କାମ କିଛି ନାହିଁ, ପ୍ୟାକେଜ୍ କୋଟିଏ : ବସ୍ ବହୁତ କମ୍ କାମ କରିବାକୁ ଦେଉଥିବାରୁ କୋର୍ଟରେ କେସ୍ କଲେ କର୍ମଚାରୀ

ନୂଆଦିଲ୍ଲୀ ୦୪/୧୨: ଜଣେ ରେଳବାଇ କର୍ମଚାରୀ ନିଜ ବସ୍ଙ୍କ ବିରୋଧରେ କୋର୍ଟରେ କେସ୍ କରିଛନ୍ତି । ତାଙ୍କ ଅଭିଯୋଗ ହେଉଛି ତାଙ୍କୁ ବହୁତ କମ୍ କାମ କରିବାକୁ ଦିଆଯାଉଛି । ଏଭଳି କରିବା ପଛର ଉଦ୍ଦେଶ୍ୟ ତାଙ୍କୁ ଦଣ୍ଡିତ କରିବା ବୋଲି ସେ କହିଛନ୍ତି । କାରଣ ରେଳବାଇର ଆକାଉଣ୍ଟ୍ ସମ୍ବନ୍ଧୀୟ କିଛି ମାମଲା ଉପରେ ସେ ପ୍ରଶ୍ନ କରିଥିଲେ ।
ମାମଲାଟି ଆୟରଲ୍ୟାଣ୍ଡର ଡବ୍ଲିନ୍ର । ଦେଶର ରେଳ ବିଭାଗରେ ନିଯୁକ୍ତ ଫାଇନାନ୍ସ ମ୍ୟାନେଜର ଡର୍ମୋଟ୍ ଏଲିଷ୍ଟେୟର ମିଲ୍ସ ଏ ମାମଲାରେ କୋର୍ଟରେ ନିଜ ଅଭିଯୋଗ ଦାଖଲ କରିଛନ୍ତି । ସେ କହିଛନ୍ତି, ୨୦୧୪ ମସିହାରେ, ରେଳବାଇ ଅପରେଟର୍ ସମ୍ବନ୍ଧୀୟ କିଛି ଆକାଉଣ୍ଟସ୍ ମାମଲା ବିଷୟରେ ପ୍ରଶ୍ନ କରିବା ପରଠୁ ତାଙ୍କୁ ଦଣ୍ଡିତ କରାଯାଉଛି । ଦଣ୍ଡ ସ୍ୱରୂପ ତାଙ୍କ କାମକୁ କମାଇ ଦିଆଯାଇଛି । ଏଲିଷ୍ଟେୟର ମିଲ୍ସଙ୍କ କହିବା ଅନୁସାରେ, ନାଟକୀୟ ଭାବେ ତାଙ୍କ କାମକୁ କମାଇ ଦିଆଯିବା ପରେ ସେ ଖବରକାଗଜ ପଢ଼ିବା, ଲମ୍ବା ଯାତ୍ରା ଓ ସାଣ୍ଡୱିଚ୍ ଆଦି ଖାଇବାରେ ଅଧିକାଂଶ ସମୟ ବିତାଉଛନ୍ତି । ଏଥିପାଇଁ ସେ ଚାକିରିରେ ବିରକ୍ତି ଭାବ ଅନୁଭବ କରୁଛନ୍ତି । ତାଙ୍କର ବାର୍ଷିକ ପ୍ୟାକେଜ୍ ପ୍ରାୟ ୧ କୋଟି ଟଙ୍କା । ଅର୍ଥାତ୍ ମାସକୁ ସେ ୮ ଲକ୍ଷରୁ ଅଧିକ ଆୟ କରୁଛନ୍ତି ।
ସେ ‘ୱର୍କପ୍ଲେସ୍ ରିଲେସନ୍ କମିଶନ୍’ରେ ଅଭିଯୋଗ କରିଛନ୍ତି, ଆଇରିଶ୍ ରେଳବାଇ ବିରୋଧରେ କହିବା ପାଇଁ ତାଙ୍କୁ ଦଣ୍ଡିତ କରାଯାଉଛି । ଚାକିରି ସମୟରେ କାମ ନ ଦେବାରୁ ସେ ବହୁତ ଖରାପ ଅନୁଭବ କରୁଛନ୍ତି । ଚାକିରିରେ ତାଙ୍କୁ ଅଲଗା କରିଦିଆଯାଇଛି । ସପ୍ତାହରେ ୨ ଦୁଇ ଦିନ ତାଙ୍କୁ ଘରେ ରହିବାକୁ କୁହାଯାଉଛି । ଅଫିସ୍ ଗଲେ, କାମ ସମ୍ପର୍କିତ କୌଣସି ଇ-ମେଲ୍ ତାଙ୍କ ପାଖକୁ ଆସୁନାହିଁ । କେହି ତାଙ୍କୁ ମେସେଜ୍ କରୁନାହାନ୍ତି । ସମସ୍ତ କର୍ମଚାରୀ ତାଙ୍କଠୁ ଅଲଗା ହୋଇ ରହୁଛନ୍ତି । ଅଫିସ୍ ବୈଠକରେ ମଧ୍ୟ ତାଙ୍କୁ ସାମିଲ କରାଯାଉ ନାହିଁ । କିଛି ନ କରିବା ପାଇଁ ବୋଧହୁଏ ତାଙ୍କୁ ଲକ୍ଷାଧିକ ଦରମା ଦିଆଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ମାମଲାର ଶଣାଣି ସ୍ଥଗିତ ରହିଛି । ଆସନ୍ତା ଫେବ୍ରୁଆରୀରେ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ ।