ମୁମ୍ବାଇ,୨୬ \୭ : ନବେ ଦଶକରେ ଗୋବିନ୍ଦା ଏବଂ କରିସ୍ମାଙ୍କ ଯୋଡ଼ି ବଲିଉଡର ସୁପରହିଟ୍ ଅନସ୍କ୍ରିନ୍ ଯୋଡ଼ି ଥିଲା । ସେମାନେ ଏକାଠି ରାଜା ବାବୁ, କୁଲି ନମ୍ବର ୱାନ୍, ହିରୋ ନମ୍ବର ୱାନ୍, ସାଜନ୍ ଚଲେ ସସୁରାଲ୍ ଏବଂ ହସିନା ମାନ୍ ଜାୟେଗି ଭଳି ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ସେମାନଙ୍କର ଚମତ୍କାର କେମିଷ୍ଟ୍ରି ଏବଂ କମେଡି ଟାଇମିଂକୁ ବହୁତ ପ୍ରଶଂସା କରାଯାଇଥିଲା । କିନ୍ତୁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେବା ପରେ, ସେମାନେ ହଠାତ୍ ଏକାଠି କାମ କରିବା ବନ୍ଦ କରିଦେଲେ । "ହିରୋ ନମ୍ବର ୱାନ୍" ରେ ସେମାନଙ୍କ ସହ ଅଭିନୟ କରିଥିବା ବରିଷ୍ଠ ଅଭିନେତ୍ରୀ ଶଗୁଫ୍ତା ଅଲି ଏହି ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି ।
ବରିଷ୍ଠ ଅଭିନେତ୍ରୀ ଶଗୁଫ୍ତା ଅଲି ଏକ ବାର୍ତ୍ତା ଆଳାପରେ କହିଛନ୍ତି ଯେ, ଗୋବିନ୍ଦା ଏବଂ କରିସ୍ମା କପୁର ଅନେକ ବ୍ଲକବଷ୍ଟର ଫିଲ୍ମ ପରେ କାହିଁକି ଏକାଠି କାମ କରିବା ବନ୍ଦ କରିଦେଇଥିଲେ। ସେ କରିସ୍ମାଙ୍କୁ "ଅତ୍ୟଧିକ ମହତ୍ୱାକାଂକ୍ଷୀ" ଏବଂ ପରିଶ୍ରମୀ କହିଥିଲେ । ଭଲ ଅଭିନେତ୍ରୀ ହୋଇଥିବାରୁ, ତାଙ୍କ ମଧ୍ୟରେ ଅହଂକାର ବି ରହିଥିଲା । ଶଗୁଫ୍ତା କରିସ୍ମା କପୁରଙ୍କ ସହ କାମ କରିବାର ଅଭିଜ୍ଞତାକୁ ମନେ ପକାଇଥିଲେ ।
ଏହି ସୁପରହିଟ୍ ଯୋଡ଼ି କାହିଁକି ଭାଙ୍ଗିଗଲା?
ଏକ ସାକ୍ଷାତକାରରେ, ଶଗୁଫ୍ତା ଅଲ୍ଲୀଙ୍କୁ ପଚରା ଯାଇଥିଲା ଯେ ଗୋବିନ୍ଦା ଏବଂ କରିସ୍ମା କପୁରଙ୍କ ସୁପରହିଟ୍ ଯୋଡ଼ି କାହିଁକି ଭାଙ୍ଗିଗଲା ? ସେ ଉତ୍ତରରେ କହିଥିଲେ , "ଆଗ୍ରହ କମ୍ ହୋଇ ଯାଇ ଥାଇ ପାରେ। ପ୍ରେମ ,ଭଲପାଇବା ଶେଷ ହୋଇ ଯାଇଥିବ। ଏମିତିରେ ବି ନାୟିକା ମାନଙ୍କ ମନର କୌଣସି ଗ୍ୟାରେଣ୍ଟି ନାହିଁ । ଏବଂ ଅଧିକ ସ୍ବାଭିମାନୀ ହେବା ମଧ୍ୟ ଭଲ ନୁହେଁ । କରିସ୍ମା ଅତ୍ୟଧିକ ସ୍ବାଭିମାନୀ ଓ ବହୁତ ପରିଶ୍ରମୀ ଥିଲେ, କିନ୍ତୁ ତାଙ୍କର ହାବ ଭାବରେ ଟିକିଏ ଅହଂକାର ରହିଥିଲା ।"
କରିସ୍ମା କପୁରଙ୍କର ଥିଲା ଆଟିଟ୍ୟୁଡ୍ ?
ଶଗୁଫ୍ତା ଅଲି "ଆଟିଟ୍ୟୁଡ୍"ର ଅର୍ଥ କ’ଣ ତାହା ବୁଝାଇଲେ । ସେ କହିଲେ ଯେ , "କୌଣସି ବି ଫିଲ୍ମ ସେଟରେ ଜଣେ କଳାକାରଙ୍କ ଆଚରଣ ଏବଂ କାର୍ଯ୍ୟ କଳାପ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଆପଣ ସେଟକୁ କେଉଁ ମନୋଭାବ ଆଣି ଆସନ୍ତି ଏବଂ କିପରି ବ୍ୟବହାର କରନ୍ତି ତାହା ବହୁତ ଫରକ୍ ପକାଏ । ଯଦି କେହି ଆପଣଙ୍କର ସହ-କଳାକାର ଅଛନ୍ତି ଉଭୟଙ୍କ ମଧ୍ୟରେ ଅତି କମ୍ ରେ ଏକ ଦେବା-ନେବାର ସମ୍ପର୍କ ରହିବା ଉଚିତ।"
ସେ ଆହୁରି ବି କହିଲେ " ଯଦି ତୁମେ ଏକାଠି ସିନ୍ କରୁଛ କିମ୍ବା ସାକ୍ଷାତକାର ଦେଉଛ, ଉଭୟଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ଏହା ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରେ । ଯଦି ମୁଁ ସେଟରେ ମୋ ସାଥୀ କଳାକାରଙ୍କୁ ସଙ୍କେତ ଦେବା ପାଇଁ ଉପସ୍ଥିତ ଥାଏ, ତେବେ କରିସ୍ମା ମଧ୍ୟ ମୋ ପାଇଁ ସେଠାରେ ରହିବା ଉଚିତ । ଅବଶ୍ୟ, ମୁଁ ବିନା ସଙ୍କେତରେ ମଧ୍ୟ ଦୃଶ୍ୟ କରିପାରିବି । କାରଣ ମୁଁ ଏହି ଶିଳ୍ପରେ ୪୦ ବର୍ଷ ଧରି କାମ କରିଆସୁଛି ।
ଗୋବିନ୍ଦା ଏବଂ କରିସ୍ମା କପୁରଙ୍କ ଶେଷ ଫିଲ୍ମ
ଶଗୁଫ୍ତା ଅଲି ଗୋବିନ୍ଦା ଏବଂ କରିସ୍ମା କପୁରଙ୍କ ସହିତ ଡେଭିଡ୍ ଧାୱନଙ୍କ ୧୯୯୭ ର ସୁପରହିଟ୍ କମେଡି ଫିଲ୍ମ "ହିରୋ ନମ୍ବର ୱାନ୍" ରେ ଅଭିନୟ କରିଥିଲେ । ଗୋବିନ୍ଦା ଏବଂ କରିସ୍ମା କପୁର ୧୯୯୦ ଦଶକରେ ଅନେକ ହିଟ୍ ଫିଲ୍ମରେ ଏକାଠି ଅଭିନୟ କରିଥିଲେ ଏବଂ ସେମାନଙ୍କର ଯୋଡ଼ି ସେହି ସମୟର ସବୁଠାରୁ ପ୍ରିୟ ଥିଲା । ସେମାନଙ୍କୁ ଶେଷ ଥର ପାଇଁ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଥ୍ରୀଲର-ଡ୍ରାମା "ଶିକାରୀ" ରେ ଏକାଠି ଦେଖାଯାଇଥିଲା । ଏହା ପରେ ଗୋବିନ୍ଦା ଏବଂ କରିସ୍ମା କପୁର ଆଉ କେବେ ଏକାଠି କାମ କରିନଥିଲେ ।