ଭଦ୍ରକ,୧୮।୧  ଥାନା ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନା ଭିତରେ ଫିନାଇଲ ପିଇଲେ ମହିଳା । ଗୁରୁତର ମହିଳା ଜଣକ ହେଲେ  ନିରଲ ମୋଦି।ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ବନ୍ତ ଥାନାରେ ଏହି ଘଟଣା ଘଟିଛି। ଅହମଦାବାଦରୁ ନିରଳ  ଆସି ଭଦ୍ରକରେ ଦୀର୍ଘ ଦିନ ହେବ ସ୍ବାମୀଙ୍କୁ ଖୋଜୁଥିଲେ।

ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ନିରଲ ମୋଦୀଙ୍କ ଏକ ଆଇଟି କମ୍ପାନୀ ଥିଲା। ଏଠାରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ନରସିଂହପୁର ଅଞ୍ଚଳର ମନୋଜ ନାୟକ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟ ବିବାହ କରିଥିଲେ। ଉଭୟଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି ।

ତେବେ ପ୍ରେମ ବିବାହ ପରେ ମନୋଜ ଗାଁରେ ବ୍ୟବସାୟ ଆରମ୍ଭ କରିବାକୁ କହି ନିରଲଙ୍କୁ ଲୋନ ଆଣିବାକୁ କହିଥିଲେ। ନିରଲ ମଧ୍ୟ ନିଜ ଘର ଏବଂ କମ୍ପାନି ବନ୍ଧକ ରଖି ପର୍ଯ୍ୟାୟ କ୍ରମେ ପ୍ରାୟ ୫ କୋଟି ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସ୍ତ୍ରୀ ଓ ପୁଅକୁ ଛାଡ଼ି ମନୋଜ  ଫେରାର ହୋଇଯାଇଥିଲେ। ଏହାରି ମଧ୍ୟରେ କମ୍ପାନୀ ବନ୍ଦ ହୋଇଗଲାଣି। ବନ୍ଧା ରଖିଥିବା ଘର ମଧ୍ୟ ନିଲାମ ହେବାକୁ ବସିଲାଣି। 

ମନୋଜଙ୍କୁ ଖୋଜି ଖୋଜି ଆସି ଭଦ୍ରକ ବନ୍ତରେ ନିରଲ ପହଞ୍ଚିଥିଲେ। ଥାନରେ ଅଭିଯୋଗ କରିଥିଲେ। ଏପରିକି ପୋଲିସ ଡିଜିଙ୍କୁ ଭେଟି  ମଧ୍ୟ ଗୁହାରି କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଶେଷରେ ଥାନା ଭିତରେ ଫିନାଇଲ୍ ପିଇ ନିରଲ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।