ନୂଆଦିଲ୍ଲୀ୧୫/୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆକ୍ରମଣର ପ୍ରତିଶୋଧ ଦରକାର । ଘଟଣାରେ ସାଧାରଣ ଲୋକେ ଯେତିକି କ୍ରୋଧାନ୍ୱିତ, ସୁରକ୍ଷାକର୍ମୀମାନେ ମଧ୍ୟ ଆକ୍ରମଣର ପ୍ରତିଶୋଧ ନେବାପାଇଁ ସେପରି ତତ୍ପର । ସିଆରପିଏଫ୍ ଟ୍ୱିଟ୍ ଜରିଆରେ କହିଛନ୍ତି, ଏପରି ଜଘନ୍ୟ ଅପରାଧର ପ୍ରତିଶୋଧ ନିଶ୍ଚିତ ଭାବେ ନିଆଯିବ । ଏହି ଘଟଣାକୁ କେବେ ବି ଭୁଲିବୁ ନାହିଁ , ନା କ୍ଷମା କରିପାରିବୁ । ପୁଲୱାମା ଆକ୍ରମଣରେ ସହିଦଙ୍କୁ ଓ ସହିଦ ପରିବାରଙ୍କୁ ସଲାମ୍ କରିବା ସହ ସବୁବେଳେ ପାଖରେ ଛିଡ଼ାହେବୁ ବୋଲି କହିଛନ୍ତି ସିଆରପିଏଫ୍।
ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆତଙ୍କାବଦୀମାନେ ବଡ ଭୁଲ କରିଛନ୍ତି । ଦେଶ ସମ୍ପୂର୍ଣ୍ଣ ଭାବେ ଏକଜୁଟ୍ ରହିଛି ଓ ରହିବ। ଏହାର ଦୃଢ଼ ଜବାବ ଦିଆଯିବ । ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆତଙ୍କବାଦୀଙ୍କୁ ନିଜ ମାଟିରେ ପ୍ରଶୟ ଦେଉଥିବା ପାକିସ୍ତାନ ଏହାର ପରିଣାମ ଭୋଗିବ । ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ କେବେ ତାର ଲକ୍ଷ୍ୟରେ ସଫଳ ହେବନି ବୋଲି ସେ କହିଛନ୍ତି।