ମାଲକାନଗିରି/ଚିତ୍ରକୋଣ୍ଡା, ୧୪/୧୦ (ଆପ୍ର)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନବିଭାଗ ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରାମ ଜଙ୍ଗଲ ଅଂଚଳରେ ଚଢ଼ାଉ କରି ୧୧୯ ଖଣ୍ଡ କାଠ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ସୂଚନା ଦେଇଛନ୍ତି।

ଚିତ୍ରକୋଣ୍ଡା ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବୋଟ ଯୋଗେ ବାଲିମେଳା ଜଳ ଭଣ୍ଡାର ପାର୍ଶ୍ଵ ଗାଜଲମାମୁଡି ପଞ୍ଚାୟତ ସିଙ୍ଗାରାମ ଜଙ୍ଗଲ ଅଂଚଳରେ ଚଢ଼ାଉ କରିଥିଲେତୁମୁଲମାମୁଡି ଗ୍ରାମର କିଛି ଲୋକେ ସେଠାରେ କାଠପଟା କାଟୁଥିଲେ। ଦୂରରୁ ବନବିଭାଗର ଟିମକୁ ଦେଖି ପଟା କାଟୁଥିବା ଲୋକେ ସେଠାରୁ ଫେରାର ହୋଇଯାଇଥିବା ବେଳେ ବନବିଭାଗ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନାଧର ଖିଲ ଗ୍ରାମ ବିଡ଼ିଗୁଡା। ତେବେ ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ତୁମୁଲମାମୁଡିର ତ୍ରିନାଥ ହନ୍ତାଳ ଫେରାର ହୋଇଯାଇଥିବାର ଜଣାପଡିଛି। ଘଟଣାସ୍ଥଳରୁ ଶାଗୁଆନ ପଟା ୪୦ ଖଣ୍ଡ, ମୁଣ୍ଡି ପଟା ୪ଖଣ୍ଡ, ବିଜା ସ୍ଲିପର ୨୫ ଖଣ୍ଡ, ବିଜା ସାଇଜ ୩୦ ଖଣ୍ଡ, ମୁଣ୍ଡି ସାଇଜ ୨୦ ଖଣ୍ଡ ସମୁଦାୟ ୧୧୯ ଖଣ୍ଡ କାଠ ଜବତ କରାଯାଇଛି। ପଟା କଟାଯିବା ନିମନ୍ତେ ବ୍ୟବହୃତ ଏକ ଡଙ୍ଗାକୁ ଜବତ କରିଛି ବନ ବିଭାଗ। ସମୁଦାୟ କାଠର ସରକାରୀ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧହେବ ବୋଲି ଚିତ୍ରକୋଣ୍ଡା ରେଞ୍ଜର ବଳରାମ ନାୟକ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା, ବନପାଳ ଯନ୍ତ୍ରୀ ସରୋଜ କୁମାର ଘଡେଇ, ଡଙ୍କରାଇ ବନପାଳ ହରି ହନ୍ତାଳ ଓ ବନରକ୍ଷୀ ସଞ୍ଜୟ କୁମାର ପରିଡ଼ା, ଶ୍ରୀମନ୍ତ ଗିରି, ସରୁ କବାସୀ, ସଂଗ୍ରାମ ବରାଳ ସମସ୍ତ ପାରା ଓ ୱାଇଲ୍ଡଲାଇଫ୍ ସ୍କ୍ବାଡ୍ ସାମିଲ ଥିଲେ।