ଭୁବନେଶ୍ୱର, ୧୪/୦୨: ଘରକୁ ଯିବାପାଇଁ ରାସ୍ତା କଡ଼ରେ ବସ୍‌କୁ ଅପେକ୍ଷା କରିଥିଲେ ଦାଦନ ଶ୍ରମିକ । ଦ୍ରୁତ ଗତିରେ ଆସି ଧକ୍କା ଦେଲା କାର୍‌ । ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ମୃତ ବ୍ୟକ୍ତି ଛତିଶଗଡ ଦେଭୋଗ ଗୋଇରାପଦର ଗ୍ରାମରେ ରହୁଥିବା ରମେଶ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା କାର୍‌ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ । କଳାହାଣ୍ଡି ଜିଲ୍ଲା ଆମପାଣି ବସଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ରମେଶ ବିଶାଖାପାଟଣା ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ ଆମପାଣି ବସଷ୍ଟାଣ୍ଡ ନିକଟରେ ବସ୍‌କୁ ଆପେକ୍ଷା କରି ରାସ୍ତାକଡରେ ଠିଆ ହୋଇଥିଲେ । ଏହି ସମୟରେ ଏକ ଇନୋଭା କାର୍‌ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ରମେଶ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ମଧ୍ୟ ଖବର ଦେଇ ରମେଶଙ୍କୁ କୋଲସରା ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍‌ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ।