ଫାଲ୍‌ଗୁନ ମାସ ଚତୁର୍ଦ୍ଦଶୀ ତିଥିରେ ହିନ୍ଦୁ ସଂସ୍କୃତିର ଅଦ୍ୱିତୀୟ ପର୍ବ ମହାଶିବରାତ୍ରି । ଶିବରାତ୍ରିର ୪ର୍ଥ ପ୍ରହରରେ ଶିବମନ୍ଦିରର ଚୂଡ଼ାରେ ସ୍ଥାପନ କରାଯାଏ ମହାଦୀପ । ଏହି ଅଲୌକିକ ଆଧ୍ୟାତ୍ମିକ ପରମ୍ପରା ପଛରେ କ’ଣ ରହିଛି ବାସ୍ତୁ ତଥା ବୈଜ୍ଞାନିକ କାରଣ ଏବଂ ବିଶ୍ଲେଷଣ? ଜାଣିବା ଆସନ୍ତୁ...

ଏକ ନିରାକାର ଚେତନା ମହାଦେବ । ଏହି ଚେତନାର ଆଲୋକ ଯାହାର ଭୌତିକ ରୂପ ‘ମହାଦୀପ’ । ଏହାର ଆଲୋକ ଭକ୍ତଙ୍କ ଜ୍ଞାନଚକ୍ଷୁର ଉନ୍ମୋଚନ କରିବା ସହିତ ଜାଗତିକ ମନସ୍କାମନା ପୂରଣକୁ ପ୍ରଶସ୍ତ କରିଥାଏ । 

ବୈଜ୍ଞାନିକ ଯୁକ୍ତି: ମହାଦୀପର ସ୍ଥିର ଆଲୋକ ତାପ ପ୍ରକ୍ରିୟା ବାୟୁମଣ୍ଡଳକୁ ସନ୍ତୁଳିତ କରିଥାଏ ଏବଂ ମହାକାଶରେ ବାସ୍ତୁର ଅଗ୍ନିତତ୍ତ୍ୱକୁ ସକ୍ରିୟ କରିଥାଏ । 
-ଏହା ଶରୀରର ସ୍ନାୟବିକ ପ୍ରକ୍ରିୟାକୁ ସ୍ଥିର ରଖେ ତଥା ବାୟୁମଣ୍ଡଳର ଉର୍ଜା ପ୍ରବାହ ସ୍ଥିର ରହିଥାଏ । ଧୀର ଆଲୋକଶିଖା ମଧ୍ୟ ସମ୍ବେଦନଶୀଳତାକୁ ବଢ଼ାଇଥାଏ । 
-ଦୀପର ଶିଖାର ଇନଫ୍ରା ଲୋହିତ ବିକିରଣ ହେତୁ ଶରୀରର ରକ୍ତ ସଂଚାଳନ ସହ ମାଂସପେଶୀ ଆରାମ ପାଏ । ପତଳା ଆଲୋକଶିଖା ସ୍ୱଚ୍ଛ ଦହନ ଓ ଦୃଷ୍ଟିକ୍ରମକୁ ଆନନ୍ଦିତ କରେ ଯାହାଦ୍ୱାରା ଭକ୍ତଙ୍କ ପ୍ରାଣପ୍ରବାହ ବଢ଼େ । 
- ଦୀପରେ ବ୍ୟବହୃତ ଶୁଦ୍ଧ ଘିଅ ଜଳାଯିବା ଦ୍ୱାରା ଶୁଦ୍ଧ ବାୟୁମଣ୍ଡଳ ସୃଷ୍ଟି ହୁଏ । ଏହା ମଧ୍ୟ ମସ୍ତିଷ୍କ ତରଙ୍ଗକୁ ସନ୍ତୁଳିତ ରଖେ । ଅପରପକ୍ଷରେ ଏକ ବିନ୍ଦୁଗାମୀ ଅଗ୍ନି ଶିଖା ଆଖି ଓ ମସ୍ତିଷ୍କରେ ସମନ୍ୱୟ ଆଣିଥାଏ । 
-ମହାଶିବରାତ୍ରିରେ ସମସ୍ତ ଭକ୍ତମଣ୍ଡଳଙ୍କ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ (ମହାଦୀପ) ଦୃଷ୍ଟି ନିବଦ୍ଧ କରୁଥିବାରୁ ଏହା ଏକ ସାମୂହିକ ଆଧ୍ୟାତ୍ମିକ କ୍ଷେତ୍ର ସୃଷ୍ଟି କରିଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଏକ ସ୍ଥିର ତରଙ୍ଗଯୁକ୍ତ ଉର୍ଜାକ୍ଷେତ୍ର ସୃଷ୍ଟି କରେ । ଯାହା ଇପ୍ସିତ ଫଳପ୍ରାପ୍ତିର ପଥକୁ ପ୍ରଶସ୍ତ କରିବା ସହିତ ବିଚଳିତ ମନକୁ ଏକ କୈନ୍ଦ୍ରିକ କରାଇପାରେ । ମହାଦୀପର ସି୍ଥରତାରେ ଶରୀରର ଅନ୍ତରୀଣ ସ୍ଥିରତା ପ୍ରତିଫଳିତ ହୁଏ ଏବଂ ଆବଶ୍ୟକ ହରମୋନାଲ୍‌ ରୂପାନ୍ତରୀକରଣ ହୋଇଥାଏ । 

ବାସ୍ତୁ ସିଦ୍ଧାନ୍ତ: ମହାଦୀପ ପ୍ରଜ୍ଜ୍ୱଳନ ସହିତ ମନ୍ଦିର ଶିଖରରେ ଏହା ସ୍ଥାପନ ପର୍ଯ୍ୟନ୍ତ ପ୍ରକ୍ରିୟାକୁ ବାସ୍ତୁର ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଶରୀର ସନ୍ତୁଳନ ପାଇଁ ଜଳତତ୍ତ୍ୱ, ବାୟୁମଣ୍ଡଳର ଉର୍ଜା ସନ୍ତୁଳନ ପାଇଁ ବାୟୁତତ୍ତ୍ୱ, ମହାଦୀପ ଗୁଣାବଳିର ଅଗ୍ନିତତ୍ତ୍ୱ, ମନ୍ଦିର ତଥା ଶିବଲିଙ୍ଗ ଆକର୍ଷଣ ହେତୁ ପୃଥ୍ୱୀତତ୍ତ୍ୱ ତଥା ଆକାଶଲୋକକୁ ଅଗ୍ନିର ଗମନ ହେତୁ ଆକାଶ ତତ୍ତ୍ୱର ପ୍ରଭାବ ଅନୁଭୂତ ହୋଇଥାଏ ।  ସୁତରାଂ ମହାଶିବରାତ୍ରି ପର୍ବରେ ମହାଦୀପ ପ୍ରାରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଜଡ଼ିତ ରହି ମହାଦେବଙ୍କ ଆଶୀର୍ବାଦ ଲାଭ କରି ଇପ୍ସିତ ଫଳ ଲାଭ କରାଯାଇଥାଏ ।