ନୂଆଦିଲ୍ଲୀ,୧୪/୦୬: ଏଲ୍-ନିନୋକୁ ନେଇ ଚିନ୍ତା ବଢ଼ି ଚାଲିଛି । ଏହା ମଧ୍ୟରେ ୨୦୨୬-୨୭ ଆଥି ର୍କବର୍ଷରେ କୃଷି ଜିଡିପି ସ୍ଥିର ରହିବ କିମ୍ବା ସାମାନ୍ୟ କମ୍ ହୋଇଯାଇପାରେ । ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟର୍ନ୍ୟାସ୍ନାଲ ଇକୋନୋମିକ୍ ରିଲେସନ୍ସର ପ୍ରଫେସର ଏବଂ ଏଗ୍ରିକଲ୍ଚରାଲ କଷ୍ଟ୍ସ ଆଣ୍ଡ୍ ପ୍ରାଇସେସ୍ କମିସନ୍ର ପୂର୍ବତନ ଅଧ୍ୟକ୍ଷ ଅଶୋକ ଗୁଲାଟି ଏହି ଚେତାବନୀ ଦେଇଛନ୍ତି । ଏହାଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ ବି ଖସିଯାଇପାରେ ବୋଲି ସେ କହିଛନ୍ତି ।
ଶ୍ରୀ ଗୁଲାଟି କହିଲେ, ବର୍ଷା କେବେ ଏବଂ କେଉଁଠାରେ କେତେ ମାତ୍ରାରେ ହେବ, ଉକ୍ତ ଆଧାରରେ କୃଷି ଜିଡିପି ଅଭିବୃଦ୍ଧି ପ୍ରାୟ ‘ଶୂନ’ କିମ୍ବା ନେଗେଟିଭ ରହିପାରେ । ସେ କହିଲେ ଯେ, ଆଇଏମ୍ଡି ମଜଭୂତ ଏଲ୍ ନିନୋ ଅନୁମାନ କରିଛି । ତେଣୁ ଚାଷକାର୍ଯ୍ୟ ପାଇଁ ବର୍ଷ ୨୦୨୬-୨୭ ଅତ୍ୟନ୍ତ ଖରାପ ରହିପାରେ । ଉକ୍ତ ଚାଷୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ରହିବ, ଯେଉଁମାନଙ୍କ ଅଧିକାଂଶ ଆୟ ଚାଷକାର୍ଯ୍ୟରୁ ଆସିଥାଏ ।
ଅଧିକ ପଢ଼ନ୍ତୁ :- RBI Restrictions : ଏହି ବ୍ୟାଙ୍କରେ ଅଛି କି ଆକାଉଣ୍ଟ ? ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ଼ ଆକ୍ସନ, ଉଠାଇ ପାରିବେ ମାତ୍ର ଏତିକି ଟଙ୍କା
ଗୁଲାଟି ଚିନ୍ତା ପ୍ରକଟ କରିଛନ୍ତି ଯେ, ୨୦୨୬ରେ ମରୁଡ଼ି ପରିସ୍ଥିତି ଉପୁଜିପାରେ । ଚାଷୀଙ୍କ ଆୟ ପ୍ରଭାବିତ ହେବ । ସମଗ୍ର ଅର୍ଥବ୍ୟବସ୍ଥା ଉପରେ ବି ନକାରାତ୍ମକ ପ୍ରଭାବ ପଡ଼ିବ। ଘରୋଇ ଚାହିଦାରେ ଗ୍ରାମୀଣ ଅର୍ଥବ୍ୟବସ୍ଥାର ପ୍ରଧାନ ଭୂମିକା ରହିଥାଏ । ଅଧିକାଂଶ ଖାଉଟି ସାମଗ୍ରୀ ବିକ୍ରିରେ ୩୦ରୁ୪୦% ଯୋଗଦାନ ରଖିଥାଏ ଗ୍ରାମୀଣ ବଜାର । କୃଷି ଅର୍ଥନୀତି ପ୍ରଭାବିତ ହେବା ଫଳରେ ସମଗ୍ର ଅର୍ଥନୀତିରେ ଚାହିଦା ଖସିବା ସମ୍ଭାବନା ରହିଛି । ଏହା ଦେଶର ଜିଡିପିକୁ ସଂକୁଚିତ କରିପାରେ ।
ଚାଷୀ ଆୟ ଦୁଇ ଗୁଣା କରିବା ପାଇଁ ଉଦ୍ଦିଷ୍ଟ କମିଟିର ପୂର୍ବତନ ଅଧ୍ୟକ୍ଷ ଏବଂ ବର୍ତ୍ତମାନ କର୍ଣ୍ଣାଟକ ଏଗ୍ରିକଲ୍ଚରାଲ ପ୍ରାଇସ୍ କମିସନ୍ର ଅଧ୍ୟକ୍ଷ ଅଶୋକ ଦଲୱାଇ କହିଲେ, ଦୁର୍ବଳ ମୌସୁମୀ କାରଣରୁ ସୋୟାବିନ, ହରଡ଼, ବିରି ଏବଂ କପା ଭଳି ଫସଲ ବଡ଼ ମାତ୍ରାରେ ପ୍ରଭାବିତ ହୋଇପାରେ । ଲମ୍ବା ସମୟ ଧରି ମରୁଡ଼ି ଯୋଗୁ ଫସଲ ଉତ୍ପାଦନ ଏବଂ ଚାଷୀ ଆୟ କମିଯିବ । ସେ ଆହୁରି କହିଲେ ଯେ, ବର୍ଦ୍ଧିତ ଇନ୍ଧନ ଦର ଯୋଗୁ ଚାଷଜମିକୁ ପ୍ରସ୍ତୁତ କରିବା, ମେଶିନ୍ ଜରିଆରେ ଚାଷକାର୍ଯ୍ୟ କରିବା ଏବଂ ଡିଜେଲ ଦ୍ୱାରା ଜଳସେଚନ ପମ୍ପ ସେଟ୍ ପରିଚାଳନା ଖର୍ଚ୍ଚ ବଢୁଛି ।
ପ୍ରକାଶଯୋଗ୍ୟ, ଚାଷୀମାନେ ପୂର୍ବରୁ ହିଁ ଅଧିକ ଜଳ ଏବଂ ଅଧିକ ଆୟଯୁକ୍ତ ଫସଲ ବଦଳରେ କମ୍ ଜଳ ଆବଶ୍ୟକତା କରୁଥିବା ଓ କମ୍ ଆୟ ଦେଉଥିବା ଫସଲ(ଯେପରି ବାଜରା, ଯଅ ଏବଂ ମୁଗ) କରିବା ପାଇଁ ଯୋଜନା କରିସାରିଲେଣି ।
ଅନ୍ୟପକ୍ଷରେ ଗୁଲାଟି କହିଛନ୍ତି ଯେ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରିତ ଦରଦାମ ବଢ଼ିବା ଥୟ । ସେ କହିଲେ, ଡାଲି, ତୈଳବୀଜ, କପା, ମୋଟା ଶସ୍ୟ ଏବଂ ପନିପରିବା ଉତ୍ପାଦନ ପ୍ରଭାବିତ ହୋଇପାରେ ଏବଂ ଏଗୁଡ଼ିକର ଦର ବଢ଼ିବ । ଖାଦ୍ୟପେୟ ସାମଗ୍ରୀ ଦର ବଢ଼ିବ । ଖୁଚୁରା ମୁଦ୍ରାସ୍ଫୀତି ୫% ଉପରକୁ ଚାଲିଯାଇପାରେ, ଯାହା ଅକ୍ଟୋବର-ନଭେମ୍ବର ସୁଦ୍ଧା ପ୍ରାୟ ୬% ପର୍ଯ୍ୟନ୍ତ ଯାଇପାରେ ।
ସାର, କୀଟନାଶକ ଏବଂ ଚାଷକାର୍ଯ୍ୟରେ ବ୍ୟବହାର ହେଉଥିବା ଅନ୍ୟ ସାମଗ୍ରୀ ଦର ବଢ଼ିବା ଫଳରେ ଚାଷୀଙ୍କ ଆୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅଭାବ ଯୋଗୁ ଚାଷୀ ଗ୍ରେ ମାର୍କେଟଠାରୁ ଅଧିକ ଦରରେ ସାର କିଣୁଛନ୍ତି । ଏହାସହିତ ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲ୍ର ଯୁଦ୍ଧ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫଳରେ ଟ୍ରାକ୍ଟରରେ ବ୍ୟବହାର ହେଉଥିବା ଡିଜେଲ ଦର ବଢ଼ିଯାଇଛି । ଏହା ଚାଷୀଙ୍କ ଖର୍ଚ୍ଚ ବଢ଼ାଇଦେଇଛି । ବିଶେଷଜ୍ଞଙ୍କ ଆଶଙ୍କା ଯେ, ଆଗକୁ ବିପର୍ଯ୍ୟସ୍ତ ହୋଇପାରେ କୃଷି ଅର୍ଥନୀତି ।