି ଏଆଇ ସୃଷ୍ଟି କରିବେ, ତେବେ ଆମର ସୁରକ୍ଷା ସେମାନେ ବିଚାର କରିବେ ନାହିଁ । ଏ କଥାଗୁଡ଼ିକ ବିଜ୍ଞାନର କାଳ୍ପନିକ କାହାଣୀ ନୁହେଁ, ନିରାଟ ସତ ।
ଜେଫ୍ରି ହିଣ୍ଟନ ଗୁଗୁଲ କମ୍ପାନୀ ସହିତ ଏକ ଦଶନ୍ଧି ରହିବା ପରେ ମେ’ ୨୦୨୩ରେ ଗୁଗୁଲରୁ ଇସ୍ତଫା ଦେଇଥିଲେ ଏବଂ ଏଆଇ’ର ବିପଦ ବିଷୟରେ କହିବା ଆରମ୍ଭ କରିଥିଲେ। ପୂର୍ବତନ ଗୁଗୁଲ୍ ବୈଜ୍ଞାନିକ ସତର୍କ କରାଇ ଦେଇଥିଲେ, ଯଦି ଏଆଇର ଅଭିବୃଦ୍ଧିକୁ ନିୟନ୍ତ୍ରଣ କରାନଯାଏ ତେବେ ମାନବ ଜାତିକୁ ନଷ୍ଟ କରିବାର ୨୦ପ୍ରତିଶତ ସମ୍ଭାବନା ଅଛି । ହିଣ୍ଟନ୍ ଦୁଃଖ ପ୍ରକାଶ କରିଥିଲେ- ମୁଁ ଏଆଇ’ର ସୁରକ୍ଷା ସମସ୍ୟା ବିଷୟରେ ଆଗରୁ ଚିନ୍ତା କରିବା ଉଚିତ ଥିଲା ।
କୃତ୍ରିମ ବୁଦ୍ଧିମତ୍ତାର ଶକ୍ତି: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ହେଉଛି ମେସିନରେ ମାନବ ବୁଦ୍ଧିମତ୍ତାର ଅନୁକରଣ, ଯାହା ସେମାନଙ୍କୁ ଶିଖିବା, ଯୁକ୍ତି କରିବା, ଅନୁଭବ କରିବା, ସମସ୍ୟା ସମାଧାନ କରିବା ଏବଂ ମାନବ କ୍ଷମତା ବାହାରେ ନିଷ୍ପତ୍ତି ନେବାରେ ସମର୍ଥ କରିଥାଏ । ଏହା ଭର୍ଚୁଆଲ୍ ଆସିଷ୍ଟାଣ୍ଟ (ସିରି, ଆଲେକ୍ସା), ସର୍ଚ୍ଚ ଇଞ୍ଜିନ୍, ନେଟଫ୍ଲିକ୍ସ, ୟୁଟ୍ୟୁବ୍ ଏବଂ ସ୍ୱୟଂଚାଳିତ କାର୍ ସୃଷ୍ଟି କରିଛି । ଏଆଇ ମେସିନ୍ ଲର୍ଣ୍ଣିଂ(ଏମଏଲ) ଏବଂ ଡିପ୍ ଲର୍ଣ୍ଣିଂ (ଡିଏଲ) ସୃଷ୍ଟି କରେ । ଏହା ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (ଏନଏଲପି), ଚାଟ୍ଜିପିଟି ଭଳି ସ୍ମାର୍ଟ ସିଷ୍ଟମ୍, ମାନବ ଭାଷା (ଚାଟ୍ବଟ୍, ଅନୁବାଦ) ଏବଂ ସୁରକ୍ଷା ବ୍ୟବସ୍ଥାରେ ମୁହଁ ଚିହ୍ନଟ କରିବାକୁ ସୁବିଧା ଦିଏ । ଏଆଇ ଦକ୍ଷତା ବୃଦ୍ଧି କରେ, ନୂତନ ସମ୍ଭାବନା ସୃଷ୍ଟି କରେ ଏବଂ ଦୈନନ୍ଦିନ ଜୀବନରେ ସ୍ୱୟଂଚାଳିତ କାର୍ଯ୍ୟଗୁଡ଼ିକୁ ଏକୀକୃତ କରେ ।
ଏଆଇ’ର ବିପଦ: ଏଆଇ’ର ବିପଦ ମଧ୍ୟରେ ଚାକିରି କ୍ଷୟ, ଗୁପ୍ତ ନିରୀକ୍ଷଣ, ଫିସିଂ, ଭୁଲ୍ ସୂଚନା, ଗୋପନୀୟତା ଉଲ୍ଲଂଘନ, ଅପବ୍ୟବହାର ଏବଂ ସାଇବର ଆକ୍ରମଣ ଯୋଗୁଁ ସୁରକ୍ଷାରେ ବିପଦ ଭଳି ଗମ୍ଭୀର ବିପଦ ଅନ୍ତର୍ଭୁକ୍ତ । ଦୀର୍ଘକାଳୀନ ଅସ୍ତିତ୍ୱଗତ ବିପଦ ଅନିୟନ୍ତ୍ରିତ ହୋଇପାରେ, ଏଥିପାଇଁ ଜରୁରି ବିଶ୍ୱ ଶାସନ ଏବଂ ସୁରକ୍ଷା ଗବେଷଣା ଆବଶ୍ୟକ । ଆତ୍ମ-ଉନ୍ନତ ଏଆଇ ମାନବ ନିୟନ୍ତ୍ରଣ ବାହାରକୁ ଯାଇ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ତିଆରି କରି ଯୁଦ୍ଧକୁ ବୃଦ୍ଧି କରିପାରେ ।
ଏଆଇ ମଣିଷକୁ ଆହ୍ୱାନ ଦେଉଛି: ହିଣ୍ଟନ ମଣିଷର ତୁଳନା ଏପରି ଏଆଇ ସତ୍ତା ସହିତ କରି ତାଙ୍କୁ ଛୋଟ ପିଲାଙ୍କ ଭଳି ତିଆରି କରିଥାଆନ୍ତି । ତାଙ୍କ ମତରେ, ଭବିଷ୍ୟତରେ ଏଆଇଗୁଡ଼ିକ ଏପରି ଆଭ୍ୟନ୍ତରୀଣ ଭାଷା ବିକଶିତ କରିପାରେ ଯାହା ମଣିଷ ବୁଝିପାରିବନାହିଁ, ଯାହା ସ୍ୱଚ୍ଛତା ଏବଂ ନିୟନ୍ତ୍ରଣକୁ ହ୍ରାସ କରିପାରେ । ରୋବୋଟ୍ ଶେଷରେ ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହୋଇପାରନ୍ତି । ତା'ପରେ ସେମାନଙ୍କୁ ଅଟକାଇବାର କୌଣସି ଉପାୟ ନାହିଁ । ସେମାନେ ସାରା ବିଶ୍ୱକୁ ଦଖଲ କରିବେ ଏବଂ ମଣିଷ ଅନାବଶ୍ୟକ ହୋଇଯିବ ।
ବିପରୀତ ଯୁକ୍ତି: ସମସ୍ତେ ହିଣ୍ଟନଙ୍କ ସହ ସହମତ ନୁହଁନ୍ତି । ଏଆଇର ଧର୍ମମାତା ଭାବରେ ବିଦିତ ଫେଇ-ଫେଇ ଲି, ତାଙ୍କର ଦୀର୍ଘକାଳୀନ ବନ୍ଧୁ ହିଣ୍ଟନଙ୍କ ସହ ସହମତ ନୁହଁନ୍ତି । ଲି’ ମାନବକେନ୍ଦ୍ରିକ ଏଆଇ’ର ଓକିଲାତି କରିବାକୁ ଯାଇ କୁହନ୍ତି, ଯାହା ମଣିଷର ଗାରିମା ଆଉ ମଣିଷତ୍ୱର ମର୍ଯ୍ୟାଦାକୁ ଅତୁଟ ରଖିବ । ଚାଟ୍ଜିପିଟିର ସିଇଓ ଏମ୍ମେଟ ସିୟର କହିଛନ୍ତି ଯେ, କିଛି ଏଆଇ ସିଷ୍ଟମ ମଣିଷଙ୍କୁ ବ୍ଲାକମେଲ୍ କରିବାକୁ କିମ୍ବା ସଟ୍ଡାଉନ୍ ଆଦେଶକୁ ଅମାନ୍ୟ କରିବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ଯେ, ମଣିଷ ଏବଂ ଏଆଇ ମଧ୍ୟରେ ସହଯୋଗୀ ସମ୍ପର୍କ ଗଠନ କରିବା ଆବଶ୍ୟକ ।
ଭବିଷ୍ୟତରେ ଏଆଇ’ର ଲାଭ: ଭବିଷ୍ୟତରେ ଏଆଇ’ର ଲାଭ ମଧ୍ୟରେ ସ୍ୱାସ୍ଥ୍ୟସେବାରେ ବିପ୍ଳବ ଆଣିବା, ଉତ୍ପାଦକତା ଏବଂ ଦକ୍ଷତା ବୃଦ୍ଧି କରିବା, ଶିକ୍ଷାରେ ପରିବର୍ତ୍ତନ ଆଣିବା, ସ୍ମାର୍ଟ ସହର ଏବଂ ପରିବହନ ସୃଷ୍ଟି କରିବା ଅନ୍ତର୍ଭୁକ୍ତ । ଏହା ବ୍ୟବସାୟକୁ ବୃଦ୍ଧି କରିବ ଏବଂ ଜଳବାୟୁ ପରିବର୍ତ୍ତନ, ନବସୃଜନ, ତଥ୍ୟରୁ ଗଭୀର ଅନ୍ତର୍ଦୃଷ୍ଟି ଭଳି ସମସ୍ୟାଗୁଡ଼ିକର ମୁକାବିଲା କରିବ । ହିଣ୍ଟନ ଆଶାବାଦୀ ଯେ, ଏହି ପ୍ରଯୁକ୍ତିବିଦ୍ୟା ଚିକିତ୍ସା କ୍ଷେତ୍ରରେ ସଫଳତାର ପଥ ପ୍ରଶସ୍ତ କରିବ । ସେ କହିଛନ୍ତି, ଆମେ ମୌଳିକ ନୂତନ ଔଷଧ ଦେଖିବାକୁ ଯାଉଛୁ । ଆମେ ବର୍ତ୍ତମାନ ଅପେକ୍ଷା ବହୁତ ଭଲ କର୍କଟ ଚିକିତ୍ସା ପାଇବୁ । ସେ କହିଥିଲେ ଏଆଇ ଡାକ୍ତରମାନଙ୍କୁ ଏମଆରଆଇ ଏବଂ ସିଟି ସ୍କାନକୁ ଯାଞ୍ଚ କରି ଚିକିତ୍ସାରେ ସାହାଯ୍ୟ କରିବ ।
ମଣିଷ ବନାମ ମେସିନ୍ ପ୍ରତିଯୋଗିତା: ମାନବ ବୁଦ୍ଧିମତ୍ତାର ଅନନ୍ୟ ଗୁଣଗୁଡ଼ିକ ଅଛି ଯେପରିକି ସହାନୁଭୂତି, ସୃଜନଶୀଳତା ଏବଂ ସାଧାରଣ ଜ୍ଞାନ । ମଣିଷ ଚେତନା, ଭାବନା ଏବଂ ଉଦ୍ଦେଶ୍ୟର ଭାବନା ଧାରଣ କରେ, ଯେତେବେଳେ ମେସିନଗୁଡ଼ିକ ତର୍କ, ଆଲଗୋରିଦମ ଏବଂ ତଥ୍ୟ ଉପରେ କାର୍ଯ୍ୟ କରେ, ଭାବନା ଏବଂ ବୁଝାମଣାର ଅଭାବ ରହିଥାଏ । ଏଆଇ ନୈତିକ ବିଚାର ଏବଂ ନୈତିକ ଯୁକ୍ତିରୁ ମୁକ୍ତ । ମଣିଷ ମେସିନ୍ ସୃଷ୍ଟି କରିଛି । ଧୀରେ ଧୀରେ ଏଆଇ ଯୋଗୁଁ ମେସିନ୍ ଅଧିକ ବୁଦ୍ଧିମାନ ହେଉଛି । ହୁଏତ ମଣିଷ ବୁଦ୍ଧିମାନ ମେସିନ୍ ଭିତରେ ଏକ ପୌରାଣିକ ଭସ୍ମାସୁର ସୃଷ୍ଟି କରିଛି! ଫ୍ରାଙ୍କେନଷ୍ଟାଇନ୍ ରାକ୍ଷସ ପରି ମେସିନ୍ ମଣିଷକୁ ଧ୍ୱଂସ କରିପାରେ ।
ପଞ୍ଚମ ଶିଳ୍ପ ବିପ୍ଳବ: ଚାରିଟି ଶିଳ୍ପ ବିପ୍ଳବରେ ମେସିନର ପ୍ରମୁଖ ଭୂମିକା ପରେ ପଞ୍ଚମ ଶିଳ୍ପ ବିପ୍ଳବ (ଶିଳ୍ପ ୫.୦) ପ୍ରାୟ ୨୦୨୦ ମସିହାରେ ଆରମ୍ଭ ହୋଇଛି । ଏହା ମଣିଷ-ଯନ୍ତ୍ର ସହଯୋଗ, ମାନବ ସୃଜନଶୀଳତା, ସ୍ଥିରତା, ଶ୍ରମିକ ଏବଂ ଗ୍ରହର କଲ୍ୟାଣ ପାଇଁ ଏକ ମାନବକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଧ୍ୟାନକେନ୍ଦ୍ରିତ କରୁଛି । "ଇଣ୍ଡଷ୍ଟ୍ରି-୫.୦’ କାରଖାନାକୁ ଏପରି ଏକ ସ୍ଥାନ କରିବ ଯେଉଁଠାରେ ସୃଜନଶୀଳ ଲୋକମାନେ ଆସି କାମ କରିପାରିବେ । ଟେସଲାର ସିଇଓ ଏଲୋନ ମସ୍କ ସ୍ୱୀକାର କରିଛନ୍ତି ଯେ, ତାଙ୍କ କମ୍ପାନୀରେ "ଅତ୍ୟଧିକ ସ୍ୱୟଂଚାଳିତତା’ ପ୍ରକୃତରେ ଭୁଲ୍ ଥିଲା । ଏହା ମାନବଙ୍କୁ ତଳକୁ ଆଣିଛି । ଶିଳ୍ପ୫.୦ ମଣିଷକୁ କେନ୍ଦ୍ରରେ ରଖିବା ଉଚିତ ।
ହିଣ୍ଟନଙ୍କ ବାର୍ତ୍ତା: ହିଣ୍ଟନ ସତର୍କ କରାଇଛନ୍ତି ଯେ, ଭବିଷ୍ୟତରେ ଜଣେ ବୟସ୍କ, ୩ବର୍ଷର ପିଲାକୁ କ୍ୟାଣ୍ଡି ଦେବା ପରି ଏଆଇ ସିଷ୍ଟମଗୁଡ଼ିକ ମଣିଷମାନଙ୍କୁ ନିୟନ୍ତ୍ରଣ କରିପାରିବ । ଏଆଇ ସିଷ୍ଟମଗୁଡ଼ିକ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ଠକିବା ଏବଂ ଚୋରି କରିବାକୁ ପ୍ରସ୍ତୁତ ଥିବାର ଉଦାହରଣ ଦେଖାଯାଇଛି । ହିଣ୍ଟନ ବିଶ୍ୱାସ କରନ୍ତି ଯେ, ଆମଠାରୁ ଅଧିକ ବୁଦ୍ଧିମାନ ସତ୍ତା ସହିତ ସହାବସ୍ଥାନ ବିଷୟରେ ଆମେ ବିଚାର କରିବା ଉଚିତ । ସେ ଏଆଇ ମଡେଲଗୁଡ଼ିକରେ ମାତୃତ୍ୱର ପ୍ରବୃତ୍ତି ଗଠନ ପାଇଁ ଏକ ସମାଧାନ ଉପସ୍ଥାପନ କରିଥିଲେ, ଯାହାଦ୍ୱାରା ଏଆଇ’ରେ ଲୋକଙ୍କ ପ୍ରତି କରୁଣାର ଭାବନା ଜାତ ହେବ ।
ଉପସଂହାର: ହିଣ୍ଟନ ସୁରକ୍ଷା ଏବଂ ସତର୍କତାର ସମର୍ଥନ କରନ୍ତି । ଏଆଇ’ର ସୁରକ୍ଷା ଏବଂ ନିୟନ୍ତ୍ରଣ ଉପରେ ସହଯୋଗପୂର୍ଣ୍ଣ ବିଶ୍ୱ ଗବେଷଣା ଆବଶ୍ୟକ । ଏକ ଏଆଇ ନିୟନ୍ତ୍ରିତ ବିଶ୍ୱରେ ଦାୟିତ୍ୱପୂର୍ଣ୍ଣ ଆଚରଣ ପାଇଁ ଛାତ୍ର ଏବଂ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ କରିଛନ୍ତି । ଏଆଇ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ନୀତି (ଯେପରିକି ଇୟୁ’ର ଏଆଇ ଆଇନ) ପ୍ରଣୟନ ଏବଂ ନିୟନ୍ତ୍ରଣର ଜରୁରି ଆବଶ୍ୟକତା ରହିଛି । ବିପର୍ଯ୍ୟୟ, ବିପଦକୁ ରୋକିବା ପାଇଁ ଏଆଇ’ର ସୁରକ୍ଷା ବିଷୟରେ ଗବେଷଣା ଆବଶ୍ୟକ । ଏଆଇ’ର ପ୍ରତିରୋଧ କରାଯାଇପାରିବ ନାହିଁ । ଏଆଇ ଦୌଡ଼ରେ କେହି ବିଜେତା ହେବା ଉଚିତ୍ ନୁହେଁ । ବରଂ, ମଣିଷ ଏବଂ ମେସିନ୍ ନୀତି, ମୂଲ୍ୟବୋଧ ଏବଂ ମାନବାଧିକାରକୁ ସମ୍ମାନ ଦେଇ ସହଯୋଗୀ ହେବା ଉଚିତ । ଜନସାଧାରଣ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଏଆଇର ବିପଦ ଏବଂ ଲାଭ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଜରୁରି ।