କଟକ,୦୫/୦୭: ଅଧିକାଂଶ ସମୟରେ ରାଜ୍ୟରେ ଦୁର୍ଘଟଣା ଘଟି ଧନଜୀବନ ଯିବା ପରେ ପରିବହନ ବିଭାଗର  ନିଦ ଭାଙ୍ଗେ । ସାଙ୍ଗେସାଙ୍ଗେ କାର୍ଯ୍ୟାନୁଷ୍ଠାନ, ସଚେତନତା, ଚଢ଼ଉ କଥା ମନେପଡ଼େ । ଏବେ ବାରିପଦାରେ ମର୍ମନ୍ତୁଦ  ଦୁର୍ଘଟଣା ପରେ ପରିବହନ ବିଭାଗ ପୁଣି ସେହି ସମାନ  କଥାକୁ ଦୋହରାଇଛି ଫିଟ୍‌ନେସ୍‌  ନଥିଲେ ଗାଡ଼ି ପଞ୍ଜୀକରଣ ରଦ୍ଦ  ହେବ, ବୀମା ଓ ପର୍‌ମିଟ୍‌ କଡ଼ାକଡ଼ି  ଯାଞ୍ଚ୍‌ ହେବ ବୋଲି ବିଭାଗ କହିଛି ।    

ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ଏସ୍‌ଟିଏ  (ରାଜ୍ୟ ପରିବହନ ପ୍ରାଧିକରଣ) ପକ୍ଷରୁ ଜାରି ଏକ  ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ବାରିପଦାଠାରେ  ଘଟିଥିବା ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟି ଯାକ ଗାଡ଼ିର ବୈଧ ଫିଟ୍‌ନେସ୍‌ ପ୍ରମାଣପତ୍ର ନାହିଁ । ଏହାକୁ ଗୁରୁତ୍ୱ  ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ ଉକ୍ତ ଦୁଇଟିଯାକ ଗାଡ଼ିର ପଞ୍ଜୀକରଣ ରଦ୍ଦ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି । ବିନା ଫିଟ୍‌ନେସ୍‌ରେ ଗାଡ଼ି ଚଳାଚଳ ଉପରେ ରୋକ୍‌ ଲଗାଇବା ଦିଗରେ କଠୋର  ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ବିଭାଗ  ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଛି ।  

 

ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ  ଆଞ୍ଚଳିକ ପରିବହନ ଅଧିକାରୀ  (ଆରଏଟିଓ)ମାନଙ୍କୁ ଯାଞ୍ଚ୍‌  କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ରାସ୍ତାରେ ଚାଲୁଥିବା  ଅନ୍‌ଫିଟ୍‌ ତଥା ବିପଦପୂର୍ଣ୍ଣ ଗାଡ଼ି ଗୁଡ଼ିକୁ ଚିହ୍ନଟ  କରାଯାଇଛି । ଏହି ଗାଡ଼ି ଗୁଡ଼ିକର ପଞ୍ଜୀକରଣ ରଦ୍ଦ  ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା  ଫିଟ୍‌ନେସ୍‌ ଓ ପଞ୍ଜୀକରଣରେ ଗଡ଼ୁଥିବା ଗାଡ଼ି ଗୁଡ଼ିକ  ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜୋରଦାର  ହେବ ବୋଲି ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଗାଡ଼ିର  ବୀମା ଓ ପର୍‌ମିଟ୍‌ ଯାଞ୍ଚ ମଧ୍ୟ କଡ଼ାକଡ଼ି କରାଯିବ  ବୋଲି ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।