ନୂଆଦିଲ୍ଲୀ, ୯।୪: ଘଟଣାଟି ୧୯୯୦ ମସିହାର । ୨୨ ବର୍ଷୀୟ ପାମେଲା ନାନ୍ସ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ସମୟରେ ହଠାତ୍ ଅସହ୍ୟ ପେଟ ଯନ୍ତ୍ରଣା ଅନୁଭବ କଲେ । ଯାହାକୁ ସେ ସାଧାରଣ ଯନ୍ତ୍ରଣା ଭାବୁଥିଲେ, ତାହା ପ୍ରକୃତରେ ଇଣ୍ଟରନାଲ ବ୍ଲିଡିଂ ଥିଲା । କିଛି ସମୟ ମଧ୍ୟରେ ସେ ବାଥରୁମ୍ରେ ପଡ଼ି ଅଚେତ୍ ହୋଇଗଲେ । ଡାକ୍ତର ତାଙ୍କୁ 'କ୍ଲିନିକାଲି ଡେଡ୍' ବା ମୃତ ଘୋଷଣା କଲେ । କିନ୍ତୁ, ପାମେଲାଙ୍କ ପାଇଁ ଏହା ଶେଷ ନଥିଲା, ବରଂ ଏକ ନୂଆ ଯାତ୍ରାର ଆରମ୍ଭ ଥିଲା । ପାମେଲାଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କ ଶରୀର ଆଇସିୟୁ ବେଡ୍ରେ ନିଶ୍ଚଳ ହୋଇ ପଡ଼ିଥିଲା, ତାଙ୍କର ଆତ୍ମା ଏକ ଅଲୌକିକ ଦୁନିଆର ଭ୍ରମଣ କରୁଥିଲା । ସେଠାକାର ରଙ୍ଗ ଏତେ ଉଜ୍ଜ୍ୱଳ ଓ ସୁନ୍ଦର ଥିଲା ଯେ, ଯାହାକୁ ସାଧାରଣ ମଣିଷ ଆଖିରେ ଦେଖିବା ସମ୍ଭବ ନୁହେଁ ।
ଏହା ବି ପଢ଼ନ୍ତୁ... ଇରାନ-ଆମେରିକା ଯୁଦ୍ଧରେ CIA ବ୍ୟବହାର କରିଥିଲା "ଘୋଷ୍ଟ ମର୍ମର୍", ୬୪ କିମି ଦୂରରୁ ଚିହ୍ନିପାରିଲା ପାଇଲଟ୍ଙ୍କ ହୃଦ୍ସ୍ପନ୍ଦନ
କଥା କହୁଥିବା ଗଛ: ପାମେଲା କୁହନ୍ତି, ସେଠାରେ ଏକ ବିଶାଳ ଗଛ ଥିଲା ଯିଏ ତାଙ୍କ ସହ କଥା ହେଉଥିଲା ଏବଂ ତାଙ୍କୁ ଅଦ୍ଭୁତ ଶାନ୍ତି ପ୍ରଦାନ କରୁଥିଲା ।
ପୋଷା କୁକୁର ସହ ସାକ୍ଷାତ୍: ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେଠାରେ ସେ ତାଙ୍କର ପୁରୁଣା ପୋଷା କୁକୁର 'ହଲି'କୁ ଭେଟିଥିଲେ । ଯେଉଁ ଦିନ ପାମେଲାଙ୍କ ପେଟର ଶିରା ଫାଟିଥିଲା, ଠିକ୍ ସେହି ଦିନ ହିଁ ସେହି କୁକୁରଟିର ମଧ୍ୟ ମୃତ୍ୟୁ ହୋଇଥିଲା ।
ବୌଦ୍ଧ ଭିକ୍ଷୁଙ୍କ ଜ୍ଞାନ: ସେହି ରହସ୍ୟମୟ ଦୁନିଆରେ ଜଣେ ବୌଦ୍ଧ ଭିକ୍ଷୁ ତାଙ୍କୁ ଜୀବନର ଏମିତି କିଛି ଗୂଢ଼ ରହସ୍ୟ କହିଥିଲେ, ଯାହା ଶୁଣିବା ପରେ ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ବଦଳି ଯାଇଥିଲା ।
ଜୀବନ ଓ ମୃତ୍ୟୁର ସଂଗ୍ରାମ ପରେ ପ୍ରତ୍ୟାବର୍ତ୍ତନ:
ପାଞ୍ଚ ଦିନ ପର୍ଯ୍ୟନ୍ତ ଜୀବନ ଓ ମୃତ୍ୟୁ ସହ ଲଢ଼ିବା ପରେ ପାମେଲା ଯେତେବେଳେ ନିଜ ଶରୀରକୁ ଫେରିଲେ, ସେ ଆଉ ପୁରୁଣା ପାମେଲା ହୋଇ ନଥିଲେ । ଡାକ୍ତରମାନେ ମଧ୍ୟ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି ।
ମୃତ୍ୟୁ ଶେଷ ନୁହେଁ, ଏକ ନୂଆ ଆରମ୍ଭ:
ପାମେଲା ଏବେ ମୃତ୍ୟୁକୁ ଭୟ କରନ୍ତି ନାହିଁ । ତାଙ୍କ ମତରେ ମୃତ୍ୟୁ ଶେଷ ନୁହେଁ, ବରଂ ଏହା ଏକ ନୂଆ ଦ୍ୱାର । ସେ ଅନୁଭବ କରିଥିବା ସେହି ପରଲୋକର ଶାନ୍ତି ଆଜି ବି ଏକ ବଡ଼ ବିତର୍କର ବିଷୟ ହୋଇ ରହିଛି । ଏହି କାହାଣୀ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ କି, ବିଜ୍ଞାନର ସୀମା ବାହାରେ ମଧ୍ୟ ଏମିତି କିଛି ଶକ୍ତି ଅଛି ଯାହାକୁ ବୁଝିବା ଏବେ ବି ଅସମ୍ଭବ ।