କଟକ,୨୫/୦୬: ହେବିଅସ୍ କର୍ପସ ମାମଲାକୁ ବ୍ୟକ୍ତିଗତ ସ୍ୱାର୍ଥ ପୂରଣ ପାଇଁ ଏକ ଅସ୍ତ୍ର ଭାବେ ଅନେକ ସମୟରେ ବ୍ୟବହାର କରିବା ଲାଗି ଉଦ୍ୟମ କରାଯାଉଛି । ପ୍ରତିପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଏଭଳି ମାମଲାର ଆଶ୍ରୟ ନିଆଯାଉଛି ବୋଲି ହାଇକୋର୍ଟ ମତ ଦେବା ସହ ଆବେଦନକାରୀ ସ୍ୱାମୀଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି । ଆବେଦନକାରୀ ସ୍ୱାମୀ ଲମ୍ବୋଦର ପାତ୍ର ବୈବାହିକ ମନୋମାଳିନ୍ୟରୁ ଘର ଛାଡ଼ି ଚାଲିଯାଇଥିବା ପତ୍ନୀଙ୍କୁ ଫେରାଇ ଆଣିବା ଲାଗି ଏଭଳି ଏକ ମାମଲା ହାଇକୋର୍ଟରେ ରୁଜୁ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଅବସରରେ ପତ୍ନୀମାନେ ସ୍ୱାମୀଙ୍କ ସମ୍ପତ୍ତି ନୁହନ୍ତି ବୋଲି ମତ ଦେବା ସହ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରି ଦେଇଛନ୍ତି । ଆବେଦନକାରୀ ହାଇକୋର୍ଟରେ ଏକ ପିଟିସନ୍ ରୁଜୁ କରି ତାଙ୍କ ପତ୍ନୀଙ୍କୁ ଖୋଜି ଆଣିବା ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଜାଣିବାକୁ ପାଇଥିଲେ ଯେ, ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ପତ୍ନୀ ଘର ଛାଡ଼ି ଚାଲିଯାଇଛନ୍ତି । ତେଣୁ ହାଇକୋର୍ଟ ଏଭଳି ଏକ ଘଟଣାକୁ ଅପହରଣର ରୂପ ଦିଆଯାଇ ପାରିବ ନାହିଁ ବୋଲି ମତ ଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ପତ୍ନୀ ସାବାଳିକା । ସେ ନିଜ ନିଷ୍ପତ୍ତି ନେଇପାରିବେ । ତେଣୁ ପତ୍ନୀଙ୍କୁ ସ୍ୱାମୀଙ୍କ ସମ୍ପତ୍ତି ବୋଲି କୁହାଯାଇ ପାରିବ ନାହିଁ । ଯଦି ପତ୍ନୀ ସ୍ୱାମୀଙ୍କୁ ଛାଡ଼ି ଯିବାକୁ ଚାହୁଁଛନ୍ତି ସେ କ୍ଷେତ୍ରରେ ହାଇକୋର୍ଟ ତାଙ୍କ ଅଦାଲତରେ କିମ୍ବା ତାଙ୍କ ସ୍ୱାମୀଙ୍କ ଘରେ ହାଜର ହେବାକୁ କହିପାରିବେ ନାହିଁ । ପତ୍ନୀ ନିଜ ଇଚ୍ଛାରେ ଘର ଛାଡ଼ି ଯାଇଥିବା ଆବେଦନକାରୀଙ୍କ ପିଟିସନ୍ରୁ ଜଣାପଡ଼ୁଛି । କିନ୍ତୁ ଆବେଦନକାରୀ ଠିକ ଉଦ୍ଦେଶ୍ୟରେ ଅଦାଲତକୁ ଆସି ନଥିବାରୁ ହାଇକୋର୍ଟ ତାଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି । ଏହି ଜରିମାନା ଅର୍ଥ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ଆଇନସେବା ପ୍ରାଧିକରଣରେ ଜମା କରାଯିବ । ଏହି ଅର୍ଥକୁ ବାଳ ଅପରାଧୀଙ୍କ କଲ୍ୟାଣ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ :- Child marriage : କିଶୋରୀ ଗର୍ଭଧାରଣ ସ୍ଥିତି ଉଦ୍ବେଗଜନକ, ସମନ୍ୱୟ ଅଭାବରୁ ରୋକାଯାଇପାରୁନି ବାଲ୍ୟବିବାହ