ନୂଆଦିଲ୍ଲୀ,୧୪/୦୬ : ଉତ୍ତରାଖଣ୍ଡର ଡେହରାଡୁନ ଜିଲ୍ଲା ଅନ୍ତର୍ଗତ ବିକାଶନଗରରେ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ଯାହାଫଳରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି।
ସୂଚନା ଅନୁଯାୟୀ, କ୍ଷେତରେ ପାଣି ମଡ଼ାଇବାକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। କିନ୍ତୁ ଦେଖୁଦେଖୁ ଏହି ଝଗଡ଼ା ଏକ ଭୟଙ୍କର ସଂଘର୍ଷର ରୂପ ନେଇଥିଲା। ବିଜେପି ଓବିସି ମୋର୍ଚ୍ଚାର ନେତା ବିନୋଦ କଶ୍ୟପଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ଯୁବକଙ୍କୁ ଘେରିଯାଇ ନିର୍ଧୁମ ମାଡ଼ ମାରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ଲୋକ ହାତରେ ଲାଠି ଓ ବାଡ଼ି ଧରି ଗାଁ ଗଳିରେ ଦୌଡ଼ୁଥିବା ଏବଂ ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକ ପୋଲିସ ଉପସ୍ଥିତିରେ ହିଁ ଅଭିଯୁକ୍ତଙ୍କ ଘର ଉପରକୁ ପଥରମାଡ଼ କରିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।
ବିକ୍ଷୋଭକାରୀମାନେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଜାତୀୟ ରାଜପଥକୁ ବହୁ ସମୟ ଧରି ଜାମ୍ କରି ରଖିଥିଲେ। ଗୁଜବ ଏବଂ ହିଂସାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ସେହି ସ୍ଥାନକୁ ଏକ ପୁଲିସ ଛାଉଣୀରେ ପରିଣତ କରି ଦିଆଯାଇଛି। ସ୍ଥାନୀୟ ବିଧାୟକ ଡାକ୍ତରଖାନାରେ ପହଞ୍ଚି ଆହତ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।