ନୂଆଦିଲ୍ଲୀ,୧୫।୨: ଅଗଷ୍ଟ ୨୦୨୪ ରେ ଶେଖ୍ ହାସିନାଙ୍କ ସରକାର ପତନ ପରେ ସେନା ସମର୍ଥନରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଶାସନ ଭାର ଦିଆଯାଇଥିଲା। ସେ ଅନ୍ତରୀଣ ସରକାରଙ୍କ ପରାମର୍ଶଦାତା ଭାବରେ ଏତେ ଦିନ ପର୍ଯ୍ୟନ୍ତ କାମ ଦେଖୁଥିଲେ। ସେଭଳି ଏବେ ସାଧାରଣ ନିର୍ବାଚନ ପରେ ବିଏନପି ମୁଖ୍ୟ ତାରିକ୍ ଅହମ୍ମଦ ୧୭ ଫେବୃଆରୀରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବାକୁ ଯାଉଛନ୍ତି। ଏହା ଭିତରେ ମହମ୍ମଦ ୟୁନୁସଙ୍କୁ ନେଇ ମଧ୍ୟ ବହୁ ଚର୍ଚ୍ଚା ଚାଲିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ,ଆଗକୁ ମଧ୍ୟ କୌଣସି ବଡ଼ ଦାୟିତ୍ବ ଦିଆଯାଇପାରେ।

ସୋସିଆଲ ମିଡିଆରେ ଲୋକଙ୍କ କହିବା ଅନୁସାରେ, ମହମ୍ମଦ ୟୁନୁସଙ୍କୁ କୌଣସି ବଡ଼ ସମ୍ବିଧାନିକ ପଦ ଦିଆଯାଇପାରେ। ରହମାନଙ୍କ ଘନିଷ୍ଠ ହୁମାୟୁ କବିର କହିଛନ୍ତି, ଏପର୍ଯ୍ୟନ୍ତ କାହାର ଭୂମିକା ଧାର୍ଯ୍ୟ କରାଯାଇ ନାହିଁ। ମହମ୍ମଦ ୟୁନୁସଙ୍କୁ ନେଇ ମଧ୍ୟ ଆଗକୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କେବଳ ଏତିକି ନିଶ୍ଚିତ ଯେ ସେ ଦେଶକୁ ଆଗକୁ ବଢାଇବା ପାଇଁ ସବୁବେଳେ ସାଙ୍ଗରେ ରହିବାର ଆଶ୍ବାସନା ଦେଇଛନ୍ତି।

ଏକ ରିପୋର୍ଟ ଅନୁସାରେ, ହୁମାୟୁକବିର କହିଛନ୍ତି, ଏବେ କୌଣସି ଡିପାର୍ଟମେଣ୍ଟକୁ ନେଇ ଚର୍ଚ୍ଚା ହୋଇନି। ତାରିକ୍ ରେହମାନଙ୍କ ପ୍ରାଥମିକତା ଏକ ସମାବେଶୀ ସରକାର ଗଠନ କରିବ। ଏହି ନିର୍ବାଚିତ ସରକାରରେ ଲୋକଙ୍କ ପ୍ରତିଭାର ପୁରା ବ୍ୟବହାର କରାଯିବ। ସାଂସଦଙ୍କ ଅନୁଭବ, ତାଙ୍କର ବିଶେଷଜ୍ଞତାର ଆଧାରରେ ତାଙ୍କୁ ଦାୟିତ୍ବ ଦିଆଯିବ। ଉଲ୍ଲେଖନୀୟ ଯେ, ବର୍ତ୍ତମାନ ମହମ୍ମଦ ଶହାବୁଦ୍ଧିନ୍ ବାଂଲାଦେଶର ରାଷ୍ଟ୍ରପତି ଅଛନ୍ତି।

ଲେଖକ ଡେଭିଡ୍ ବର୍ଜମ୍ୟାନଙ୍କ ମତରେ ମହମ୍ମଦ ୟୁନୁସଙ୍କୁ ରାଷ୍ଟ୍ରପତି କରିବା ତାଙ୍କ ଅନୁଭବର ଲାଭ ବାଂଲାଦେଶକୁ ମିଳିପାରେ। ମହମ୍ମଦ ୟୁନୁସ୍ ବହୁ ପ୍ରସଙ୍ଗରେ ସମାଲୋଚିତ ହୋଇଥାନ୍ତି,ଏହାପରେ ବି ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ମାନ୍ୟତା ରହିଛି। ଯଦି ପ୍ରଧାନମନ୍ତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରର ଭାବନା ରଖୁଥିବା ବ୍ୟକ୍ତିଙ୍କ ସାଥ୍ ମିଳିବ ତେବେ ଏହା ଖୁବ୍ ଭଲ। ତାଙ୍କୁ ବିଦେଶ ନୀତିକୁ ନେଇ ମହମ୍ମଦ ୟୁନୁସଙ୍କଠାରୁ ଖୁବ୍ ସାହାର୍ଯ୍ୟ ମିଳିପାରେ। ଏହି ମାମଲାକୁ ନେଇ ତାରିକ ରେହମାନ୍ ଓ ମହମ୍ମଦ ୟୁନୁସଙ୍କ ଭିତରେ ଆଲୋଚନା ହୋଇସାରିଛି। ତେବେ ଦୁହିଁଙ୍କ ଟିମ୍ ପକ୍ଷରୁ ଏଭଳି କୌଣସି ପ୍ରକାର ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି। ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ନୀତିକୁ ନେଇ ତାରିକ ରେହମାନଙ୍କ ପାଇଁ ମହମ୍ମଦ ୟୁନୁସ୍ ଉପଯୋଗୀ ପ୍ରମାଣିତ ହୋଇପାରନ୍ତି। ସେଭଳି ୟୁନୁସଙ୍କ ପ୍ରେସ୍ ସେକ୍ରେଟରୀ କହିଛନ୍ତି,ତାଙ୍କର ରାଜନୀତିରେ ଅଧିକ ରୁଚି ନାହିଁ। ସେ କୌଣସି ସମ୍ବିଧାନିକ ପଦ ଚାହାଁନ୍ତି ନାହିଁ। ସେ ନିଜର ଗୁରୁତ୍ବପୂର୍ଣ୍ଣ ସମୟ କେବଳ ନିଜକୁ ଦେବାକୁ ଚାହାନ୍ତି।

ଆହୁରି ପଢନ୍ତୁ :ଭାରତ ଗସ୍ତରେ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି : ପିଏମ୍ ମୋଦିଙ୍କୁ କରିବେ ସାକ୍ଷାତ,ଏଆଇ-ଇନୋଭେସନ୍ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି