କେନ୍ଦୁଝର/ବାଉଁଶୁଣୀ, ୨୩।୭: ଗୁରୁବାର ସକାଳୁ ଅଶୁଭ ଖବର। ପୃଥକ୍ ଦୁର୍ଘଟଣାରେ ଗଡ଼ିଲା ୪ ମୁଣ୍ଡ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟରେ ଭାରସାମ୍ୟ ହରାଇ ଏକ ଥାର୍ ଗାଡ଼ି ରାସ୍ତା କଡ଼ରେ ଥିବା ଆମ୍ବ ଗଛରେ ପିଟି ହେବା ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ସେହିପରି ଗୁରୁବାର ସକାଳ ସାଢେ ୮ଟାରେ 57 ନଂଜାତୀୟ ରାଜପଥ ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଆହତ ହୋଇଛନ୍ତି l

ମିଳିଥିବା ସୂଚନା ମୁତାବକ, ପର୍ଶଳା ପଞ୍ଚାୟତ ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟ୍ଟଙ୍କର ପେଟ ବଥା ହୋଇଥିଲା । ତାଙ୍କର ଆଶୁ ଚିକିତ୍ସା ପାଇଁ ପରିବାର ଲୋକେ ବିଳମ୍ବ ନକରି ଥାର୍ ଗାଡ଼ିରେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଉଥିଲେ । ଗାଡ଼ିଟି ରଜିଆ ନିକଟରେ ପହଞ୍ଚିବା ସମୟରେ ରାସ୍ତା କଡ଼ରେ ଥିବା ଏକ ବଡ଼ ଆମ୍ବ ଗଛ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଆଗ ପଟ ଚୁରମାର୍ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ତ୍ରିଲୋଚନଙ୍କ ଭାଇ ଭାସ୍କର ଆପଟ୍ଟଙ୍କର ମୃତ୍ୟୁ ହୋଇଥିଲା । ଗାଡ଼ି ଭିତରେ ତ୍ରିଲୋଚନ, ତାଙ୍କ ସ୍ତ୍ରୀ କଇଁଫୁଲ ଓ ପୁଅ ରଞ୍ଜିତ୍ ପ୍ରମୁଖ ଗୁରୁତର ଅବସ୍ଥାରେ ଫସି ରହିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଚମ୍ପୁଆ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଗୁରୁତର ଆହତମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇ ପ୍ରଥମେ ଚମ୍ପୁଆ ଡାକ୍ତରଖାନାକୁ ପଠାଯାଇଥିଲା । ଚମ୍ପୁଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନ୍ସରେ କେନ୍ଦୁଝର ନେବା ବାଟରେ ଅଧା ରାସ୍ତାରେ ତ୍ରିଲୋଚନ ଓ ତାଙ୍କ ସ୍ତ୍ରୀ କଇଁଫୁଲ ଦମ୍ପତି ଆଖି ବୁଜିଥିଲେ । ଦୁର୍ଘଟଣାରେ ଗୁରୁତର ତ୍ରିଲୋଚନଙ୍କ ପୁଅ ରଞ୍ଜିତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

ଏହା ବି ପଢ଼ନ୍ତୁ... Pahuda Niti : ଗୁଣ୍ଡିଚାଘରେ ଦିନଟିଏ ବି ନିଦ୍ରା ଯାଇନାହାନ୍ତି ମହାପ୍ରଭୁ, ୧୨ ଦିନ ହେଲା ହୋଇନି ପହୁଡ଼ ନୀତି

ସେପଟେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଥପାପାଲି ଗ୍ରାମର ପୁରନ୍ଦର ହଂସ ସାଇକେଲରେ ଯାଉଥିବା ବେଳେ ତାଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ବାଇକ୍ ଆରୋହୀ ଦହ୍ୟା ପଞ୍ଚାୟତ ଚଉରିଆ ପଦର ଗ୍ରାମର ପଦ୍ମନାଭ ଭଇନା ଆହତ ହୋଇଛନ୍ତି। ଦମକଳ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତର ଖାନାରେ ଭର୍ତ୍ତି କରିଛି। ବାଉଁଶୁଣୀ ପୋଲିସ ପହଞ୍ଚି ବାଇକ, ସାଇକେଲ ଓ ମୃତଦେହକୁ ଜବତ କରି ବାଇକ ଆରୋହୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l..