ନୂଆଦିଲ୍ଲୀ - ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଐତିହାସିକ ବିଜୟ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛି। ଯଦି ସଂଖ୍ୟାର କଥା ହେବା ତ ଏହିଥର ଏନଡିଏ ୮୦ରୁ ଅଧିକ ସିଟ୍ ନିଜ ଖାତାରେ ଜମା କରିଛି। ଏହି ବିଜୟ ପରେ ଏବେ ସରକାର ଗଠନ ଓ ମନ୍ତ୍ରିମଣ୍ଡଳର ପ୍ରସ୍ତୁତି ଜୋରସୋରରେ ଚାଲିଛି। ନୀତୀଶ କୁମାର ବିଜେପି , ଏଲଜେପି ଓ ଅନ୍ୟ ସହଯୋଗୀ ଦଳଙ୍କ ସହ ସରକାର ଗଢିବ। କିନ୍ତୁ ଏହି ମଧ୍ୟରେ ବିହାରରେ ପାଞ୍ଚଟି ଆସନ ଜିତିଥିବା ଅସଦୁଦ୍ଦିନ ଓୱେସୀ ସରକାର ଗଠନ କରିବାର ସ୍ୱପ୍ନ ଦେଖୁଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ଏହି କହିବା ଠିକ୍ ହେବ ନାହିଁ ଯେ, ନୀତୀଶ କୁମାର ପୁଣିଥରେ ସ୍ଥିତି ବଦଳାଇବେ।

ମିଳିଥିବା ସୂଚନା ଆଧାରରେ, ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ ମୁସଲିମିନ ନୀତିଶ କୁମାରଙ୍କୁ ଗଠବନ୍ଧନ (ମେଣ୍ଟ)ପାଇଁ ନିମନ୍ତ୍ରଣ କରିଛି। ଏଆଇଏମଆଇଏମ ବିହାରର ଅଫିସିଆଲି ଏକ୍ସ ହ୍ୟାଣ୍ଡଲରେ ଲେଖାଯାଇଛି ଯେ, ଏବେ ବି ସରକାର ଗଠନ ହେବାର ସୁଯୋଗ ରହିଛି। ପାର୍ଟିର କହିବା ହେଲା ଯେ, ଜେଡିୟୁ, ଆରଜେଡି , କଂଗ୍ରେସ, ଆଇଏମଆଇଏମ୍ , ସିପିଆଇଏମଏଲ , ସିପିଆଇଏମ୍ ମିଶି ଗଲେ ସରକାର ଗଠନ ହୋଇପାରେ। ଉଲ୍ଲେଖନୀୟ ଯେ, ଜେଡିୟୁ ପାଖରେ ୮୫ ତ ଆରଜେଡି ପାଖରେ ୨୫ଟି ଆସନ ଅଛି। ଅନ୍ୟପଟେ କଂଗ୍ରେସ ଓ ଏଆଇଏମଆଇଏମ୍ ଯଥାକ୍ରମେ ୬ ଓ ୫ ଆସନ ଉପରେ କବଜା କରିଛନ୍ତି। ସିପିଆଇ-ଏମଏଲ ଓ ସିପିଆଇ ଏମ୍ ୩ଟି ସିଟ୍ରେ ବିଜୟ ହାସଲ କରିଛନ୍ତି। ଏହାର ଯୋଗ ୧୨୪ ହୋଇଥାଏ, ଯାହାକି ବିହାରରେ ବହୁମତର ୧୨୨ ଯାଦୁକରୀ ସଂଖ୍ୟା ଅପେକ୍ଷା ଦୁଇ ଅଧିକ।

ପାର୍ଟି ଆହୁରି କହିଛି , ଏହାର ମୁଖ୍ୟମନ୍ତ୍ରୀ ରହିବେ,ଯେତେବେଳେ କି ଜେଡିୟୁର କୋଟାରୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ୨୦ ଜଣ ମନ୍ତ୍ରୀ ହୋଇ ପାରନ୍ତି। ଆରଜେଡିକୁ ୬ଟି ମନ୍ତ୍ରୀ ପଦ ଦିଆଯାଇପାରେ ,ଯେତେବେଳେ କି କଂଗ୍ରେସ ପାଖରେ ଦୁଇଟି ମନ୍ତ୍ରୀ ପଦ ହେବ। ସିସିଆଇଏମଏଲ ଓ ସିସିଆଇଏମ୍ରୁ ୧-୧ ମନ୍ତ୍ରୀ ହୋଇ ପାରନ୍ତି। ଏହା ବ୍ୟତୀତ ନୀତୀଶ କୁମାରଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ। ଓୱେସୀଙ୍କ ପାର୍ଟି କହିଛି , ଆମେ ସର୍ବଦା ଯୋଡ଼ି ହେବାର ରାଜନୀତି କରୁଛି, ଭାଙ୍ଗିବାର ନୁହେଁ। ଏଥିପାଇଁ ଏବେବି ସୁଯୋଗ ଅଛି।