ଭୁବନେଶ୍ଵର : ମୁସଲମାନ ସମ୍ପ୍ରଦାୟର ପବିତ୍ର ରମଜାନ୍ ମାସ ୧୯ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ମାସରେ ପ୍ରତ୍ୟେହ ରୋଜା ବା ଉପବାସ ରଖନ୍ତି ପ୍ରତ୍ୟେକ ମୁସଲମାନ । ରମଜାନ୍ ମାସରେ ସଂଯମ ରକ୍ଷା କରି ଆଲ୍ଲହାଙ୍କ ପାଖରେ ମନ ନିବେଶ କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ପ୍ରତ୍ୟେକ ଦିନ ରୋଜା ଆରମ୍ଭ ହୁଏ ସହରି ବା ପ୍ରତ୍ୟୁଷ ଭୋଜନ ପରେ । ଦିନ ତମାମ ବିନା ଜଳ, ଖାଦ୍ୟରେ ରହିବା ପରେ ସନ୍ଧ୍ୟାରେ ରୋଜା ଭଙ୍ଗ ହୁଏ ଇଫତାର୍ ବା ରାତ୍ର ଭୋଜନ ସହିତ । ଏହି ରୋଜା ଖଜୁରି କୋଳି ଖାଇବା ସହିତ ଭଙ୍ଗ କରାଯାଏ । ତେବେ ଏଠାରେ ପ୍ରଶ୍ନ ଉଠେ, କାହିଁକି କେବଳ ଖଜ୍ରା ବା ଖଜୁରି ଖାଇ ରୋଜା ଭଙ୍ଗ କରାଯାଏ?
କୁହାଯାଏ ଯେ, ମହାପୁରୁଷ ମହମ୍ମଦ ଖଜୁରି ଖାଇବାକୁ ବିଶେଷ ପସନ୍ଦ କରୁଥିଲେ ଏବଂ ଏହା ଖାଇ ସେ ରୋଜା ଭଙ୍ଗ କରୁଥିଲେ । ଏଣୁ ଏହି ପରମ୍ପରାକୁ ମୁସଲମାନ ସମୁଦାୟ ପାଳନ କରିଆସୁଛନ୍ତି । ଖଜୁରି ଖାଇ ରୋଜା ଭଙ୍ଗ ପାକ୍ ବା ପବିତ୍ର ବୋଲି ଗ୍ରହଣ କରାଯାଇଛି । ଏହି ଧାର୍ମିକ କାରଣ ବ୍ୟତୀତ ଖଜୁରି ଖାଇ ଉପବାସ ଭଙ୍ଗ କରିବା ପଛରେ ବି ରହିଛି ବୈଜ୍ଞାନିକ କାରଣ ।
ଖଜୁରି ସ୍ୱାସ୍ଥ୍ୟ ପାଇଁ ଉପାଦେୟ ଅଟେ । ଦିନ ତମାମ ଉପବାସ ରଖୁଥିବା ରୋଜାଧାରୀମାନଙ୍କର ଶରୀରରେ ସ୍ୱାଭାବିକ ଭାବେ ଶର୍କରା ତଥା ଜଳ ପରିମାଣ କମିଯାଏ । ଖଜୁରିରେ ରହିଛି ପ୍ରାକୃତିକ ଶର୍କରା, ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଏ ମାତ୍ର ଶରୀର କ୍ଷତି କରେ ନାହିଁ । ଏଥିରେ ପ୍ରଚୁର ପରିମାଣର ତନ୍ତୁ ବା ଫାଇବର୍ ରହିଛି । ଏହା ଖାଲିପେଟ ପାଇଁ କ୍ଷତିକାରକ ନ ହୋଇ ପାଚନ ପ୍ରକ୍ରିୟାକୁ ସ୍ୱାଭାବିକ କରାଇଥାଏ ।
ଏହି ଖବରଟିକୁ ପଢନ୍ତୁ- ଋତୁ ପରିବର୍ତ୍ତନ ସହ ବଢୁଛି ଶ୍ୱାସକ୍ରିୟା ସଂକ୍ରମଣ, ଜାଣନ୍ତୁ କେଉଁମାନେ ସାବଧାନ ରହିବା ଜରୁରି?