ଭୁବନେଶ୍ୱର,୦୮/୦୩ (ପ୍ରଜ୍ଞା ଚୌଧୁରୀ): ଲୋକେ  କହନ୍ତି, ନାରୀ ପେଟରେ କାଳେ କଥା ରହେନି । କିନ୍ତୁ ଦୀର୍ଘ ୧୧ ବର୍ଷ ହେଲା ଗୋଟିଏ କଥା ନିଜ ପରିବାରକୁ ଲୁଚାଇ ରଖିଛନ୍ତି ରୁବିନା (ଛଦ୍ମ ନାମ)  । ସେ ହେଉଛନ୍ତି ବଦନାମ ଗଳିର ଅନ୍ୟତମ  ନାୟିକା, ମାଳି ସାହିର ଜଣେ ଦେହଜୀବୀ । ଏକଥା ନା ତାଙ୍କ ଘର ଲୋକ ଜାଣିଛନ୍ତି, ନା ଜାଣିଛନ୍ତି ସାହି ପଡ଼ିଶା । ଛାତିର ଅକୁହା ଯନ୍ତ୍ରଣାକୁ ଲୁଚାଇ ରଖି  ରୁବିନା କରିଚାଲିଛନ୍ତି ଡବଲ୍‌ ରୋଲ୍‌ । ଶରୀର  ଗୋଟିଏ କିନ୍ତୁ ଦୁଇ ଦୁଇଟି ଚରିତ୍ର ନେଇ ସେ  ବଞ୍ଚୁଛନ୍ତି । ଥକିପଡିଥିଲେ କିନ୍ତୁ ସୁଭଦ୍ରାର ଗୋଟିଏ କିସ୍ତି ଟଙ୍କା ତାଙ୍କୁ ଆଶା ଦେଖାଇଛି । ଜୀବନ ସୁଯୋଗ ଦେଲେ, ସରକାର ସହଯୋଗ କଲେ ସେ ପୁଣି ସାଧାରଣ ଜୀବନକୁ ଫେରିପାରନ୍ତେ  ବୋଲି କହିଛନ୍ତି । 

ସ୍ୱାମୀ କ୍ୟାନ୍‌ସରରେ ଚାଲିଗଲେ । ଯୌବନରେ  ମଥାରୁ ସିନ୍ଦୂର ଲିଭିଗଲା । ପିଲା ଦି’ଟାଙ୍କୁ କେମିତି ମଣିଷ କରିବି? ମୋ ପିଲାମାନେ କଣ ପାଠ ପଢିପାରିବେନି ? ବାପା ଛେଉଣ୍ଡ ପିଲାଙ୍କୁ କେମିତି ଦାନା ଗଣ୍ଡେ ଯୋଗାଇବି? ସେହି ଚିନ୍ତାରେ ସେ ବୁଡି ରହୁଥିଲେ । ଘର ଜଟଣୀରେ କିନ୍ତୁ ଭୁବନେଶ୍ୱର  ଆସିଥିଲେ କାମ ଖୋଜିବାକୁ । ହେଲେ ପେଟର ଭୋକ ଆଗରେ ହାରିଯାଇଥିଲା ଦେହର ଲାଜ ।  ଜଣେ ସାଙ୍ଗ କଥାରେ ପଡ଼ି ରାଜଧାନୀର ମାଳି ସାହିରେ ପାଦ ଥାପିଥିଲେ । ୨୫ ବର୍ଷ ବୟସରେ ମାଳି ସାହିକୁ ଆସିଥିଲେ ପେଟ ଓ କୁଟୁମ୍ବ  ପୋଷିବାକୁ । ଇତିମଧ୍ୟରେ ବିତିଗଲାଣି ୧୧ ବର୍ଷ ।  

ପୁଅଝିଅ ଏବେ ପାଠ ପଢ଼ୁଛନ୍ତି । ପିଲାମାନଙ୍କୁ ଆଈ ମାଆ ପାଖରେ ଛାଡିଦେଇ କାମକୁ ଯାଉଛି ବୋଲି କହି ପ୍ରତିଦିନ ସକାଳୁ ମାଳି ସାହିକୁ ଆସନ୍ତି ରୁବିନା । ସକାଳ ୮ଟାରୁ ରାତି ୧୦ ଯାଏ ଦେହଜୀବୀ ଜୀବନ ଜୀଅନ୍ତି । ପୁଣି ରାତିରେ ଘରକୁ ଫେରିଲା ପରେ ପିଲାଙ୍କୁ କୋଳେଇ ନେଇ ମାଆର ଦାୟିତ୍ୱ ତୁଲାଇଥାନ୍ତି । ଏବେ ବୟସ ହେଲାଣି । ସେଥିପାଇଁ ଆଉ ବେଶୀ ଗ୍ରାହକ ଆସୁନାହାନ୍ତି । ମାତ୍ର ୨୫୦ ଟଙ୍କାରେ ନିଜ ଦେହକୁ ଗରାଖଙ୍କୁ ଦାନ କରିଦିଅନ୍ତି । ଦିନକୁ ମାତ୍ର ୨/୩ ଜଣ ଗରାଖ ଆସୁଛନ୍ତି । ଟଙ୍କା ୫୦୦ ରୋଜଗାର  ହେଉଛି । କେବେକେବେ କେହି ଆସନ୍ତିନି । ବୟସ ଥିଲାବେଳେ ଚାହିଦା ଥିଲା । ଦିନ ସାରା  ଗରାଖଙ୍କ ଲାଇନ୍‌ ଲାଗୁଥିଲା । ଏବେ ଆଉ ସେ  ଦିନ ନାହିଁ ବୋଲି କହିଛନ୍ତି ରୁବିନା ।  

ସୁଭଦ୍ରା ଯୋଜନା କଥା ଶୁଣି ସେ ଆବେଦନ  କରିଥିଲେ । ଆକାଉଣ୍ଟକୁ ଆସିଛି ଗୋଟିଏ କିସ୍ତିର  ୫ ହଜାର ଟଙ୍କା । ତେବେ ସେ ଏହି ଟଙ୍କାକୁ ଆଉ  କାହା ଭଳି ଖର୍ଚ୍ଚ କରିଦେଇନାହାନ୍ତି । ପ୍ରଥମେ  ହଜାରେ ଟଙ୍କାର ରାସନ ଓ ଖାଦ୍ୟ ସାମଗ୍ରୀ ଆଣି  ଘରେ ସାଇତି ରଖିଲେ । ବାକି ୪ ହଜାର ଟଙ୍କାରେ  ସେ ଏକ ଛୋଟ ବ୍ୟବସାୟ କରୁଛନ୍ତି । ୪ ହଜାର  ଟଙ୍କା ଖର୍ଚ୍ଚ କରି ଏହି ବ୍ୟବସାୟରେ ସେ ଦେଢ  ହଜାର ଟଙ୍କା ଲାଭ କରିଛନ୍ତି । ପୁଣି ସେହି ଟଙ୍କାକୁ  ଏଣେତେଣେ ନ ଉଡାଇ ନିଜ ବ୍ୟବସାୟରେ  ବିନିଯୋଗ କରିଛନ୍ତି ।  

ଦୀର୍ଘ ୧୧ ବର୍ଷରେ ଅନେକ ଥର ରୁବିନା  ନିଜକୁ ଘୃଣା କରିଛନ୍ତି । ଅନେକ ଥର ଛାତି  ଫଟାଇ କାନ୍ଦିବାକୁ ତାଙ୍କୁ ଇଚ୍ଛା ହୋଇଛି, କିନ୍ତୁ ସେ ପାରିନାହାନ୍ତି । ପିଲା, ପରିବାର କଥା ଭାବି ଅଟକି  ଯାଇଛନ୍ତି । ସେ କହନ୍ତି, ଏ ଲାଇନକୁ ଝିଅମାନେ  ବେଶୀ ଆସିଲାରୁ ଆମ ଭଳି ସ୍ତ୍ରୀ ଲୋକଙ୍କ ଚାହିଦା  କମିଗଲାଣି । ଆମ ଗ୍ରୁପ୍‌ରେ ଏବେ ୮ ଜଣ ସ୍ତ୍ରୀ  ଲୋକ ଅଛନ୍ତି । ତେବେ ମୁଁ ମାଟ୍ରିକ୍‌ ପଢିଛି ।  ମୋତେ ସରକାର କିଛି କାମ ଯୋଗାଇଦେଲେ  ମୁଁ ଏ ଧନ୍ଦା ଛାଡି ସାଧାରଣ ଜୀବନ ବଞ୍ଚିବି ।  ତେବେ ୫ ହଜାର ଟଙ୍କା ଯଥେଷ୍ଟ ନୁହେଁ । ମୋ  ଭାଗ୍ୟ ଭଲ ଥିଲା ମୋତେ ସୁଭଦ୍ରା ଟଙ୍କା ମିଳିଛି ।  ଅନ୍ୟମାନଙ୍କୁ ଏ ଯାଏ ମିଳିନି । ତେଣୁ ସରକାର  ଆମ ଭଳି ସମସ୍ତଙ୍କୁ ସୁଭଦ୍ରାରେ ସାମିଲ କରାନ୍ତୁ ।