ହରଭଙ୍ଗା,୨୫।୫ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳ ଆଡ଼େନିଗଡ଼ ସେକ୍ସନ ମୁଣ୍ଡେଶ୍ୱର ଜଙ୍ଗଲରୁ ରଥ କାଠ ପଠାଯାଇଛି। ଶନିବାର ରାତିରେ ମାଧପୁର ରେଞ୍ଜରୁ ୪୦ ଫୁଟ ଲମ୍ବର ୨୨ ଟି ଅସନ ଗଣ୍ଡି, ୨୦ ଫୁଟ ଲମ୍ବର ୨୦ ଟି ଅସନ ଗଣ୍ଡି ଓ ୧୨ ଫୁଟ ଲମ୍ବର ୧୦ ଟି ଅସନ ଗଣ୍ଡିକୁ ଏକ ଟ୍ରକ ସାହାଯ୍ୟରେ ପୁରୀ ଅଭିମୁଖେ ପଠାଯାଇଛି।
ପ୍ରଥମେ ପୂଜା ପାଠ କରି ରୀତିନୀତି ଅନୁସାରେ କାଠ ଗୁଡ଼ିକ କଟାଯାଇଥିଲା। ପରେ ଏକ ଟ୍ରକ ଯୋଗେ ସବୁ କାଠ ଗଣ୍ଡି ଗୁଡ଼ିକ ଲଦି ପୁଷ୍ପ, ଧୂପ ଦୀପ ଦେଇ ପୁରୀ ଅଭିମୁଖେ ପଠା ଯାଇଥିଲା। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାଧପୁର ବନାଞ୍ଚଳରୁ ରଥ ତିଆରି ପାଇଁ କାଠ ପୁରୀ ଯାଇଥିବାରୁ ମାଧପୁର ବନାଞ୍ଚଳ ର ସମସ୍ତ କର୍ମଚାରୀ ବହୁତ ଖୁସି ଥିବା ସହିତ ନିଜକୁ ଧନ୍ୟ ମନେ କରିଥିଲେ।