ନୂଆଦିଲ୍ଲୀ, ୨/୧ :  କର୍ଣ୍ଣାଟକ ବେଲଗାଓ୍ବୀ ଜିଲ୍ଲାର ଚିକ୍କୋଡୀରେ ହତ୍ୟାର ଏକ ଖବର ସାମ୍ନାକୁ ଆସିଛି । ଯାହା ହୃଦୟ ବିଦାରକ । ନିଜ ଝିଅ ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ତା’ର ସ୍ତ୍ରୀ ହିଁ ହତ୍ୟା କରି ଦେଇଛି । ଏହାପରେ ଫିଲ୍ମ ଷ୍ଟାଇଲରେ ସ୍ବାମୀଙ୍କ ମୃତଦେହକୁ ଲୁଚାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ହତ୍ୟାର ଏହି ମାମଲା ଅଧିକ ସମୟ ପର୍ଯ୍ୟନ୍ତ ଲୁଚି ପାରିଲା ନାହିଁ । ବୁଧବାର ସକାଳେ ପୋଲିସ ମୃତକର ଶବ ଜବତ କରି ନେଇଛି । 

ମହିଳାଙ୍କ ସ୍ବାମୀ ଶ୍ରୀମନ୍ତ ଇତନାଲେ ମଦ ପିଇ ପ୍ରତିଦିନ ଝଗଡ଼ା କରିଥାନ୍ତି । ଏହାଦ୍ବାରା ସ୍ତ୍ରୀ ଚିନ୍ତିତ ଥିଲେ । ସୋମବାର ମଦ ପିଇ ଶ୍ରୀମନ୍ତ ଆସି ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ କିନ୍ତୁ ସ୍ତ୍ରୀ ମନା କରିଦେଇ ଘର ବାହାରକୁ ଚାଲି ଯାଇଥିଲେ । ପରେ ସେ ଆସି ଦେଖିଥିଲେ ତ ନିଶାସକ୍ତ ଅବସ୍ଥାରେ ତାଙ୍କ ସ୍ବାମୀ ନିଜ ଝିଅ ସହ ସମ୍ପର୍କ ରଖିବାକୁ ଜବରଦସ୍ତ କରୁଛି । ଏହା ଦେଖି ମହିଳା ଜଣଙ୍କ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଏବଂ ଏକ ବଡ଼ ପଥର ନେଇ ଶ୍ରୀମନ୍ତଙ୍କ ମୁଣ୍ଡରେ ମାରିଥିଲେ । କିଛି ସମୟ ପରେ ଶ୍ରୀମନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ମୃତଦେହକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । କାରଣ ସେ ପୂରା ମୃତଦେହକୁ ବାହାରକୁ ନେଇ ଯାଇପାରିନଥାନ୍ତେ । ଏଥିଲାଗି ସେ ପ୍ରଥମେ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲେ ଏବଂ ପରେ ଏକ ଛୋଟ ଡ୍ରମରେ ତାକୁ ପକାଇ ପାଖ ବିଲରେ ପକାଇ ଦେଇଥିଲେ । ଏହାପରେ ସେ ଏହି ଘଟଣାରେ ବ୍ୟବହୃତ କରିଥିବା ଅସ୍ତ୍ରକୁ ଧୋଇ କୂଅରେ ପକାଇ ଦେଇଥିଲେ । ସେ ଘରକୁ ଆସି ରକ୍ତରେ ଭିଜିଥିବା କପଡ଼ାକୁ ଏକ ବ୍ୟାଗରେ ପ୍ୟାକ୍ କରି ଏକ ପଥର ବାନ୍ଧି କୁଅରେ ପକାଇ ଦେଇଥିଲେ ଫଳରେ ସେଗୁଡ଼ିକ ଯେମିତି ବାହାରକୁ ନ ଆସିପାରେ ।

ସବୁକିଛି ଠିକ୍ ଠାକ୍ ଥିଲା । ମାତ୍ର ବୁଧବାର ସକାଳେ କୌଣସି ବ୍ୟକ୍ତି କ୍ଷେତରେ ମୃତଦେହ ଦେଖି ନେଇଥିଲେ । ମୃତଦେହ ମିଳିବା ପରେ ଚିକ୍କୋଡୀ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଯାଞ୍ଚ କରିଥିଲା । ଏହି ଯାଞ୍ଚ ସମୟରେ ପୋଲିସକୁ ମୃତକଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା । ପରେ ପୋଲିସ ପଚାରିଥିଲା ଯେତେବେଳେ ସେ ନିଜ ଭୁଲକୁ ସ୍ବୀକାର କରିନେଇଛନ୍ତି । ଏହାପରେ ସେ କହିଥିଲେ କି ସରି, ମୁଁ ମାରିଛି ।