ଅଭୟବୀର ଅଭିନନ୍ଦନ

ନୂଆଦିଲ୍ଲୀ,୨୮ା୨(ଏଜେନ୍ସି): ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଉପରେ ଏବେ ଦେଶବାସୀଙ୍କ ନଜର । କେବେ ତାଙ୍କୁ ପାକିସ୍ତାନ ମୁକ୍ତ କରିବ ଏବଂ କେବେ ତାଙ୍କୁ ଭାରତ ମାତାର କୋଳରେ ପୁଣି ଦେଖିବାକୁ ମିଳିବ, ସେଥିପାଇଁ ଏବେ ଭଗବାନଙ୍କ ନିକଟରେ ମଥା ପିଟୁଛନ୍ତି ଦେଶବାସୀ । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା । ଅଭିନନ୍ଦନ ଫେରିବେ କେବେ? କେବଳ ପରିବାର ଲୋକ ନୁହଁ, ବରଂ ସାରା ଦେଶ ଅଭିନନ୍ଦନଙ୍କ ଫେରିବା ବାଟକୁ ଚାହିଁରହିଛି ।
ସେପଟେ ଶତ୍ରୁ ପକ୍ଷ ନିକଟରେ ବନ୍ଦୀ ଥାଇ ସୁଦ୍ଧା ଅଭିନନ୍ଦନ ବିଚଳିତ କି ଭୟଭୀତ ହୋଇନାହାନ୍ତି । ମନ ଭିତରେ ପ୍ରବଳ ଧୈର୍ଯ୍ୟ ଓ ସାହସକୁ ଏକଜୁଟ କରି ପାହାଡ଼ ଭଳି ମୁଣ୍ଡ ଟେକି ଠିଆ ହୋଇଛନ୍ତି । ତାଙ୍କର ଏଭଳି ସାହସକୁ ଦେଖି ପାକ୍ ସେନା ବି ଭୟଭୀତ ହୋଇଯାଇଛି । ଅଭିନନ୍ଦନଙ୍କୁ ମାଡ଼ ମାରି ଅକଥନୀୟ ଅତ୍ୟାଚାର ଦେଇଥିଲେ ସୁଦ୍ଧା ତାଙ୍କ ପାଟିରୁ ଗୋଟିଏ ହେଲେ ଶବ୍ଦ ବାହାର କରିପାରି ନାହିଁ ପାକ୍ ସେନା । ଅଭିନନ୍ଦନଙ୍କର ଏଭଳି ସାହସକୁ ପାକ୍ ଗଣମାଧ୍ୟମରେ ବି ପ୍ରଶଂସା କରାଯାଇଛି ।
ଅଭିନନ୍ଦନ ନିଖୋଜ ହୋଇ ପାକ୍ ହାତକୁ ଚାଲିଯିବା ପରେ ତାଙ୍କ ବିଷୟରେ ଭାରତ ନିକଟରେ କୌଣସି ସୂଚନା ନଥିଲା । କିନ୍ତୁ ପାକ୍ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଭାରତବାସୀଙ୍କୁ ଆଶ୍ୱସ୍ତି ଦେଇଛି । ପାକ୍ ଖବରକାଗଜ ଡନ୍ରେ ପ୍ରକାଶିତ ରିପୋର୍ଟରେ ଅଭିନନ୍ଦନଙ୍କ ବିଷୟରେ ଯାହା ଲେଖାଯାଇଛି ତାହାକୁ ପଢ଼ି ପ୍ରତ୍ୟେକ ଭାରତୀୟ ଆଜି ଗର୍ବ କରୁଛି । ବୀରତ୍ୱ, ସାହସ, ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ଏବଂ ପଛକୁ ନ ହଟିବାର ପ୍ରତିବଦ୍ଧତା ଆଜି ତାଙ୍କୁ ହିରୋ କରି ଦେଇଛି ।
ଏମିତି ଥିଲା ତାଙ୍କ ବୀରତ୍ୱର କାହାଣୀ: ସ୍ଥାନୀୟ ପାକ୍ ଯୁବକଙ୍କ ବୟାନ ନେଇ ଡନ୍ ଛାପିଥିବା ଖବର ମୁତାବକ ଅଭିନନ୍ଦନ ମିଗ୍ ୨୧ ବିମାନରୁ ପାରାସୁଟ୍ ଯୋଗେ ଖସିପଡ଼ିବା ପରେ ପାକିସ୍ତାନ ମାଟିରେ ପଡ଼ିଯାଇଥିଲେ । ପିଠିରେ ପ୍ରବଳ ଆଘାତ ଲାଗିଥିବାରୁ ସେ ହଠାତ୍ କିଛି ଜାଣିପାରି ନଥିଲେ । ସେ କେଉଁଠି ଅଛନ୍ତି, ତାହା ବି ତାଙ୍କୁ ଜଣାନଥିଲା । ଏହି ସମୟରେ ତାଙ୍କୁ କିଛି ଅଜଣା ଯୁବକ ଘେରିଯାଇଥିଲେ । ସେମାନଙ୍କୁ ଅଭିନନ୍ଦନ ପ୍ରଥମେ ଜାଗାର ନାଁ ପଚାରିଥିଲେ । ସେମାନେ ଭାରତ ବୋଲି କହିଥିଲେ । କିନ୍ତୁ ବିଚକ୍ଷଣ ଅଭିନନ୍ଦନ ସେମାନଙ୍କ ଚାଲାକିକୁ ଠଉରାଇ ପାରିଥିଲେ । ସେମାନଙ୍କ ମୁହଁରୁ ସତ ଓଗାଳିବା ପାଇଁ ଅଭିନନ୍ଦନ ‘ଭାରତ ମାତା କୀ ଜୟ’ କହିଥିଲେ । ଯୁବକମାନେ ମଧ୍ୟ ଭାରତ ମାତା କୀ ଜୟ କହିଥିଲେ । ତଥାପି ତାଙ୍କ ସନ୍ଦେହ ଦୂରୀଭୂତ ନହେବାରୁ ସେ ଆଉ ଦୁଇଥର ଲଗାତର ଭାରତ ମାତା କୀ ଜୟ କହିଥିଲେ । ଏତିକିରେ ସମ୍ଭାଳି ନପାରି ଜଣେ ଯୁବକ ରାଗିଯାଇ ‘ପାକିସ୍ତାନ ଜିନ୍ଦାବାଦ୍’ କହି ଚିତ୍କାର କରିବା ସହ ତାଙ୍କୁ ଆକ୍ରମଣ କରିବାକୁ ଛୁଟିଆସିଥିଲା । ତାଙ୍କ ମୁହଁରୁ ପାକିସ୍ତାନ ଜିନ୍ଦାବାଦ୍ ଶୁଣିବା କ୍ଷଣି ଅଭିନନ୍ଦନ ପକେଟ୍ରୁ ରାଇଫଲ୍ କାଢ଼ି ଫାଙ୍କା ଗୁଳିଚାଳନା କରିଥିଲେ । ଏହାପରେ ଦୌଡ଼ିବାକୁ ଲାଗିଥିଲେ । ଜୀବନ ବଞ୍ଚାଇବାକୁ ସେ ଦୌଡ଼ିନଥିଲେ, ବରଂ ତାଙ୍କ ନିକଟରେ ଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ମାନଚିତ୍ରକୁ ନଷ୍ଟ କରିବା ପାଇଁ ସେ ଖୁବ୍ ଜୋରରେ ଦୌଡ଼ିବାକୁ ଲାଗିଥିଲେ । ଯୁବକମାନେ ମଧ୍ୟ ତାଙ୍କୁ ଗୋଡ଼ାଇଥିଲେ । ଏହି ସମୟରେ ଅଭିନନ୍ଦନ ସେମାନଙ୍କୁ ଡରାଇବା ପାଇଁ ଜଣକ ଗୋଡ଼କୁ ଗୁଳି କରିଥିଲେ । ସେମାନେ ସାମାନ୍ୟ ପଛଘୁଞ୍ଚା ଦେବାରୁ ଅଭିନନ୍ଦନ ଦୌଡ଼ିଯାଇ ଅଧ କିଲୋମିଟର ଦୂରରେ ଥିବା ଏକ ପୋଖରୀରେ ପଶିଯାଇଥିଲେ ।
ପୋଖରୀରେ ପଶିଯିବା କ୍ଷଣି ଅଭିନନ୍ଦନ କାଳବିଳମ୍ବ ନକରି ପକେଟ୍ରୁ ସମସ୍ତ ଦସ୍ତାବିଜ କାଢ଼ି ଗିଳିବାକୁ ଲାଗିଥିଲେ । ବହୁ କଷ୍ଟରେ କିଛି ଗିଳି ପକାଇବା ପରେ ମାନଚିତ୍ର ଓ ଆଉ କିଛି ଦସ୍ତାବିଜକୁ ପଙ୍କ ଓ କାଦୁଅରେ ପୂରାଇ ନଷ୍ଟ କରିବାକୁ ଲାଗିଥିଲେ । ଇତିମଧ୍ୟରେ ଯୁବକମାନେ ଛୁଟିଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଢେଲାମାଡ଼ କରିବା ସହ ବିଧା, ଗୋଇଠା ବର୍ଷା କରିଦେଇଥିଲେ । ବେଳକୁ ବେଳ ସେମାନେ ଅଧିକ ନୃଶଂସ ହୋଇପଡ଼ୁଥିଲେ । ସେପଟେ ରାଇଫଲ୍ରୁ ଗୁଳି ସରିଯାଇଥିଲେ ହେଁ ଅଭିନନ୍ଦନଙ୍କ ମୁହଁଟାଣ ଯାଇନଥିଲା । ଏତେସଂଖ୍ୟକ ପାକ୍ ଯୁବକଙ୍କ ମଧ୍ୟରେ ଲହୁଲୁହାଣ ଅବସ୍ଥାରେ ଥାଇ ମଧ୍ୟ ସେ ସାହସ ବାନ୍ଧି ସଂଘର୍ଷ କରିଥିଲେ । ଏହାପରେ ପାକ୍ ସେନା ଆସି ତାଙ୍କୁ କାବୁ କରିନେଇଥିଲା ।
ପାକ୍ ଯୁବକଙ୍କ ସାମ୍ନା କରିବା ପରେ ଥକି ଯାଇନଥିଲେ ଅଭିନନ୍ଦନ । ପାକ୍ ସେନାର ମଧ୍ୟ ଜବାବ ଦେଇଥିଲେ । ତାଙ୍କ ମୁହଁରୁ ସତ ଓଗାଳିବା ପାଇଁ ପାକ୍ ସେନା ସବୁପ୍ରକାର ଉଦ୍ୟମ କରିଥିଲା । କିନ୍ତୁ ଅଭିନନ୍ଦନ କେବଳ ‘ସରି’ କହିଥିଲେ । ଯେତେ ଧମକାଇଲେ ବି ସେ ଡରିନଥିଲେ । ବହୁ କଷ୍ଟରେ ସେ କେବଳ ନିଜ ନାମ କହିଥିବା ପାକ୍ ଗଣମାଧ୍ୟମରୁ ଜଣାପଡ଼ିଛି । ନିଜ ନାମ ବ୍ୟତୀତ ସେ ନିଜର ଠିକଣା ବା ଅନ୍ୟ କୌଣସି ସୂଚନା ଦେବାକୁ ରୋକ୍ଠୋକ୍ ମନାକରିଦେଇଥିଲେ । ଏଥିରେ ନିରୁପାୟ ହୋଇ ପାକ୍ ସେନା ଶେଷରେ ଚୁପ୍ ହୋଇଯାଇଥିଲା । ପାକ୍ ଗଣମାଧ୍ୟମରେ ଅଭିନନ୍ଦନଙ୍କ ବୀରତ୍ୱ ଓ ସାହସିକତାକୁ ବେଶ୍ ପ୍ରଶଂସା କରାଯାଇଛି ।