କମ୍ ସ୍କୋର୍ କରି ମଧ୍ୟ ଶ୍ରୀଲଙ୍କା ଉପରେ ଭାରି ପଡ଼ିଲା ଭାରତ; ୩୪ ରନ୍ ରେ ଜିତିଲା ମ୍ୟାଚ୍

Image Courtesy : Cricbuzz
ଡାମ୍ବୁଲା,୨୩/୦୬: ଡାମ୍ବୁଲାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଘରୋଇ ଶ୍ରୀଲଙ୍କାକୁ ୩୪ ରନରେ ହରାଇ ମୁକାବିଲା ଜିତିଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ। ଭାରତୀୟ ଦଳ ବଡ ସ୍କୋର କରିନଥିଲେ ବି ବୋଲରଙ୍କ ଦମରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ଵିକେଟ୍ ହରାଇ ୧୩୮ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୫ ଓ୍ଵିକେଟ୍ ହରାଇ ୧୦୪ ରନ କରିବାକୁ ସକ୍ଷମ ହୋଇଥିଲା।
ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୭ ରନରେ ଦଳ ଦୁଇ ଓ୍ଵିକେଟ୍ ହରାଇଥିଲା। ପରେ ହରମନପ୍ରୀତ କୌର ଶେଫାଳୀ ବର୍ମାଙ୍କ ସହ ଇନିଂସ ସମ୍ଭାଳିଥିଲେ। ପୁଣି ଭାରତର ଓ୍ଵିକେଟ୍ ପତନ ଆରମ୍ଭ ହୋଇଥିଲା। ଦଳ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୩୮ ରନ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ ୩୬ ରନର ଅପରାଜିତ ଇନିଂସ ଖେଳିଥିଲେ। ଶେଫାଳୀ ବର୍ମା ୩୧ ରନ କରିଥିବା ବେଳେ ହରମନପ୍ରୀତ କୌର ୨୨ ରନ କରିଥିଲେ।
୧୩୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କାର ଆରମ୍ଭ ଭଲନଥିଲା। ଦଳୀୟ ସ୍କୋର ୧ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା ଶ୍ରୀଲଙ୍କା। ଭାରତୀୟ ବୋଲର ଶାଣିତ ବୋଲିଂ କରି ଘରୋଇ ଦଳର ବ୍ୟାଟସମ୍ୟାନଙ୍କୁ ଚାପରେ ରଖିଥିଲେ ଏବଂ ବଡ ସଟ୍ ଖେଳିବାକୁ ଦେଇନଥିଲେ। ଦଳ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୦୪ ରନ କରି ପାରିଥିଲା। ଶ୍ରୀଲଙ୍କା ତରଫରୁ କବିଷ୍କା ଦିଲହାରୀ ଅପରାଜିତ ୪୭ ରନ କରିଥିବା ବେଳେ ଭାରତ ପକ୍ଷରୁ ରାଧା ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ।