ଇନ୍ଦୋର,୧୯/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପର ୨୦ତମ ଲିଗ୍‌ ମୁକାବିଲାରେ ଆଜି ଭାରତ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ଇତି ମଧ୍ୟରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍‌ରେ ପହଞ୍ଚି ସାରିଛନ୍ତି । ବାକି ୨ଟି ସ୍ଥାନ ପାଇଁ ଉଭୟ ଭାରତ ଓ ଇଂଲଣ୍ଡଙ୍କ ସମେତ ନ୍ୟୁଜିଲାଣ୍ଡ ପ୍ରମୁଖ ଦାବିଦାର ରହିଛନ୍ତି । ଏଣିକି ଗୋଟିଏ ପରାଜୟ ମଧ୍ୟ ସବୁ ସ୍ୱପ୍ନ ଚୂର୍‌ମାର କରିଦେବ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଇଂଲଣ୍ଡ ୪ଟି ମ୍ୟାଚ୍‌ରୁ ୩ବିଜୟ ସହ ୭ ପଏଣ୍ଟ ଅର୍ଜନ କରିଥିବାବେଳେ ଭାରତ ୪ଟି ମ୍ୟାଚ ଖେଳି ହାତେଇଛି ୪ ପଏଣ୍ଟ ।

ଉଭୟ ଯଥାକ୍ରମେ ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଭାରତ ପ୍ରଥମ ୨ଟି ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ବାଂଲାଦେଶକୁ ହରାଇବା ପରେ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ତେଣୁ ଯଥା ସମ୍ଭବ ବିଜୟ ଧାରାକୁ ଫେରିବା ଜରୁରି । ଅବଶ୍ୟ ସପ୍ତାହେ କାଳ ବିଶ୍ରାମ ପାଇ ଦଳ ବର୍ତ୍ତମାନ ସତେଜ । ଗତ ୪ଟି ମ୍ୟାଚ୍‌ରେ ଭାରତ କେବଳ ବାମ ହାତି ସ୍ପିନରଙ୍କ ବିପକ୍ଷରେ ୧୫ଟି ୱିକେଟ୍‌ ହରାଇଛି । ବର୍ତ୍ତମାନ ଏହି ତ୍ରୁଟିକୁ ସୁଧାରିବା ଜରୁରି । କାରଣ ଇଂଲଣ୍ଡ ନିକଟରେ ଶୋଫି ଏକ୍ଲେଷ୍ଟୋନ ଓ ଲିନସେ ସ୍ମିଥ୍‌ଙ୍କ ଭଳି ଘାତକ ବାମ ହାତି ସ୍ପିନର ରହିଛନ୍ତି । ଏକ୍ଲେଷ୍ଟୋନ ପୂର୍ବରୁ ସ୍ମୃତି ମନ୍ଧନାଙ୍କୁ ୪ଥର ଓ ହର୍ମନପ୍ରୀତଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି । ଇଂଲଣ୍ଡର ନାତାଲି ସ୍କିଭର-ବ୍ରଣ୍ଟ ଓ ହିଥର ନାଇଟ୍‌ ଚମତ୍କାର ଫର୍ମରେ ରହିଛନ୍ତି । ଉଭୟଙ୍କୁ ସହଳ ଆଉଟ୍‌ କରିବାକୁ ଭାରତ ଆଜି ପ୍ରୟାସ କରିବ ।

ଆଜି ଭାରତୀୟ ଦଳରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ଅମନଜୋତ କୌରଙ୍କ ସ୍ଥାନରେ ରେଣୁକା ସିଂହ ଠାକୁର ଏକାଦଶକୁ ଫେରିବେ । ଅମନଜୋତ ଗତ ୨ଦିନ ହେଲା ଅଭ୍ୟାସ କରି ନାହାନ୍ତି । ବାକି ଦଳ ଅପରିବର୍ତ୍ତିତ ରହିବ । ଇଂଲଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ଏକ୍ଲେଷ୍ଟୋନ ଓ ଲାଉରେନ ବେଲ୍‌ ଅସୁସ୍ଥ ହୋଇ ଗତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ । ଉଭୟଙ୍କ ସ୍ଥାନରେ ସାରାହ ଗ୍ଲେନ ଓ ଏମ ଆର୍ଲଟ ଖେଳିଥିଲେ । ବର୍ତ୍ତମାନ ଉଭୟ ସୁସ୍ଥ ଓ ଆସନ୍ତାକାଲି ଏକାଦଶକୁ ଫେରିବେ । ଏହି ମ୍ୟାଚ୍‌ ପାଇଁ ନାଲି ମାଟିର ପିଚ୍‌ ପ୍ରସ୍ତୁତ କରାଯାଇଛି । ୧୩ଦିନ ଧରି ଏହି ଗ୍ରାଉଣ୍ଡରେ ଖେଳ ହୋଇ ନଥିବାରୁ ପିଚ୍‌ ସତେଜ ରହିଛି । ତେଣୁ ପେସ୍‌ ବୋଲରମାନେ ପିଚ୍‌ର ଫାଇଦା ଉଠାଇ ପାରିବେ । ନାଲି ମାଟି ପିଚ୍‌ ମଧ୍ୟ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମ୍ୟାଚ୍‌ ଦିବା-ରାତ୍ର ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ସମ୍ଭାବ୍ୟ ଦଳ ଭାରତ: ସ୍ମୃତି ମନ୍ଧନା, ପ୍ରତିକା ରାୱଲ୍‌, ହର୍ଲିନ ଦେଓଲ, ହର୍ମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ, ସ୍ନେହ ରାଣା, ଶ୍ରୀ ଚରଣୀ, ରେଣୁକା ସିଂହ ଠାକୁର, କ୍ରାନ୍ତି ଗୌଡ଼ । ଇଂଲଣ୍ଡ: ତାମି ବ୍ୟୁମୋଣ୍ଟ, ଆମି ଜୋନ୍ସ, ହିଥର ନାଇଟ, ନାତାଲି ସ୍କିଭର-ବ୍ରଣ୍ଟ (ଅଧିନାୟିକା), ଶୋଫିଆ ଡଙ୍କଲି, ଏମା ଲାମ୍ବ, ଆଲିସ କ୍ୟାପସି, ଚାର୍ଲି ଡିନ, ଶୋଫି ଏକ୍ଲେଷ୍ଟୋନ, ଲିନସେ ସ୍ମିଥ, ଲାଉରେନ ବେଲ ।