ମରି ଯିବୁ , କିନ୍ତୁ ବିଜେପି ସହ ସରକାର ଗଠନ କରିବୁ ନାହିଁ : ଫାରୁକ୍ ଅବଦୁଲା

ଶ୍ରୀନଗର,୧୧।୩: ନ୍ୟାସନାଲ କନଫ୍ରେନ୍ସସର ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲା ବିଜେପି ସହିତ ମେଣ୍ଟ ଗଠନ କରିବାର ସମ୍ଭାବନାକୁ ମନାକରି ଦେଇଛନ୍ତି। ସେ କହିଛନ୍ତି ମରି ଯିବୁ କିନ୍ତୁ ବିଜେପି ସହ କେବେ ସରକାର ଗଠନ କରିବୁ ନାହିଁ। କଶ୍ମୀରରେ ବିଜେପିର କାୟା ବିସ୍ତାର କରିବା ପାଇଁ ସେ ପିଡିପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ବିଜେପିକୁ ଏଠାକୁ ଆଣି ବହୁତ ବଡ ଭୁଲ ହୋଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ପୁଫତି ମହମ୍ମଦ ସଇଦଙ୍କୁ ମୁଁ ଏଥିପାଇଁ ବହୁବାର କହିଛି, ସେ ଏଭଳି ଭୁଲ ନକରନ୍ତୁ। ଏହା ସହ ଫାରୁକ କହିଛନ୍ତି ଆମେ ଚାହୁଁଛୁ ନିର୍ବାଚନ ଖୁବ୍ ଶୀଘ୍ର ହେବା ଦରକାର। ଦେଶବାସୀଙ୍କ ପାଖରେ ବହୁତ କିଛି ସମସ୍ୟା ରହିଛି। ଯାହାର ସମାଧାନ ଏକ ଭଲ ସରକାର ହିଁ କରିପାରିବ। ନିର୍ବାଚନ କମିଶନକୁ ଦରକାର ସେ ସେ ଭଲ ଲୋକସଭା ନିର୍ବାଚନ କରିବା ସହ ବିଧାନସଭା ନିର୍ବାଚନ କରନ୍ତୁ। ଯଦି ଏଠାରେ ପଞ୍ଚାୟତ ନିର୍ବାଚନ କରାଯାଉଛି ତେବେ ବିଧାନସଭା ନିର୍ବାଚନ କରିବାରେ ଅସୁବିଧା କଣ?
ଜମ୍ମୁ ବସଷ୍ଟାଣ୍ଡରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ନେଇ ସେ କହିଛନ୍ତି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ଯୁବପୀଢିଙ୍କ ସହ ଯେଉଁ ପର୍ଯ୍ୟନ୍ତ କଥା ହେବେନି ସେ ପର୍ଯ୍ୟନ୍ତ ପରିସ୍ଥିତି ଭଲ ହୋଇପାରିବନି। ଏହାସହ ଫାରୁକ୍ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବରେ ଇମ୍ରାନ ଖାନଙ୍କୁ ଜାଣିଛି। ଯଦି ଇମ୍ରାନ ପାକିସ୍ତାନରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ତାହା ଭଲ କଥା।