ନୂଆଦିଲ୍ଲୀ,୦୩/୧୦: ସତ ହେବ କି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଥା ? ବିନା ଲଢେଇରେ ଭାରତର ହେବ କି ପାକ୍ ଅଧିକୃତ କାଶ୍ମୀର । ପିଓକେରେ ଜଳୁଛି ବିଦ୍ରୋହ ନିଆଁ । ସରକାରୀ ଯୋଜନାରେ ଭେଦଭାବ ଅଭିଯୋଗରେ ଶେହବାଜ ସରକାର ବିରୋଧରେ ଆନ୍ଦୋଳନ ହୋଇଛି । ୨ ବର୍ଷ ହେବ ଜଳୁଛି ଏ ନିଆଁ ।

ପାକ୍ ଅଧିକୃତ କାଶ୍ମୀରରେ ଭୀଷଣ ହିଂସା ଘଟିଛି । ଏଥିରେ ୩ ପୁଲିସ ଅଧିକାରୀଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ସୁରକ୍ଷବଳ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷରୁ ଅନେକ ଆହତ ହୋଇଛନ୍ତି । ପ୍ରଶ୍ନ ଉଠୁଛି ଯେଉଁ କାଶ୍ମୀରକୁ ଇସଲାମ ନାମରେ ପାକିସ୍ତାନ ଅକ୍ତିଆର କରିବାକୁ ଚାହୁଁଛି ତା'ର ଗୋଟିଏ ଭାଗରେ ଏତେ ଅସନ୍ତୋଷ କାହିଁକି ? ଏହାର କାରଣ ସ୍ଥାନୀୟ ଲୋକ ସରକାରୀ ଯୋଜନାରେ ଭେଦଭାବର ଅଭିଯୋଗ କରିଛନ୍ତି । ଏହାଛଡା ସ୍ଥାନୀୟ ସ୍ୱାଧୀନତାର ଅଭାବ, ମୁଦ୍ରାସ୍ଫିତି ଏବଂ ବେକାରୀ ଭଳି ପ୍ରସଙ୍ଗକୁ ମୁଦ୍ଦା କରିଛନ୍ତି । ପ୍ରଦର୍ଶନର ନେତୃତ୍ୱ ଜମ୍ମୁକାଶ୍ମୀର ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ହୋଇଛି । ସେପ୍ଟେମ୍ବର ୨୯ରୁ ଆନ୍ଦୋଳନ ଚାଲିଛି । ବର୍ତ୍ତମାନ ପାକିସ୍ତାନ ସରକାର ଏଠାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ମୋବାଇଲ ସେବା ବି ଠପ୍ ହୋଇଛି । ପିଓକେରେ ୪୦ ଲକ୍ଷ ଲୋକ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି । ସମସ୍ୟାର ସମାଧାନ ପରିବର୍ତ୍ତେ ପାକିସ୍ତାନ ସରକାର ଲୋକଙ୍କୁ ବିରୋଧ କରୁଛନ୍ତି । ୨୦୨୩ରୁ ଏହି ପ୍ରତିବାଦ ଧୀରେ ଧୀରେ କୁହୁଳୁଛି ।

​​​​​​​ମନ୍ତ୍ରୀ-ଅଧିକାରୀଙ୍କ ବିଳାସପୂର୍ଣ୍ଣ  ସେବା ଉପରେ ପ୍ରଶ୍ନ- ଚାଲିଥିବା ଆନ୍ଦୋଳନ, ଜମ୍ମୁ-କାଶ୍ମୀର ଆକ୍ସନ କମିଟି ୩୮ ଦାବି ରଖିଛି । ଏଥିରେ ପ୍ରମୁଖ ଦାବି ରହିଛି ସ୍ଥାନୀୟ ଲୋକଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ମାଗଣାରେ ଦେବା । ଏହାଛଡା ସରକାରୀ ଅଧିକାରୀଙ୍କୁ ମିଳୁଥିବା ବିଳାସପୂର୍ଣ୍ଣ ସେବା ବିରୋଧରେ ମଧ୍ୟ ପ୍ରତିବାଦ କରାଯାଉଛି । ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ମିଳୁଥିବା ମୋଟା ପେନ୍‌ସନ୍, ସୁରକ୍ଷାକର୍ମୀ, ଘର, ଗାଡି ପାଇଁ ଇନ୍ଧନ ଆଦିକୁ ନେଇ ଲୋକେ କ୍ରୋଧିତ ଅଛନ୍ତି । ଏହାକୁ ଶେଷ କରିବାକୁ ଦାବି କରିଛନ୍ତି ।

ଭାରତରୁ ଯାଇଥିବା ଲୋକଙ୍କୁ ମିଳିବାକୁ ଥିବା ସଂରକ୍ଷଣ ଉପରେ ପ୍ରଶ୍ନ- ସ୍ଥାନୀୟ ଲୋକଙ୍କ ଅନୁସାରେ, ଭାରତରୁ ୧୯୪୭ ପଳାୟନ କରି ଆସିଥିବା ଲୋକଙ୍କୁ ସଂରକ୍ଷଣ ଦିଆଯାଇଥିଲା । ହେଲେ ଏହି ସମୂହ ଶକ୍ତିଶାଳୀ । ରାଜନୈତିକ ରୂପରେ ବହୁତ ସକ୍ଷମ । ୨୦୨୩-୨୦୨୪ରେ ହୋଇଥିବା ପ୍ରତିବାଦ ସମୟରେ ଦାୟର ମାମଲାଗୁ଼ଡିକ ଖାରଜ କରିବାକୁ ଦାବି ହୋଇଛି । ଏହି ସହିତ ପିଓକେରେ ଭିତ୍ତିଭୂମି ପ୍ରକଳ୍ପ ବୃଦ୍ଧି ପାଇଁ ଦାବି ହୋଇଛି । ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ, ଯୋଗାଯୋଗ ପାଇଁ ସେତୁ କରିବାକୁ ଦାବି ହୋଇଛି ।