ମାଲକାନଗିରି/କୋରୁକୋଣ୍ଡା, ୭/୧୨ : ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ନଦୀରୁ ଉଦ୍ଧାର ହେବା ଓ ଦୀର୍ଘ ତିନି ଦିନ ବିତିଗଲା ପରେ ମଧ୍ୟ ମୁଣ୍ଡ ନ ମିଳିବା ଘଟଣାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି। ଦୁର୍ବୃତ୍ତଙ୍କ ଦ୍ୱାରା ଘର ପୋଡ଼ି ହେବା ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଜିଲ୍ଲାପାଳ, ଏସପି ପୁଲିସ ଟିମ୍ ପହଁଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି।

ମାଲକାନଗିରି ଜିଲ୍ଲା ସଦର କୋରକୁଣ୍ଡା ଥାନାସ୍ଥ ଡୁଡାମେଟଲା ଗ୍ରାମ ପୋଟେରୁ ନଦୀରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଗତ ୩ଦିନ ତଳେ ଉଦ୍ଧାର ହୋଇଥିଲା । ସେହି ଘଟଣାକୁ ନେଇ ରଖେଲଗୁଡ଼ା ଓ ଏମଭି ୨୬ଗ୍ରାମ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ହତ୍ୟା କିଏ କରିଛି ତାହା ଅସ୍ପଷ୍ଟ ଥିବାବେଳେ ଏମଭି -୨୬ ନମ୍ବର ଗ୍ରାମର କୌଣସି ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରିବା ସହ ନିଖୋଜ ଥିବା ମୁଣ୍ଡକୁ ତୁରନ୍ତ ଉଦ୍ଧାର କରିବା ସହିତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ଆଦିବାସୀ ସଙ୍ଘ ପୁଲିସ ପ୍ରଶାସନ ନିକଟରେ ଦାବି କରିଥିଲେ । ଦୀର୍ଘ ୩ ଦିନ ହେବ କୌଣସି ସୁଫଳ ନ ମିଳିବାରୁ ଏହାକୁ ନେଇ ଏମଭି-୨୬ ଏବଂ ରାଖାଲଗୁଡା ଗ୍ରାମ ଓ ଆଦିବାସୀ ସଙ୍ଘ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ଗତ ୪ଦିନ ପୂର୍ବେ ରାଖାଲଗୁଡ଼ା ଗ୍ରାମର ଲାକେ ପଡ଼ିଆମୀ ନାମକ ଜଣେ ମହିଳା ନିଖୋଜ ଥିଲେ । ଡୁଡୁମେଟଲା ଗ୍ରାମ ନିକଟସ୍ଥ ନଦୀରୁ ମୁଣ୍ଡବିହୀନ ଅବସ୍ଥାରେ ମିଳିବା ଦୀର୍ଘ ୩ଦିନ ହେବ ମହିଳାଙ୍କ ମୁଣ୍ଡ ନ ମିଳିବାରୁ ସେହି ନିଖୋଜ ମହିଳା ସନ୍ଦେହରେ ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ରବିବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ଉତ୍ତେଜିତ ହୋଇ ସମସ୍ତେ ଏମଭି -୨୬ ଗ୍ରାମରେ ପହଁଞ୍ଚି ଗ୍ରାମରେ ବସବାସ କରୁଥିବା ବହୁ ଲୋକଙ୍କ ଘର ଓ ଆସବାବ ପତ୍ର ଭାଙ୍ଗିବା ସହିତ କେତୋଟି ଘରେ ନିଆଁ ଲଗାଇଥିବା ନେଇ ଏମଭି -୨୬ ଗ୍ରାମର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବହୁ ପୁଲିସ, ପ୍ରଶାସନନିକ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ଘଟଣାକୁ ନିରୀକ୍ଷଣ କରିବା ସହ ଗାଁର ପ୍ରତ୍ୟେକ ଘର ବୁଲି ବୁଲି ଦେଖିଛନ୍ତି। ଗ୍ରାମବାସୀଙ୍କ ସହ ଆଲୋଚନା କରି ଲୋକଙ୍କୁ ବୁଝାସୁଝା କରିଥିଲେ ସେମାନଙ୍କୁ ଆଶ୍ଵସନା ଦେଇଥିବା ଜଣାପଡ଼ିଛି । ଏହି ଘଟଣାରେ ଗ୍ରାମରେ ହୋଇଥିବା ଗ୍ରାମବାସୀଙ୍କର କ୍ଷୟକ୍ଷତିକୁ ଆକଳନ କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଗ୍ରାମବାସୀଙ୍କୁ ବୁଝାଇ କହିଛନ୍ତି। ବର୍ତ୍ତମାନ ଏମଭି -୨୬ ଗ୍ରାମ ସମତେ ଗ୍ରାମର ଚତୁର୍ପାଶ୍ୱରେ ବହୁ ପରିମାଣର ବିଏସଏଫ ଯବାନ , ଶତାଧିକ ପୋଲିସ ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଥିବାର ଜଣାପଡ଼ିଛି ।