ସ୍ତ୍ରୀ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ସ୍ୱାମୀ, ୧୨ ବର୍ଷ ପରେ ପତ୍ନୀଙ୍କୁ ପ୍ରେମିକଙ୍କ ସହ କଲେ ଜୀବନ୍ତ ଠାବ

ରାଏବରେଲି ୨୪/୦୧: ଉତ୍ତରପ୍ରଦେଶର ଆମେଠିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିନା କୌଣସି ଦୋଷରେ ଜଣେ ବ୍ୟକ୍ତିଙ୍କୁ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିଛି । ସ୍ତ୍ରୀ ହତ୍ୟା ଅଭିଯୋଗରେ ସେ ଜେଲ୍ ଯାଇଥିଲେ । ହେଲେ ପ୍ରାୟ ୧୨ ବର୍ଷ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରେମିକଙ୍କ ଘରେ ଜୀବନ୍ତ ଠାବ କରାଯାଇଛି । ବ୍ୟକ୍ତି ଜଣକ ରାଏବରେଲିରେ ତାଙ୍କ ସ୍ତ୍ରୀଙ୍କୁ ଦେଖିବା ପରେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ଏହି ଘଟଣା ଆମେଠିର ଜାୟସ ଥାନା ଅଲୀନଗରର । ମନୋଜ କୁମାର ବର୍ମା ତାଙ୍କ ସ୍ତ୍ରୀ ସୀମା ବର୍ମାଙ୍କ ସହ ରହୁଥିଲେ । ୨୦୧୧ ମାର୍ଚ୍ଚ ୨୫ରେ ସୀମା ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସେ ମିଳି ନ ଥିଲେ । ସୀମାଙ୍କ ବାପଘର ଲୋକେ ମନୋଜଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ପୁଲିସ ମନୋଜଙ୍କୁ ଗିରଫ କରିବା ପରେ ସେ ୧୧ ଦିନ ଜେଲ୍ରେ ରହିଥିଲେ । ପରେ ଜାମିନ୍ରେ ସେ ମୁକୁଳିଥିଲେ । ଜେଲ୍ରୁ ବାହାରିବା ପରେ ବି ମନୋଜ ତାଙ୍କ ସ୍ତ୍ରୀଙ୍କୁ ଖୋଜାଖୋଜି ଜାରି ରଖିଥିଲେ । ଏଥିସହ ନ୍ୟାୟ ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । କିଛି ଦିନ ପୂର୍ବରୁ ମନୋଜଙ୍କୁ ସୀମା ବଞ୍ଚିଥିବା ସୂଚନା ମିଳିଥିଲା । ଏ ନେଇ ମନୋଜ ଥାନାରେ ଖବର ଦେଇଥିଲେ । ୩ ପିଲାଙ୍କୁ ନେଇ ସୀମା ତାଙ୍କ ବାପଘରେ ନିଜ ପ୍ରେମିକଙ୍କ ସହ ରହୁଥିବା ଜଣାପଡ଼ିଥିଲା ।
ମନୋଜ କହିଛନ୍ତି, ସୀମା ରାୟବରେଲିର ବାସିନ୍ଦା । ୧୨ ବର୍ଷ ପୂର୍ବେ ସୀମା ଘରୁ ପଳାଇ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ । ଏ ସବୁ ଜାଣି ମଧ୍ୟ ତାଙ୍କ ବାପଘର ଲୋକେ ମନୋଜଙ୍କୁ ମିଥ୍ୟା ମାମଲାରେ ଫସାଇଥିଲେ । ୧୨ ବର୍ଷ ଧରି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ ନିମନ୍ତେ କୋର୍ଟରେ ଚକ୍କର କାଟିବା ଏବଂ ଏଥିଯୋଗୁ ସେ ବହୁ କଠିନ ପରିସ୍ଥିତି ଦେଇ ଗତି କରିଥିବା ମନୋଜ କହିଛନ୍ତି । ଏଥିସହ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏବେ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି ।