ଭୁବନେଶ୍ୱର ୦୧/୧୨: ବିଶ୍ୱ ଏଡ଼ସ ଦିବସ ଅବସରରେ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ପକ୍ଷରୁ ସଚେତନତା ପଦଯାତ୍ରା ଅନୁଷ୍ଠିତ । କ୍ୟାପିଟାଲ ହସ୍ପିଟାଲ ପରିସରରେ ଆୟୋଜିତ ରାଲିକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

ସୂଚନା ଅନୁଯାୟୀ, ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୪୬୨ ଜଣ ଏଚ୍ଆଇଭି ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ଚଳିତବର୍ଷ ୧୨ଲକ୍ଷ ସାଧାରଣ ଲୋକ ଏବଂ ୮ ଲକ୍ଷ ଗର୍ଭବତୀଙ୍କୁ ମିଶାଇ ମୋଟ ୨୦ଲକ୍ଷ ଟେଷ୍ଟ ପାଇଁ ଲକ୍ଷ୍ୟ ରହିଛି। ସେଥିରୁ ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ଟେଷ୍ଟ ସରିଛି। ମୁଖ୍ୟତଃ ରେଟ ଅଫ ଟ୍ରାନ୍ସମିସନ ଅର୍ଥାତ ମାଆ ଠାରୁ ଶିଶୁଙ୍କୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହାବାଦ ଅନୈତିକ ଯୌନ ସମ୍ପର୍କ ଏହାର ଅନ୍ୟ ଏକ କାରଣ ରହିଛି।  କଟକ, ଗଞ୍ଜମ ଓ ନବରଙ୍ଗପୁରରେ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏଚଆଇଭି ସଂକ୍ରମଣରେ କ୍ୟାଟାଗୋରୀ-୧ ରେ କଟକ ରହିଛି। ସେହିଭଳି ମାଇଗ୍ରେସନ ଏବଂ ସୀମାବର୍ତ୍ତୀ ଜିଲ୍ଲା ନବରଙ୍ଗପୁରରେ ବି ସଂଖ୍ୟା ଅଧିକ ରହିଛି। ଏଚଆଇଭି ସଂକ୍ରମଣରେ ଜାତୀୟ ହାର ତୁଳନାରେ ଓଡିଶା ୩ ନମ୍ବରରେ ରହିଛି।

୨୦୨୨-୨୩ ତୁଳନାରେ ଚଳିତବର୍ଷ ପଜିଟିଭ ହାର ହ୍ରାସ ପାଇଛି। ୨୦୨୨-୨୩ରେ ସଂଖ୍ୟା ୩୨୩୨ ଥିବା ବେଳେ୨୦୨୩-୨୪ ରେ ୩୪୩୬, ୨୦୨୪-୨୫ରେ ୩୭୬୯ ଏବଂ ୨୦୨୫ ଅକ୍ଟୋବର ସୁଦ୍ଧା ୨୪୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୩୮୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, କଟକରେ ୨୬୧, ନବରଙ୍ଗପୁରରେ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧାରେ ୩୩୮, ସମ୍ବଲପୁରରେ ୧୯୫ , ସୁନ୍ଦରଗଡ଼ରେ ୧୨୧ ଅନୁଗୁଳରେ ୧୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି।