ଆନନ୍ଦପୁର, ୨୩/୦୨ : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ମହିଳାଙ୍କୁ ପିଟିପିଟି ମାରିଦେଲେ ଶାଶୁଘର ଲୋକ। ମାତ୍ର ୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆତୁରିକୋଣା ଗାଁରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଦେଢ଼ ବର୍ଷ ତଳେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ରଟିଣା ଗାଁର ଅତସୀ ଦେହୁରୀ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆତୁରିକୋଣା ଗାଁର ଚନ୍ଦନ ପଲେଇଙ୍କୁ ପ୍ରେମ ବିବାହ କରିଥିଲେ। କିଛି ଦିନ ପରେ ଅତସୀଙ୍କୁ ନିୟମିତ ବାପଘରୁ ଟଙ୍କା ଆଣିବାକୁ ଶାଶୁଘର ଲୋକେ କହୁଥିଲେ। ଟଙ୍କା ନଆଣିଲେ ନିର୍ଯାତନା ଦେଉଥିଲେ। ମାରପିଟ୍ ସହି ଅତସୀ ଶାଶୁଘରେ ପଡ଼ି ରହିଥିଲେ। ହେଲେ ରବିବାର ରାତିରେ ହଠାତ୍ ଚନ୍ଦନ ଅତସୀଙ୍କ ବାପଘର ଲୋକଙ୍କୁ ଫୋନ କରି ଡକାଇଥିଲେ। ତୁରନ୍ତ ପହଞ୍ଚିବାକୁ କହିଥିଲେ। ବାପଘର ଲୋକେ ପହଞ୍ଚି ଦେଖନ୍ତି ତ ଝିଅ ଆଉ ନାହିଁ। ତାର ମଲା ଶବ ଘର ଭିତରେ ପଡ଼ିଛି। ୬ ମାସର ନାତୁଣୀର ସାର୍ଟରେ ରକ୍ତ ଛିଟା ପଡ଼ିଛି।

ପାରିପାର୍ଶ୍ଵିକ ସ୍ଥିତିରୁ ଅତସୀକୁ ଶାଶୁଘର ଲୋକ ପିଟିପିଟି ହତ୍ୟା କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଦୋଷୀଙ୍କୁ କଠିନ ଦଣ୍ଡ ଦେବା ଦେବାକୁ ଦାବି କରିଛନ୍ତି। ଏପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି। ଫରେନ୍ସିକ୍ ଟିମ୍ ସହାୟତାରେ ତଦନ୍ତ ଚାଲିଛି।

ଏହି ଖବରଟିକୁ ପଢନ୍ତୁ- ଭୁବନେଶ୍ୱର କୋର୍ଟ ଆଗରେ ହିଟ୍ ଆଣ୍ଡ ରନ୍, ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କିଲର କାର୍