ଲଖନପୁର,୦୧/୦୯: ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବତଲଗା ଗାଁ ନିକଟ ଏକ ବିଲରୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ମହିଳା ହେଲେ ବତଲଗା ଗାଁର ଲିଳିମା ମିର୍ଦ୍ଧା (୪୨ ବର୍ଷ) ବୋଲି ଜଣାପଡିଛି । ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବନହରପାଲି ଥାନା ଅଧିକାରୀ ରଂଜିତ ନାଏକ ଓ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ଦଳେଇ ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରେ ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେପଟେ ତଦନ୍ତ ପାଇଁ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମୃତ ମହିଳାଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ, ଲିଲିମା ଗତ ୨୦୦୪ ମସିହାରେ ସମ୍ବଲପୁର ଜିଲ୍ଲାର ଗୁରୁପାଳି ଗାଁରେ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ଓ ଏକ କନ୍ୟା ସନ୍ତାନ ଅଛନ୍ତି । ପ୍ରାୟ ୭ରୁ ୮ ବର୍ଷ ହେଲା ପାରିବାରିକ କହଳ କାରଣରୁ ବିବାହ ବିଚ୍ଛେଦ ହେବା ପରେ ସେ ବାପ ଘରକୁ ଆସିଥିଲେ । ବାପା ମାଆ ନଥିବାରୁ ଦାଦା ଖୁଡ଼ିଙ୍କ ଘରେ ରହୁଥିଲେ। ଏହା ବ୍ୟତୀତ ଓପିଜିସି ବନହରପାଲି ଠାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ରବିବାର ଡ୍ୟୁଟିରୁ ଫେରି ଗାଧୋଇ ସାରି ଚା' ପିଇବା ପରେ ରାତ୍ର ପ୍ରାୟ ସାଢ଼େ ୭ଟାରୁ ୮ଟା ଭିତରେ ଶୌଚ ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ସୋମବାର ସକାଳୁ ଦାଦା ପୁଅ ଭାଇ କିଶାର ବିଲ ପଟକୁ ଯାଇ ଦେଖିଲା ବେଳକୁ ରାସ୍ତା ମଝିରେ ଲିଲିମାଙ୍କ ମୃତଦେହ ପଡ଼ିଛି । ସେ ପିନ୍ଧିଥିବା ନାଇଟି ତଳେ ପଡ଼ିଥିବା ବେଳେ କେବଳ ଅନ୍ତବସ୍ତ୍ର ପିନ୍ଧିଥିବା ଦେଖିବାକୁ ପାଇଥିଲେ । ଏଥିସହ ତାଙ୍କର ଗୋଡ଼ ପଟରେ ପାଣି ବାଲଟିରେ ପାଣି ଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ । ଘରକୁ ଆସି ପରିବାର ଲୋକଙ୍କ ସହ କଥା ହୋଇ କୁମ୍ଭାରବନ୍ଧ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ପୁଲିସ ପକ୍ଷରୁ ପ୍ରକାଶ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଏସଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି ।