କୋଣାର୍କ,୧୨।୧୦ : ପୁରୀ ଜିଲ୍ଲା ଗୋପ ବ୍ଲକ ଶୋରୋଭା ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ବ୍ୟାପିଲା ଝାଡାବାନ୍ତି । ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ ସମଗ୍ର ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ସମସ୍ତ ଆକ୍ରାନ୍ତ ଗୋପ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
ତେବେ ଝାଡାବାନ୍ତି ଖବର ପାଇ ଗୋପ ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗ୍ରାମରେ ପହଞ୍ଚି ଅଧିକ ଅନୁଧ୍ୟାନ କରିବା ସହିତ ସାମାନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛି। ସୂଚନା ଅନୁଯାୟୀ ଗ୍ରାମରେ ମହାଷ୍ଟମୀ ପୂଜା ରହିଥିବା ବେଳେ ଏହି ପରିପେଖୀରେ ଗ୍ରାମର ଏକ ସ୍ବତନ୍ତ୍ର ରୋଷେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେଠାରେ ଖାଦ୍ୟ ଖାଇ ଏହି ଭଳି ସ୍ଥିତି ଉପୁଜିଥିବା ଜଣା ପଡ଼ିଛି।