ଭୁବନେଶ୍ୱର,(ମୁକେଶ ପରିଡା) ୨୯/୦୪: ନାରୀ ଶକ୍ତି...ମହିଳା ସଶକ୍ତିକରଣ... । ସବୁରାଜନୈତିକ ଦଳ ଏଇ କଥାକୁ ଘୋଷି ହେଉଛନ୍ତି । ମହିଳା ସଂରକ୍ଷଣ ନେଇ ଦେଶରେ ରାଜନୀତି ସରଗରମ । ଦଳମତ ନିର୍ବିଶେଷରେ ସମସ୍ତେ ନାରୀଶକ୍ତିର ଭାଗିଦାରୀ ଓ ୩୩% ସଂରକ୍ଷଣ ସପକ୍ଷରେ । କିନ୍ତୁ, ଅସଲ ଚିତ୍ର ପୂରା ଓଲଟା । ବିଧାନସଭାର ମୋଟ ସଭ୍ୟ ସଂଖ୍ୟା ୧୪୭ । ଦେଶ ସ୍ୱାଧୀନତା ପରେ ଏଯାଏ ମୋଟ ୧୪୭ମହିଳା ବିଧାୟିକା ଦେଖିପାରିଲାନି ବିଧାନସଭା । ୭୯ ବର୍ଷ ଭିତରେ ୧୭ ଥର ବିଧାନସଭା ନିର୍ବାଚନ ଓ ଅନେକ ଆସନରେ ଉପନିର୍ବାଚନ ବି ହୋଇଛି । ମାତ୍ର ଏଯାବତ୍ ଓଡ଼ିଶା ବିଧାନସଭାକୁ ମୋଟ ୧୩୧ ଥର ମହିଳା ବିଧାୟିକା ନିର୍ବାଚିତ ହୋଇପାରିଛନ୍ତି । ତା’ଭିତରେ ପୁଣି କିଛି ମହିଳା ନେତ୍ରୀ ଏକାଧିକ ବାର ନିର୍ବାଚିତ ହୋଇଛନ୍ତି । ସେ ହିସାବ ଦେଖିଲେ ମହିଳା ବିଧାୟିକାଙ୍କ ପ୍ରକୃତ ସଂଖ୍ୟା ୧୦୦ରୁ କମ୍ ହେବ ।

୨୦୨୪ ନିର୍ବାଚନରେ ୧୭୪ ଜଣ ମହିଳାବିଧାନସଭା ପାଇଁ ଲଢ଼ିଥିଲେ । ଜିତିଲେ ୧୧। ବିଜେଡିରୁ ୫, ବିଜେପିରୁ ୫ ଓ କଂଗ୍ରେସ ଟିକଟରେ ଜଣେ । ଓଡ଼ିଶା ବିଧାନସଭା ମୋଟ ସଂଖ୍ୟାକୁ ଦେଖିଲେ ବର୍ତ୍ତମାନ ସେଥିରେ ମହିଳାଙ୍କ ଭାଗିଦାରୀ ମାତ୍ର ୭.୪୮% । ବିଧାନସଭା ଓ ଉପନିର୍ବାଚନକୁ ମିଶାଇ ୨୦୧୯-୨୪ ଭିତରେ ସର୍ବାଧିକ ୧୭ ଜଣ ମହିଳା ବିଧାୟିକା ହୋଇଥିଲେ । ୨୦୧୪-୧୯ ସମୟରେ ୧୧, ୨୦୦୯ରେ ୬, ୨୦୦୪ରେ୧୧, ୨୦୦୦ରେ ୧୪ ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ନିର୍ବାଚନ ହୋଇଥିଲା ୧୯୫୨ରେ । ସେତେବେଳେ ବିଧାନସଭାର ସଂଖ୍ୟା ୧୪୦ଥିଲା । ନିର୍ବାଚିତ ହୋଇଥିଲେ ୩ ମହିଳା ।୧୯୫୭ ନିର୍ବାଚନରେ ୫, ୧୯୬୧ରେ ୪,୧୯୬୭ରେ ୫, ୧୯୭୧ରେ ୧, ୧୯୭୪ରେ ୪,୧୯୭୭ରେ ୭, ୧୯୮୦ରେ ୫, ୧୯୮୫ରେ୮, ୧୯୯୦ରେ ୯, ୧୯୯୫ରେ ୧୦ଜଣ ମହିଳା ବିଜୟ ଟୀକା ପିନ୍ଧି ବିଧାନସଭାରେ ପହଞ୍ଚିଥିଲେ ।୧୯୭୪ ମସିହାରୁ ଓଡ଼ିଶା ବିଧାନସଭାର ଆସନସଂଖ୍ୟା ୧୪୦ରୁ ବଢ଼ି ୧୪୭ ହୋଇଥିଲା ।

ମନ୍ତ୍ରୀ ପଦରେ ବି ମିଳୁନି ବଡ଼ ଭାଗ

ନନ୍ଦିନୀ ଶତପଥୀ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଓ ପ୍ରଭାତୀ ପରିଡ଼ା ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି । ମାତ୍ର ଅଧିକାଂଶ ସମୟରେ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ସଂଖ୍ୟା ଅତି ନଗଣ୍ୟ ରହିଛି । ମୋଟ ସଂଖ୍ୟା ହିସାବ କଲେ ପ୍ରାୟ ୨୫ରୁ ୩୦ଜଣ ମହିଳା ରାଜ୍ୟରେ ମନ୍ତ୍ରୀ ପଦ ପାଇଛନ୍ତି । ଆଜି ପର୍ଯ୍ୟନ୍ତ ଯେତିକି ମହିଳା ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି, ସେଥିରୁ ଅନେକ ପାରିବାରିକ ରାଜନୀତିର ଦାୟାଦ, ରାଜ ପରିବାର, ସମ୍ଭ୍ରାନ୍ତ ବଂଶୀୟ । ବିନା ରାଜନୈତିକ ପୃଷ୍ଠଭୂମିରେ ବିଧାନସଭାରେ ପହଞ୍ଚିଥିବା ଅନେକ ମହିଳା ଦ୍ୱିତୀୟ ଥର ସେ ସୌଭାଗ୍ୟ ପାଇପାରି ନାହାନ୍ତି ।ଏବେ ନଜର ପକାଇବା-ମହିଳା ସଶକ୍ତିକରଣ ନାରା ଦେଉଥିବା ରାଜନୈତିକ ଦଳଗୁଡ଼ିକର ଅସଲ ମାନସିକତା ଉପରେ । 

ଅଧିକ ପଢ଼ନ୍ତୁ :- ତାତିରେ ଲାଗିବ ବ୍ରେକ୍: କାଳବୈଶାଖୀ ପ୍ରଭାବରୁ ୨ରୁ ୩ ଡିଗ୍ରୀ ଯାଏ ଖସିପାରେ ପାରଦ, ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

୨୦୨୪ ନିର୍ବାଚନରେ ବିଧାନସଭା ପାଇଁ ୧୭୮ ମହିଳା ମଇଦାନକୁ ଓହ୍ଲାଇଥିଲେ । ସେଥିରୁ ବିଜେଡି ୩୪, କଂଗ୍ରେସ ୨୦ ଏବଂ ବିଜେପି ମାତ୍ର ୧୦ଜଣ ମହିଳାଙ୍କୁ ଟିକଟ ଦେଇଥିଲା । ୨୦୧୯ରେ ବିଜେଡିରୁ ୧୯, ବିଜେପିରୁ ୧୨ ଓ କଂଗ୍ରେସରୁ ୧୩ ପ୍ରାର୍ଥୀ ଥିଲେ । ୨୦୧୪ରେ ବିଜେଡିରୁ ୧୪, ବିଜେପି ୧୨, କଂଗ୍ରେସ ୧୧ ପ୍ରାର୍ଥୀ ଦେଇଥିଲେ । ୨୦୦୯ରେ ବିଜେଡି ୮, କଂଗ୍ରେସ ୧୪, ବିଜେପି ୧୪ ପ୍ରାର୍ଥୀ ଓହ୍ଲାଇଥିଲା । ୨୦୦୪ରେ ମେଣ୍ଟ ସରକାର ସମୟରେ ବିଜେଡି ୫, ବିଜେପି ୭ ଓ କଂଗ୍ରେସ ୧୨ ମହିଳାଙ୍କୁ ଟିକଟ ଦେଇଥିଲା । ୨୦୦୦ ମସିହାରେ ବିଜେଡି ୮, ବିଜେପି ୪ ଓ କଂଗ୍ରେସ ୧୦ଜଣ ମହିଳାଙ୍କୁ ମଇଦାନରେ ଓହ୍ଲାଇଥିଲା । ଏହି ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି, କୌଣସି ଦଳ ମହିଳାଙ୍କୁ ହାତ ଖୋଲି ଟିକଟ ଦେଇନାହାନ୍ତି । ମହିଳା ନେତୃତ୍ୱଙ୍କୁ ଆଗକୁ ଆଣିବା ପାଇଁ ସବୁ ଦଳ ଯେମିତି କୁନ୍ଥକୁନ୍ଥ । ପ୍ରାୟ ୭୦ରୁ ଅଧିକ ନିର୍ବାଚନମଣ୍ଡଳୀ ରହିଛି, ଯେଉଁ ଆସନରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ବିଧାୟିକା ନିର୍ବାଚିତ ହୋଇନାହାନ୍ତି କିମ୍ବା ଦଶନ୍ଧି ଦଶନ୍ଧି ଧରି ମହିଳା ଜିତିନାହାନ୍ତି । ୨୦୦୯ରେ ଗଠିତ ଭୁବନେଶ୍ୱରର ୩ଟି ଯାକ ନିର୍ବାଚନମଣ୍ଡଳୀ ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ୱରରୁ କୌଣସି ମହିଳା ଏଯାଏଁ ନିର୍ବାଚିତ ହୋଇପାରିନାହାନ୍ତି । ଥରେ ଅଧେ ଛାଡ଼ିଦେଲେ ତିନି ପ୍ରମୁଖ ଦଳ କୌଣସି ମହିଳାଙ୍କୁ ଏଠାରେ ବିଧାୟିକା ପ୍ରାର୍ଥୀ କରିନାହାନ୍ତି ।

କଟକ ଜିଲ୍ଲାର ଆଠଗଡ଼, ନିଆଳି, ସାଲେପୁର ବଡ଼ମ୍ବା, ମାହାଙ୍ଗା, ବାଙ୍କୀ ଆସନରୁ କେବେ ମହିଳା ବିଧାନସଭାକୁ ଯିବେ? ପୁରୀ ଜିଲ୍ଲାର ପୁରୀ, ସତ୍ୟବାଦୀ, ପିପିଲି, ଗଞ୍ଜାମର ହିଞ୍ଜିଳି, ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସୋରଡ଼ା, ଖଲ୍ଲିକୋଟ, ଖୋର୍ଦ୍ଧାର ଜଟଣୀ, ଚିଲିକା ଆସନ ପୁରୁଷ ପ୍ରାଧାନ୍ୟ ହୋଇ ରହିଛି । ପାଲଲହଡ଼ା, ଆଠମଲ୍ଲିକ, ଭୋଗରାଇ, ଜଳେଶ୍ୱର, କୁଚିଣ୍ଡା, ରେଢାଖୋଲ, ମହାକାଳପଡ଼ା, କଣ୍ଟାବାଞ୍ଜି, ଆନନ୍ଦପୁର, ବଡ଼ସାହି, ଯଶୀପୁର, ଲକ୍ଷ୍ମୀପୁର, ପଟ୍ଟାଙ୍ଗୀ, ବୀରମିତ୍ରପୁର, ବଣାଇ, ରଘୁନାଥପାଲ୍ଲୀ, ଝରିଗାଁ, ନବରଙ୍ଗପୁର, ବାଲିକୁଦା-ଏରସମା, ଦଶପଲ୍ଲା, ବିଷମକଟକ, ରାୟଗଡ଼ା, ବାଲିଗୁଡ଼ା, ନୂଆପଡ଼ା, ବୀରମହାରାଜପୁର ଭଳି ଆସନ ଏବେ ବି ପୁରୁଷ ପ୍ରାଧାନ୍ୟ ହୋଇ ରହିଛନ୍ତି । ଏଥିରୁ ଅଧିକାଂଶ ଆସନରେ ପ୍ରମୁଖ ଦଳ ମହିଳାଙ୍କୁ ଟିକଟ ହିଁ ଦିଅନ୍ତି ନାହିଁ। ଏହା ଭିତରେ ଭି.ସୁଜ୍ଞାନୀ ଦେବୀ ୧୦ ଥର ବିଧାୟିକା ହେବାର ସୌଭାଗ୍ୟ ପାଇଥିବାବେଳେ ପ୍ରମିଳା ମଲ୍ଲିକ ୭ଥର ଓ ଉଷା ଦେବୀ ୬ ଥର ଲେଖାଏଁ ବିଧାୟିକା ହୋଇଛନ୍ତି । ପଞ୍ଚାୟତ ଓ ପୌର ସଂସ୍ଥାରେ ୫୦% ସଂରକ୍ଷଣ ମହିଳାଙ୍କ ପାଇଁ ଥିବାବେଳେ ବିଧାନସଭାରେ ମହିଳାଙ୍କ ନଗଣ୍ୟ ଉପସ୍ଥିତି ଆଜି ବି ଉଦବେଗର ବିଷୟ । ଅପେକ୍ଷା କେବେ ମହିଳା ସଂରକ୍ଷଣ ବିଲ୍ ଲାଗୁ ହେବ, କେବେ ମହିଳାଙ୍କ ଭାଗିଦାରୀ ବିଧାନସଭାରେ ବଢ଼ିବ ।

ଅଧିକ ପଢ଼ନ୍ତୁ :-  ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୧୪୨ ଆସନରେ ମତଦାନ, ଭୋଟ୍ ଦେବେ ୩.୨ କୋଟି ଭୋଟର୍