ନୂଆଦିଲ୍ଲୀ,୦୫/୦୭; କିଏ ହେବ ବିଶ୍ୱ ବିଜୟୀ ? କାହାର ପଲ୍ଲା ରହିବ ଭାରି ? ଇଂଲଣ୍ଡର ଅଭେଦ୍ୟ ଦୁର୍ଗ ଭେଦ କରିପାରିବ କି ଅଷ୍ଟ୍ରେଲିଆ ? ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଆଜି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଫାଇନାଲ୍ ମୁକାବିଲା ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହେବେ । ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆ ସପ୍ତମ ଏବଂ ଇଂଲଣ୍ଡ ଦ୍ୱିତୀୟ ଟାଇଟଲ୍ ଲକ୍ଷ୍ୟରେ ରହିଛି । ପ୍ରଥମ ସଂସ୍କରଣର (୨୦୦୯) ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଖେଳାଯାଇଥିଲା । ଇଂଲଣ୍ଡ ୬ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଏଥର ଲର୍ଡ୍ସରେ ଦଳ ଟ୍ରଫି ଉଠାଇବାକୁ ସବୁ ଶକ୍ତି ଖଟାଇବ । ଚଳିତ ସଂସ୍କରଣରେ ଉଭୟ ଦଳ ଅପରାଜେୟ ରହି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ତେଣୁ ମ୍ୟାଚ୍ ଫଳାଫଳ ଆକଳନ କରିବା ମୁସ୍କିଲ । ଉଭୟ ଦଳରେ ଏକାଧିକ ତାରକା ଖେଳାଳି ରହିଛନ୍ତି । ଆଜି ଇଂଲଣ୍ଡର ନାତାଲି ସ୍କିଭର-ବ୍ରଣ୍ଟ, ଡାନି ୱାଟ-ହଜ୍ ଏବଂ ଅଷ୍ଟ୍ରେଲିଆର ଆସଲି ଗାର୍ଡନର ଓ ଏଲିସ୍ ପେରୀଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ଉଭୟ ଦଳ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆ ଗୋଟିଏ ବି ମ୍ୟାଚ୍ ନ ହାରି ଲଗାତାର ୬ଟି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି । ଅନ୍ୟପକ୍ଷରେ, ଆୟୋଜକ ଇଂଲଣ୍ଡ ପାଇଁ କାହାଣୀ ସମାନ ରହିଛି । ଅଧିନାୟକ ନାଟ୍ ସାଇଭର-ବ୍ରଣ୍ଟଙ୍କ ନେତୃତ୍ୱରେ, ଇଂଲଶ୍ ଦଳ ମଧ୍ୟ ଗୋଟିଏ ବି ମ୍ୟାଚ୍ ନ ହାରି ଟାଇଟଲ୍ ମ୍ୟାଚରେ ପହଞ୍ଚିଛି। ଆଜିର ମ୍ୟାଚ୍ ଗୋଟିଏ ଦଳର ବିଜୟ ଧାରାରେ ବ୍ରେକ୍ ଲଗାଇବା ନିଶ୍ଚିତ ।
ହେଡ୍-ଟୁ-ହେଡ୍ ରେକର୍ଡ- କ୍ରିକେଟର ଏହି ଛୋଟ ଫର୍ମାଟରେ ଦୁଇ ଦଳ ପରସ୍ପରକୁ ଯେତେଥର ଭେଟିଛନ୍ତି ମ୍ୟାଚ୍ ନିକଟତର ରହିଛି । ଉଭୟଙ୍କ ମଧ୍ୟରେ ମୋଟ ୪୫ ଟି-୨୦ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରୁ ଅଷ୍ଟ୍ରେଲିଆ ୨୨ ଜିତିଛି, ଯେତେବେଳେ ଇଂଲଣ୍ଡ ୨୦ଟି ଜିତିଛି । ଏହା ବ୍ୟତୀତ, ଦୁଇଟି ମ୍ୟାଚ୍ ଟାଇ ହୋଇଛି ଏବଂ ଗୋଟିଏ ଡ୍ରରେ ଶେଷ ହୋଇଛି । ହେଡ୍ ଟୁ ହେଡ୍ ରେକର୍ଡ ଦେଖିଲେ କେହି କାହାକୁ କମ୍ ନାହାନ୍ତି । ଆଜି ଲର୍ଡସରେ ଏକ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି ।
ଏହା ବି ପଢନ୍ତୁ...Women’s T20 World Cup : ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମୁକାବିଲା ପାଇଁ ଅଫିସିଆଲ୍ ଘୋଷଣା, ଜ୍ୟାକଲିନ୍ ଓ ବ୍ରିନ୍ଦାଙ୍କୁ ଗ୍ରାଉଣ୍ଡ୍ ଅମ୍ପାୟାର ଦାୟିତ୍ବ
ଫାଇନାଲ୍ ପାଇଁ ପୂର୍ଣ୍ଣ ଦଳ କ’ଣ ?
ଅଷ୍ଟ୍ରେଲିଆର ଦଳ: ସୋଫି ମୋଲିନକ୍ସ (ଅଧିନାୟିକା), ଆଶ୍ଲେ ଗାର୍ଡନର୍ (ଉପ-ଅଧିନାୟିକା), ଟାହଲିଆ ମ୍ୟାକଗ୍ରା (ଉପ-ଅଧିନାୟିକା), ନିକୋଲା କେରି, କିମ୍ ଗାର୍ଥ, ଲୁସି ହାମିଲ୍ଟନ୍, ଗ୍ରେସ୍ ହାରିସ୍, ଆଲାନା କିଙ୍ଗ, ଫୋବି ଲିଚ୍ଫିଲ୍ଡ, ବେଥ୍ ମୁନି, ଏଲିସ୍ ପେରି, ମେଗାନ୍ ସ୍କଟ୍, ଆନାବେଲ୍ ସଦରଲ୍ୟାଣ୍ଡ, ଜର୍ଜିଆ ୱଲ୍ ଏବଂ ଜର୍ଜିଆ ୱେୟାରହାମ୍।
ଇଂଲଣ୍ଡ ଦଳ: ନାଟ୍ ଶେଭର-ବ୍ରଣ୍ଟ (ଅଧିନାୟିକା), ଲରେନ୍ ବେଲ୍, ଆଲିସ୍ କ୍ୟାପସେ, ଟିଲି କୋର୍ଟନେ-କୋଲମ୍ୟାନ୍, ଚାର୍ଲି ଡିନ୍, ସୋଫିଆ ଡଙ୍କଲି, ସୋଫି ଏକ୍ଲେଷ୍ଟୋନ୍, ଲରେନ୍ ଫାଇଲର୍, ଡାନି ଗିବସନ୍, ଏମି ଜୋନ୍ସ, ଫ୍ରେୟା କେମ୍ପ, ହେଥର ନାଇଟ୍, ଲିନ୍ସେ ସ୍ମିଥ୍, ଇସି ୱଙ୍ଗ୍ ଏବଂ ଡାନି ୱାଟ୍-ହଜ୍ ।