ଦେଓଗାଁ,୩୦/୧୦: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଗୋଏଲପିଟା-ଡୁମେରଯୋର ରାସ୍ତାକଡ଼ ଜମିରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି । ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ଦେଇଥିବା ପୁଲିସ ସନ୍ଦେହ କରିଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି ।
ପ୍ରକାଶ ଯେ, ଗୋଏଲପିଟା-ଡୁମେରଯୋର ରାସ୍ତାକଡ଼ ଜମିରୁ ଜଣେ ମହିଳାଙ୍କ ଗଳିତ ଶବ ଥିବା ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଦେଓଗାଁ ଥାନାଧିକାରୀ ବୁଲୁ ମୁଣ୍ଡା, ବନ୍ଧପଡ଼ା ଫାଣ୍ଡି ଅଧିକାରୀ ମଳୟ ପଣ୍ଡା ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରଥିଲେ । ଶବଟି ଅର୍ଦ୍ଧନଗ୍ନ ଓ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି । ମୃତ ମହିଳାଙ୍କ ପାଖରେ ଗୋଟିଏ ଶାଢି ଓ ଶାଲ ପଡିଥିବା ଦେଖିବାକୁ ମିଳିଛି । ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟହେବ ବୋଲି ପୁଲିସ କହିଛି । ମହିଳାଙ୍କ ପରିଚୟ ମିଳିନଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ଡାକ୍ତରଖାନାକୁ ପଠାଇଛି। ପରିଚୟ ପାଇଁ ଶବକୁ ୭୨ଘଣ୍ଟା ପାଇଁ ମେଡିକାଲ ଫ୍ରିଜରରେ ରଖାଯାଇଛି । ଏନେଇ ଦେଓଗାଁ ଥାନାଧିକାରୀ ଶ୍ରୀ ମୁଣ୍ଡାଙ୍କୁ ପଚାରିବାରୁ ମୃତକଙ୍କ ପରିଚୟ ମିଳିପାରିନାହିଁ, ତଦନ୍ତ ରିପୋର୍ଟ ଆସିବାପରେ ସ୍ପଷ୍ଟହେବ ବୋଲି କହିଛନ୍ତି ।