ନୂଆଦିଲ୍ଲୀ,୩୧/୦୭: ବର୍ମିଂହାମରେ ଚାଲିଥିବା ୱାର୍ଲ୍ଡ ଚାମ୍ପିଅନସିପ୍‌ ଅଫ୍‌ ଲିଜେଣ୍ଡସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ ଖେଳାଯାଇଥାନ୍ତା । କିନ୍ତୁ ଏହି ମ୍ୟାଚ୍‌ ଭାରତ ଖେଳିବ ନାହିଁ ବୋଲି ମନା କରି ଦେଇଥିଲା । ଭାରତ ନଖେଳିବାରୁ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । 

ଭାରତୀୟ ଦଳର ଶିଖର ଧାୱନ,  ଯୁବରାଜ ସିଂ, ହରଭଜନ  ସିଂ, ଇରଫାନ ପଠାନ  ଓ ସୁରେଶ ରାଇନା ପ୍ରମୁଖ ଖେଳାଳି ପାକିସ୍ତାନ ବିପକ୍ଷରେ  ଖେଳିବାକୁ ମନା କରିଦେଇଥିଲେ ।  ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କର  ଆକ୍ରମଣକୁ ବିରୋଧ କରି ଭାରତୀୟ ଖେଳାଳି ଏବଂ ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକ  ଇଜମାଇ ଟ୍ରିପ୍‌ ଏହି ନିଷ୍ପତ୍ତି ନେଇଥିଲା । 

ଗ୍ରୁପ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ  ୱେଷ୍ଟଇଣ୍ଡିଜକୁ ପରାଜିତ କରି ଭାରତ  ସେମି ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଡିଜ ଦେଇଥିବା ବିଜୟ ଲକ୍ଷ୍ୟକୁ ଦଳ  ୧୩.୨ ଓଭରରେ ହାସଲ କରିନେଇଥିଲା । ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକ ଇଜମାଇ  ଟ୍ରିପ୍‌ର ସହ ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି କହିଛନ୍ତି, ‘ଦେଶ ଆଗ ବେପାର ପଛ । ଡବ୍ଲ୍ୟୁସିଏଲ୍‌ରେ ଭାରତ-ପାକିସ୍ତାନ  ମ୍ୟାଚ୍‌ରେ ଆମେ ଜଡ଼ିତ ହେବୁ ନାହିଁ ।