ସାଫ୍ ମହିଳା ଚାମ୍ପିଅନସିପ୍: ଆଜି ମାଳଦ୍ୱୀପକୁ ଭେଟିବ ଭାରତ

ନୂଆଦିଲ୍ଲୀ, ୧୨ ।୩ (ଏଜେନ୍ସି): ଆଜିଠୁ ଆରମ୍ଭ ହୋଇଛି ସାଫ୍ ମହିଳା ଚାମ୍ପିଅନସିପ୍ । ଆଜି ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ନେପାଳ ୩-୦ ଗୋଲ୍ରେ ଭୁଟାନକୁ ପରାଜିତ କରିଛି । ନେପାଳ ଖେଳର ୧୩, ୧୬ ଓ ୫୪ତମ ମିନିଟ୍ରେ ୩ଟି ଗୋଲ୍ ସ୍କୋର କରି ଏକତରଫା ଭାବେ ବିଜୟୀ ହୋଇଥିଲା ।
ଆସନ୍ତାକାଲି ଭାରତ ଓ ମାଳଦ୍ୱୀପ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଭାରତୀୟ ଦଳ ଏଥିପାଇଁ ପ୍ରସ୍ତୁତି ଶେଷ କରିଛନ୍ତି । ସାଫ୍ ମହିଳା ଚାମ୍ପିଅନସିପ୍ର ଏହା ପଞ୍ଚମ ସଂସ୍କରଣ । ପୂର୍ବରୁ ଆୟୋଜିତ ୪ଟି ଯାକ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଛି । ନେପାଳ ୩ ଥର ଓ ବାଂଲାଦେଶ ଥରୁଟିଏ ରନର୍ସଅପ୍ ହେବାର ସୌଭାଗ୍ୟ ଲାଭ କରିଛି ।
ଏଥର ପ୍ରତିଯୋଗିତା ଅଧିକ ସଂଘର୍ଷପୂର୍ଣ୍ଣ ହେବ ବୋଲି ମନେ କରାଯାଉଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ମହିଳା ଗୋଲ୍ଡକପ୍ରେ ନେପାଳ ଦଳ ବେଶ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ ଖେଳିଥିଲା । ଯେଉଁଥିପାଇଁ ଭାରତ ଘରୋଇ ମାଟିରେ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା । ଯଦିଓ ନେପାଳ ଫାଇନାଲରେ ପରାଜିତ ହୋଇଥିଲା, ତଥାପି ଦଳ ଭାରତଠୁ ଉନ୍ନତ ପ୍ରଦର୍ଶନ କରିଥିଲା । ତେଣୁ ଏଥର ଟାଇଟଲ୍ ପାଇଁ ଭାରତ ଓ ନେପାଳ ମଧ୍ୟରେ କଡ଼ା ଟକ୍କର ହେବ ।
ଭାରତ ଆସନ୍ତାକାଲି ମାଳଦ୍ୱୀପ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଦୃଢ଼ ଆଶାବାଦୀ ରହିଛି । ଭାରତୀୟ ମହିଳା ଦଳର କୋଚ୍ ମେମୋଲ ରକି କହିଛନ୍ତି, ପୂର୍ବ ସଂସ୍କରଣ ଗୁଡ଼ିକରେ ଭାରତ ଏହି ଚାମ୍ପିଅନସିପ୍ରେ ଭଲ ପ୍ରଦର୍ଶନ କରି ଆସିଛି, ଏଥର ମଧ୍ୟ ଭଲ ପ୍ରଦର୍ଶନ କରି ସ୍ୱଦେଶ ବାହୁଡ଼ିବୁ । ଆମେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳି ସାରିଲୁଣି । ଯାହା ଆମକୁ ଚଳିତ ଚାମ୍ପିଅନସିପ୍ରେ ଟାଇଟଲ ଜିତିବାରେ ସହାୟକ ହେବ । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡ ପାଇଁ ଦଳର ପ୍ରସ୍ତୁତି ଗତ ଡିସେମ୍ବରରୁ ଆରମ୍ଭ ହୋଇଛି । ହଂକଂ, ଇଣ୍ଡୋନେସିଆ, ଗୋଲ୍ଡକପ୍ ଓ କୁର୍ତୀସ କପ୍ରେ ଆମେ ଖେଳି ବହୁ ଅଭିଜ୍ଞତା ହାସଲ କରିଛୁ ।’
ସାଫ୍ ଚାମ୍ପିଅନସିପ୍ର ଦୁଇଟି ଗ୍ରୁପ୍ରେ ମୋଟ୍ ୬ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଗ୍ରୁପ୍ ଏ’ରେ ନେପାଳ, ବାଂଲାଦେଶ ଓ ଭୁଟାନ ଏବଂ ଗ୍ରୁପ୍ ବି’ରେ ଭାରତ, ମାଳଦ୍ୱୀପ ଓ ଶ୍ରୀଲଙ୍କା ସାମିଲ ରହିଛନ୍ତି । ୨୦୧୦ରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପ୍ରେ ଏ ପର୍ଯ୍ୟନ୍ତ ଭାରତ ସବୁ ସଂସ୍କରଣରେ ବିଜୟୀ ହୋଇ ଆସିଛି । ନେପାଳ ୨୦୧୦, ୨୦୧୨ ଓ ୨୦୧୪ରେ ରନର୍ସଅପ୍ ହୋଇଥିବାବେଳେ ବାଂଲାଦେଶ ୨୦୧୬ରେ ଫାଇନାଲ୍ ଖେଳିଥିଲା ।